ଦେଢ଼ କୋଟି ଟଙ୍କାର ପ୍ରକଳ୍ପ ମାଟି; ଦାୟୀ କିଏ ? ୨ ବର୍ଷ ହେଲା ପରିତ୍ୟକ୍ତ ହୋଇ ପଡ଼ିଛି ଗାଡ଼ି ଚାଳନା ଓ ଗାଡ଼ି ନିରୀକ୍ଷଣ କେନ୍ଦ୍ର

ତାରପୁର: ଜଗତସିଂହପୁର ଜିଲ୍ଲା ଆଂଚଳିକ ପରିବହନ ବିଭାଗର ଏକମାତ୍ର ଗାଡ଼ି ଚାଳନା ଓ ଗାଡ଼ି ନିରୀକ୍ଷଣ କେନ୍ଦ୍ର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମିତଏହି କେନ୍ଦ୍ର ନିର୍ମାଣ ହେବା ପରଠାରୁ ଥରେ ହେଲେ କାମରେ ଲାଗିନାହିଁ। ଏପରିକି ଆରମ୍ଭ ହେବା ଦିନରୁ ଏଠାରେ ତାଲା ଝୁଲୁଛି। ଏହି କେନ୍ଦ୍ର ପରିସର ଏବେ ଅନାବନା ଗଛଲତାରେ ପରିପୂର୍ଣ୍ଣ। ଦେଢ଼ କୋଟିର ପ୍ରକଳ୍ପ ମାଟି ହେଲାଣି। ସେଠାରେ ଥିବା ନଳକୂପ ଓ ଷ୍ଟ୍ରିଟ୍ ଲାଇଟ୍‌ ଚୋରି ହୋଇ ଯାଇଛି। ଗାଡ଼ି ଅଭ୍ୟାସ ଓ ପରୀକ୍ଷା ପାଇଁ ନିର୍ମିତ ପିଚୁ ଟ୍ରାକ୍‌ ଫାଟି ଆଁ ହୋଇଛି। କୋଠାରେ ଥିବା ଫ୍ୟାନ୍, ଲାଇଟ୍‌, କବାଟ ଝରକା ସହିତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଚୋରି ହୋଇ ଗଲାଣି। ଗତ ୨ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ଏହି କେନ୍ଦ୍ର ପଡ଼ି ରହିଥିଲେ ମଧ୍ୟ ଏ ବାବଦରେ କେହି ମୁହଁ ଖୋଲୁନାହାନ୍ତି।
କେନ୍ଦ୍ରର ନିର୍ମାଣ ଦାୟିତ୍ବ ନେଇଥିବା‌ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଆଂଚଳିକ ପରିବହନ ବିଭାଗ ମଧ୍ୟରେ ଟଣା ଓଟରା ଲାଗିରହିଥିବାରୁ ଏହି ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ଭୂତକୋଟି ପାଲଟିଛି। ସଂଜ ନଇଁଲେ ନିଶାଡ଼ିମାନେ ‌ପାଚେରି ଡେଇଁ ସେଠାରେ ଆଡ଼ା ଜମାଉଛନ୍ତି। ଚୋରା ନିଶା ବେପାରୀ ମଧ୍ୟ ସେଠାରେ ନିରାପଦ କାରବାର କରୁଛନ୍ତି। କେନ୍ଦ୍ରଟି ସାଧାରଣଜନତାଙ୍କ କାମରେ ଲାଗୁନାହିଁ। ଏଥିପାଇଁ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ପରିବହନ ବିଭାଗର ଗାଡ଼ି ଚାଳନା ଓ ଗାଡ଼ି ନିରୀକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଜଗତସିଂପୁର ଜଇପୁର ରାସ୍ତାର ରାହାଡ଼ିଙ୍ଗା ଠାରେ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରାଯାଇଥିଲା। ପରିବହନ ବିଭାଗ ଏଥିପାଇଁ ୧ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ବରାଦ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏହାର ନିର୍ମାଣ ଦାୟିତ୍ବ ଦେଇଥିଲା। ପ୍ରଥମେ ୧ କୋଟି ୩୧ ଲକ୍ଷ ୭୬୧୬ ଟଙ୍କର ଏଷ୍ଟିମେଟ ପ୍ରସ୍ତୁତ କରାଯାଇଥିଲା। ଟେଣ୍ତର ପରେ ଏହି ପ୍ରକଳ୍ପ ୧ କୋଟି ୨୫ ଲକ୍ଷ ୧୭ହଜାର ୭୩୪ ଟଙ୍କାର ଚୁକ୍ତି ହୋଇଥିଲା। ଠିକାଦାର ଶ୍ରାବଣୀ ଦଳାଇ ଏହି ଟେଣ୍ତର ପାଇଥିବା ବେଳେ ୨୦୧୮ ଅକ୍ଟୋବର ୨୭ ତାରିଖରେ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ତେବେ ଟେଣ୍ତରର ସର୍ତାବଳୀ ଅନୁସାରେ ଏହା ୨୦୧୯ ସେପ୍ଟେମ୍ବର ୨୭ ତାରିଖରେ ଶେଷ ହେବା କଥା। ମାତ୍ର ନିର୍ଦ୍ଧାରିତ ସମୟରେ କାମ ଶେଷ ନହେବାରୁ ପ୍ରକଳ୍ପ ବ୍ୟୟ ବଢ଼ି ଯାଇଥିଲା। ୨୦୨୦ ଜୁଲାଇ ୨୦ ତାରିଖରେ ଏହାର ନିର୍ମାଣ କାମ ଶେଷ ହୋଇଥିଲା।

ଏପର୍ଯ୍ୟନ୍ତ ପ୍ରକଳ୍ପକୁ ଗ୍ରାମ୍ୟ ଉନ୍ନୟବ ବିଭାଗ ଆଂଚଳିକ ପରିବହନ ବିଭାଗକୁ ହସ୍ତାନ୍ତର କରିନଥିବା କୁହାଯାଉଛି। ନିମ୍ନମାନର କାମ ସହିତ କାମ ଅଧା ରହିଥିବାରୁ ଗତ ୨ ବର୍ଷ ହେଲା ପରିବହନ ବିଭାଗ ମଧ୍ୟ ତାହା ଗ୍ରହଣ କରୁନାହିଁ। ତେବେ ଆଶ୍ଚର୍ଯ୍ୟଜନକ ଭାବେ କାମ ଶେଷ ନହୋଇ ସଂପୃକ୍ତ ଠିକାସଂସ୍ଥା ସମସ୍ତ ବିଲ୍‌ ଉଠାଇ ନେଇଛି। ଟ୍ରେନିଂ ଟ୍ରାକ୍ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ହେଲେ ତାହା ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ କହିଛି। ଅନ୍ୟ ପକ୍ଷରେ କାମ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ପରିବହନ ବିଭାଗ ଏହାକୁ ଗ୍ରହଣ କରୁନାହିଁ ବୋଲି କହି ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜ ମୁଣ୍ତରୁ ଦୋଷ ଖସାଇ ଚାଲିଛି। ଠିକାଦାର ନିମ୍ନମାନର କାମ କରି ମୋଟ ୧ କୋଟି ୪୩ ଲକ୍ଷ ୯୮ ହଜାର ୧୭୪ ଟଙ୍କାର ବିଲ କରି ନେଇଛି। ପ୍ରକଳ୍ପଟି ହସ୍ତାନ୍ତର ହୋଇ ନଥିବାରୁ ତାହା ଏବେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ସାଧାରଣ ଲୋକଙ୍କ ହିତ ପାଇଁ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପରେ ଖର୍ଚ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା। କିନ୍ତୁ ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ଅଧିକାରୀ କିମ୍ବା ଠିକା ସଂସ୍ଥାକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେହିପରି ପରିବହନ କେନ୍ଦ୍ର ପାର୍ଶ୍ବରେ ଯାଇଥିବା ଏକ କାଡ଼ା ନାଳ ମଧ୍ୟ ପୋତି ହେବାକୁ ବସିଛି। ଯେଉଁ କାରଣରୁ ପ୍ରାୟ ୪୫ ହେକ୍ଟର ଚାଷ ଜମିରେ ପାଣି ପହଂଚୁନଥିବାରୁ ଚାଷକାମ ପ୍ରଭାବିତ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ଦାଖଲ ହୋଇଥିଲେ ସୁଦ୍ଧା କୌଣସି ବିହିତ ବ୍ୟବସ୍ଥା ହେଉ ନଥିବା ସମସ୍ତଙ୍କୁ ଆଶ୍ବାର୍ଯ୍ୟନ୍ବିତ କରିଛି।

ସମ୍ବନ୍ଧିତ ଖବର