ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଟଙ୍କା ହଡ଼ପ ଘଟଣା, ଲମ୍ବୁଛି ଅଭିଯୋଗ ଫର୍ଦ୍ଦ, କୋଟିଏ ଛୁଇଁବ ହଡ଼ପ ଅର୍ଥ

କ୍ୟାସିୟର୍‌ ନିଲମ୍ବିତ; ଅର୍ଥ ଫେରସ୍ତ ପାଇଁ ପଦକ୍ଷେପ ନେବେ କର୍ତ୍ତୃପକ୍ଷ

ନିଆଳି: ନିଆଳି ବ୍ଲକ୍‌ ପହଙ୍ଗାସ୍ଥିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖାରେ ଜମାକାରୀଙ୍କ ଅର୍ଥ ହଡ଼ପର ଅଭିଯୋଗଫର୍ଦ୍ଦ ଲମ୍ବିବାରେ ଲାଗିଛି। ଅନ୍ୟପଟେ, ବ୍ୟାଙ୍କର ରିଜିଓନାଲ୍‌ ମ୍ୟାନେଜର୍‌ ଆଜି ପହଙ୍ଗା ଶାଖାରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ କ୍ୟାସିୟର୍‌ଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି। ଏଥିସହ ଜମାକାରୀମାନଙ୍କ ଅର୍ଥ ଫେରସ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରକାଶଥାଉ କି, ପହଙ୍ଗାସ୍ଥିତ ମା’ କୁତାମଚଣ୍ଡୀ ସ୍ବୟଂସହାୟକ ଗୋଷ୍ଠୀ ପକ୍ଷରୁ ୨୦୨୦ରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ପହଙ୍ଗା ଶାଖାରୁ ୩ ଲକ୍ଷ ୩୦ ହଜାର ଟଙ୍କା ଋଣ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଋଣ ଅର୍ଥ ପରିଶୋଧ କରାଯାଇଥିଲା। ଚୁକ୍ତି ମୁତାବକ ପୁନର୍ବାର ଋଣ ପାଇଁ ଆବେଦନ କରିବା ଲାଗି ଗତ ୧୯ ତାରିଖ ଗୋଷ୍ଠୀର ସଦସ୍ୟମାନେ ବ୍ୟାଙ୍କକୁ ଯାଇଥିଲେ। ହେଲେ ବ୍ୟାଙ୍କ ପରିଚାଳକ ସେମାନଙ୍କର ୨ ଲକ୍ଷ ୫୪ ହଜାର ଟଙ୍କା ଋଣ ବକେୟା ଥିବା ଦର୍ଶାଇଥିଲେ। ଏହା ଶୁଣିବା ପରେ ସଦସ୍ୟମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। କିସ୍ତି ଅର୍ଥ ଜମା କରିବା ସମୟରେ କ୍ୟାସିୟର୍ ସେମାନଙ୍କୁ ରସିଦ୍‌ ଦେଉଥିଲେ ମଧ୍ୟ ପ୍ରିଣ୍ଟ ମେସିନ୍‌ ଖରାପ ଥିବା ଦର୍ଶାଇ ଜମାଖାତା ଅପ୍‌ଡ଼େଟ୍‌ କରୁ ନ ଥିଲେ ବୋଲି ଗୋଷ୍ଠୀର ସଭାନେତ୍ରୀ ସସ୍ମିତା ପରିଡ଼ା ନିଆଳି ଥାନାରେ ଅଭିଯୋଗ କରିଥିଲେ। ଏହା ପ୍ରଚାରିତ ହେବା ପରେ ଗଲା ୪ ଦିନ ଧରି ବ୍ୟାଙ୍କରେ ଜମାକାରୀଙ୍କ ଭିଡ଼ ଲାଗି ରହିଥିଲା। ଜମାଖାତା ଅପ୍‌ଡ଼େଟ୍‌ କରାଯିବା ପରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଜଣାପଡ଼ିବାରୁ ଗତକାଲି ବ୍ୟାଙ୍କରେ ଉତ୍ତେଜନା ପ୍ରକାଶ ପାଇଥିଲା। ନିଆଳି ଥାନାଧିକାରୀ ବିଜୟ କୁମାର ମଲ୍ଲିକ ବ୍ୟାଙ୍କରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଶାଖା ପରିଚାଳକ ଓ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ବ୍ୟାଙ୍କର ରିଜିଓନାଲ୍‌ ମ୍ୟାନେଜର୍‌ ଯତିନ୍ଦ୍ରନାଥ ଷଡ଼ଙ୍ଗୀ ପହଙ୍ଗା ଶାଖାରେ ପହଞ୍ଚି ଅଭିଯୋଗର ତଦନ୍ତ କରିଥିଲେ।

ତଦନ୍ତ ପରେ ଟଙ୍କା ହଡ଼ପ ଘଟଣାକୁ ସେ ସ୍ବୀକାର କରିବା ସହ ଏଥିରେ କ୍ୟାସିୟର୍‌ ବଂଶୀଧର ମାଝୀ ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି। ରିଜିଓନାଲ୍‌ ମ୍ୟାନେଜର୍‌ ଶ୍ରୀ ଷଡ଼ଙ୍ଗୀଙ୍କ ସୂଚନା ମୁତାବକ, ଟଙ୍କା ହେରଫେର ଘଟଣା ଲୋକଲୋଚନକୁ ଆସିବା ପରେ କ୍ୟାସିୟର୍‌ ଶ୍ରୀ ମାଝୀଙ୍କୁ ନିଆଳି ବ୍ଲକ୍‌ର ବିନିଶପୁର ଶାଖାକୁ ବଦଳି କରାଯାଇଥିଲା। ସେଠାରେ ଉପସ୍ଥାନର ପ୍ରଥମ ଦିନ ସେ ଏଭଳି ଘଟଣା ଘଟାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କୁ ନିଲମ୍ବିତ କରାଯିବା ସହିତ ରିଜିଓନାଲ୍‌ କାର୍ଯ୍ୟାଳୟରେ ପ୍ରତ୍ୟେକ ଦିନ ଉପସ୍ଥିତ ରହିବା ପାଇଁ କୁହାଯାଇଛି। ତେବେ ପହଙ୍ଗା ଶାଖାରୁ କାହାର ଓ କେତେ ଅର୍ଥ ହେରଫେର ହୋଇଛି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ସେ ସୂଚନା ଦେବା ସହ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ସମସ୍ତପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅନ୍ୟପଟେ, ଆଜି ସକାଳୁ ଶତାଧିକ ଜମାକାରୀ ବ୍ୟାଙ୍କରେ ଭିଡ଼ ଜମାଇଥିଲେ। ତନଖି ପରେ ‌ବହୁ ଗ୍ରାହକଙ୍କ ଜମାଖାତାରେ ଟଙ୍କା ନ ଥିବା ଜଣାପଡ଼ିଛି। ଫଳରେ ଏ ନେଇ ଅଭିଯୋଗଫର୍ଦ୍ଦ ଲମ୍ବିବାରେ ଲାଗିଛି। ହଡ଼ପ ଅର୍ଥର ପରିମାଣ ବୃଦ୍ଧି ପାଇ ୧ କୋଟିରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ତେବେ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ରିଜିଓନାଲ୍‌ ମ୍ୟାନେଜର୍‌ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର