ଏମଜିଏନଆରଜିଏରେ ବଡ ଦୁର୍ନୀତି: ସ୍କୁଲ ପିଲାଙ୍କ ନାମରେ ଟଙ୍କା ଉଠାଣ

କାମ ନସରୁଣୁ ଲକ୍ଷାଧିକ ଟଙ୍କା ଆତ୍ମସାତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର କେନ୍ଦୁଗୁଡା ପଞ୍ଚାୟତରେ ମହାତ୍ମଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବଡ ଦୁର୍ନୀତି ଏବେ ପଦାକୁ ଆସିଛି। ଘଟଣା ଅନୁଯାୟୀ କେନ୍ଦୁଗୁଡା ପଞ୍ଚାୟତର ଆଦର୍ଶ ଗ୍ରାମ ଭାବେ ଭାଲୁଗୁଡା ବେଶ ପରିଚିତ। ଏହି ଗ୍ରାମର ଛକରେ ଏକ ପଖୋରୀ ଏମଜିଏନଆରଜିଏରେ ନିର୍ମାଣ ହୋଇଅଛି। ଏହି ପଞ୍ଚାୟତର ପୂର୍ବତନ ଜିଆରଏସ ଏହି ପଖୋରୀକୁ ମରାମତି କରି ଟଙ୍କା ହଡପ କରିଥିବା ନେଇ ଗ୍ରାମବାସୀଙ୍କୁ ସୂଚନା ମିଳିଛି। ଏହି ପଖୋରୀକୁ ମରାମତି କରିବା ପାଇଁ ୮୮ ହଜାର ୨୯୫ ଟଙ୍କା ଖର୍ଚ୍ଚ ହୋଇଥିବା ଜିଆରଏସ ଦର୍ଶାଇଛନ୍ତି।

ତେବେ ଏମଜିଏଆରଜିଏରେ ମାଷ୍ଟର ରୋଲ ଖୋଲି ଭାଲୁଗୁଡା ଗ୍ରାମର ମେନକା ପାଙ୍ଗୀ, ରଞ୍ଜୀତ ପାଙ୍ଗୀ, ମହେନ୍ଦ୍ର ଖରା, ଉଜୁଲପତି ଖରା, ଲଳିତା ଖରା, ମହେଶ୍ବର ଖରା, ଧନେଶ୍ବର ଖରା, ଚନ୍ଦ୍ରର ଖରା, ଆକାଶ ପାଲିଗୁଡିଆ, କାଞ୍ଚନ ଖରା, ଶଙ୍କର ତନ୍ତୀ, ନୟନ ଖରା, ମତି ପାଙ୍ଗୀ, ଭବାନୀ ପାଙ୍ଗୀ, ସବିତା ପାଙ୍ଗୀ, ମଞ୍ଜୁଳା ପାଙ୍ଗୀ, ରିତିକା ଖରା, କୈଳାଶ ତନ୍ତୀ, ଗୀତା ତନ୍ତୀ, ରତ୍ନାକର ତନ୍ତୀ ଭଳି ଅନେକ ଲୋକର ନାମରେ ଖାତା ଖୋଲି ଟଙ୍କାକୁ ହଡପ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ପଖୋରୀ ଖନନରେ ସ୍କୁଲ ପିଲାଙ୍କ ନାମ ମଧ୍ୟ ସାମିଲ କରି ଟଙ୍କା ଉଠାଣ କରାଯାଇଥିବା ଜଣାପଡିଛି।

ସେହିପରି ଏହି ଭାଲୁଗୁଡା ଗ୍ରାମରେ ହିଁ ଏକ ଖେଳ ପଡିଆ ୩ ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମାଣ କରାଯାଉଛି। ଗ୍ରାମ ସଂଯୋଜକଙ୍କ କହିବା ଅନୁଯାୟୀ, ଏହି ଖେଳ ପଡିଆରେ ମୋଟ ୧ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ବଳକା ୨ ଲକ୍ଷ ୪୦ ହଜାର ଟଙ୍କାର ଏକ ମାଷ୍ଟର ରୋଲ କରି ଦିଶାରିଗୁଡା, ହୁଣ୍ଡିଭଟା, ମୁର୍ଜା, ଡୁରୁକାଗୁଡା, ଭଳି ଗ୍ରାମର ଶ୍ରମିକ ମାନଙ୍କର ନାମ ଲେଖି ଏହି ଟଙ୍କାକୁ ଉଠାଇ ଆତ୍ମସାତ କରିଥିବା ଜଣାପଡିଛି। ତେଣୁ ଗ୍ରାମବାସୀ ଏ ସଂପର୍କରେ ଜାଣିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ଏମଜିଏନଆରଜିଏରେ କିପରି ଫେକ କାମ କରି ଅଜଣା ଲୋକଙ୍କ ନାମରେ ଟଙ୍କା ଉଠାଯାଉଛି ଏହାର ବହୁ ନଜିର ରହିଛି। ତେବେ ଭାଲୁଗୁଡା ଭଳି ଆଦର୍ଶ ଗ୍ରାମରେ ଏଭଳି କାର୍ଯ୍ୟ ହୋଇଥିବାରୁ ଗ୍ରାମବାସୀ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ କରିଛନ୍ତି। ଯଦି ତୁରନ୍ତ ଏଦିଗରେ ବ୍ଲକ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ କେନ୍ଦୁଗୁଡା ପଞ୍ଚାୟତରେ ତାଲା ଠୁଙ୍କିଦେବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଭାଲୁଗୁଡା ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର