ଜୟପୁର: ନିର୍ମାଣ ସାମଗ୍ରୀ ସିମେଣ୍ଟ, ଲୁହାଛଡ, ବାଲି, ପଥର, ଚିପସ୍ ଓ ମେଟାଲ ଆଦିର ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଯେଉଁ ପରିମାଣର ଟଙ୍କା ଦେଉଛନ୍ତି ତାହା ଅଣ୍ଟୁ ନଥିବାରୁ କିଭଳି ଘର ନିର୍ମାଣ କରିବେ ଚିନ୍ତାରେ ପଡ଼ିଛନ୍ତି। ନିର୍ମାଣ ସାମଗ୍ରୀ ଗୁଡିକ ଉପରେ ଅଚାନକ ଦର ବୃଦ୍ଧି ପାଇଥିବାରୁ ଦରକୁ ଲଗାମ ଲଗାଇବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି। ଜୟପୁର ବ୍ଲକରେ ୪ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଛି। ପ୍ରଥମ କିସ୍ତି ମିଳିଥିବା ହିତାଧିକାରୀ ମାନେ ଘର ନିର୍ମାଣ କାମ ଆରମ୍ଭ କରିଛନ୍ତି। ନିଅ ପକାଇବାକୁ ୪୦ହଜାର ଟଙ୍କା ମିଳିଛି। ତେବେ ଅଚାନକ ଭାବେ ସିମେଣ୍ଟ ଦର ବସ୍ତା ପିଛା ୪୦ଟଙ୍କା ବୃଦ୍ଧି ପାଇଛି। ଗତ ସପ୍ତାହକ ତଳେ ଅଲଟ୍ରାଟେକ୍ ସିମେଣ୍ଟ ବସ୍ତାକୁ ୩୪୦ଟଙ୍କା ରହିଥିବା ବେଳେ ଏହା ଏବେ ୩୮୦ଟଙ୍କାରେ ବିକ୍ରି ହେଉଛି। ସେଭଳି ରାମକୋ ସିମେଣ୍ଟ ୩୨୦ଟଙ୍କା ପୂର୍ବରୁ ରହିଥିବା ବେଳେ ବଜାରଦର ୩୬୦ଟଙ୍କାରେ ପହଞ୍ଚିଛି।

Advertisment

publive-image Sambad

ସେଭଳି ଲୁହା ଛଡ଼ କ୍ବିଣ୍ଟାଲ ପ୍ରତି ୫୯୦୦ଟଙ୍କା କିଲୋ ପ୍ରତି ରହିଥିବା ବେଳେ ଏବେ ୬୫୦୦ଟଙ୍କାରେ ପହଞ୍ଚିଛି। ସେଭଳି ସ୍ଥାନୀୟ ବାଲି ଟ୍ରାକ୍ଟର ପିଛା ୧୮୦୦ ପୂର୍ବରୁ ରହିଥିବା ବେଳେ ଏବେ ୨୫୦୦ଟଙ୍କା, ସେଭଳି ଚିକିଲି ବାଲି ଏବେ ୪ହଜାର, ମେଟାଲ ଟ୍ରାକ୍ଟର ପିଛା ୭ହଜାର, ଚିପସ୍ ଟ୍ରାକ୍ଟର ପିଛା ୭ହଜାରରୁ ୮ହଜାର, ଇଟା ଟ୍ରାକ୍ଟର ପିଛା ୪୭୦୦ଟଙ୍କା ପୂର୍ବରୁ ରହିଥିବା ବେଳେ ଏବେ ୮୫୦୦ଟଙ୍କାରେ ବିକ୍ରି ହେଉଛି। ରାଜମିତ୍ସୀ ମାନେ ବର୍ଗପୁଟକୁ ୨୫୦ଟଙ୍କା ନେବାକୁ କହୁଥିବା ବେଳେ ୨୬୯ବର୍ଗ ଫୁଟ ଘର ନିର୍ମାଣ ପାଇଁ ୬୭ ହଜାର ୨୫୦ ଟଙ୍କା ଖର୍ଚ୍ଚ ଅଛି। ତା’ ସାଙ୍ଗକୁ ଗୋଟିଏ କୁଲି ବି କାମ କରିବେ। ଦିନକୁ ଦିନ ଦର ଓ ମଜୁରୀ ବୃଦ୍ଧି ପରେ ହିତାଧିକାରୀ ମାନେ ମିଳୁଥିବା ସ୍ବଳ୍ପ ଅନୁଦାନ‌ ଏକ ଲକ୍ଷ ୩୫ହଜାର ଟଙ୍କାରେ ଏହି ସ୍ଥିତିରେ ଘର ନିର୍ମାଣ କରିବା ବହୁତ ମୁସ୍କିଲ। ୪ମାସ ଓ ୬ମାସରେ ସରକାର ଦେବାକୁ ଚାହୁଁଥିବା ପ୍ରତ୍ସାହନ ରାଶି ଏହି ସ୍ଥିତିରେ ହିତାଧିକାରୀ ମାନେ ପାଇ ପାରିବେ କି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।