ଖୋର୍ଦ୍ଧା ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ହଡ଼ପ ମାମଲା: ଚିଠି ଲେଖି ପ୍ରଶାସନ ନିରବ

ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିନପାରି ଦିନ ଗଣୁଛନ୍ତି କ୍ଷତିଗ୍ରସ୍ତ

ଖୋର୍ଦ୍ଧା: ରାଉତପଡ଼ାର ୫୮ ବର୍ଷୀୟ ଜେମାମଣି ପାତ୍ର। ଏକ ସ୍ୱୟଂ ସହାୟକ ଗୋଷ୍ଠୀ ହସ୍ତତନ୍ତ କ୍ଷୁଦ୍ରଶିଳ୍ପରେ ସୂତା କାଟି ନିଜ ପେଟ ପୋଷୁଥିଲେ। ଏହାସହ ସରକାରଙ୍କ ଭତ୍ତା ଦେଉଥିଲେ।  ନିଜର ପେଟ କାଟି ସୂତାକଟା ମଜୁରୀରୁ ୧ଲକ୍ଷ ଟଙ୍କା ଓ ଭତ୍ତାରୁ ସଞ୍ଚୟ କରିଥିବା ୮ ହଜାର ଟଙ୍କା ଖୋର୍ଦ୍ଧା ସମବାୟ ବ୍ୟାଙ୍କର ରାଉତପଡ଼ା ଶାଖାରେ ଜମା କରିଥିଲେ। କିନ୍ତୁ ସମସ୍ତ ଟଙ୍କା ବ୍ୟାଙ୍କର କର୍ମଚାରୀ ହଡ଼ପ କରିନେଲେ। ବର୍ତ୍ତମାନ ଜେମାମଣି କପର୍ଦ୍ଧକ ଶୂନ୍ୟ, ନିକଟରେ ଚିକିତ୍ସା ପାଇଁ ଟଙ୍କା ଟିଏ ନାହିଁ। ପରିଶ୍ରମ କରି ଅର୍ଜନ କରିବାକୁ ଦେହରେ ଶକ୍ତି ନାହିଁ। ଏଭଳି ଦୁର୍ଦ୍ଦଶା କେବଳ ଜେମାମଣିଙ୍କ ନୁହେଁ, ସମବାୟ ବ୍ୟାଙ୍କରେ ଜମା କରି ବ୍ୟାଙ୍କ କର୍ମଚାରୀଙ୍କ ପ୍ରତାରଣାର ଶିକାର ହୋଇଥିବା ୧୦୦ ଜଣ ହିତାଧିକାରୀଙ୍କ ଅଳ୍ପ ବହୁତ ଏଭଳି ଅବସ୍ଥା। ଖୋର୍ଦ୍ଧା ସମବାୟ ବ୍ୟାଙ୍କର ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରେ ଗରିବ ବୁଣାକାର, ଦିନମଜୁରିଆ, କ୍ଷୁଦ୍ର ଚାଷୀ ଜମାକାରୀଙ୍କ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଙ୍କ କର୍ମଚାରୀ ମିଳିମିଶି ହଡ଼ପ କରିନେଲେ। ଏହି ଘଟଣାର ଦୀର୍ଘ ୫ ମାସ ବିତିଯାଇଛି, ଅପରପକ୍ଷରେ ଖୋର୍ଦ୍ଧା ସମବାୟ ବ୍ୟାଙ୍କ କର୍ତୃପକ୍ଷ ତଥା ଏହାର ପ୍ରଶାସକ ଜିଲ୍ଲାପାଳ ଏହାର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ତଦନ୍ତ କରାଇବା ସହ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କିଭଳି ଶୀଘ୍ର ସେମାନଙ୍କ ଟଙ୍କା ମିଳିବ ସେନେଇ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇ ଦୁଇ ମାସ ବିତିଯାଇଛି, କିନ୍ତୁ ଏନେଇ କୌଣସି ତଦନ୍ତ ଆରମ୍ଭ ହୋଇପାରିନାହିଁ କି ଜମାକାରୀଙ୍କୁ ସେମାନଙ୍କ ଟଙ୍କା ମିଳିନାହିଁ। ଅପ୍ରିଲ୍ ମାସରେ ତତ୍କାଳୀନ ଜିଲ୍ଲାପାଳ ତଥା ବ୍ୟାଙ୍କର ପ୍ରଶାସକ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦେଶ ଅନୁସାରେ ବ୍ୟାଙ୍କର ସିଇଓ ଘଟଣାର ତଦନ୍ତ କରିବାକୁ ଅର୍ଥନୈତିକ ଅପରାଧ ଶାଖାକୁ ଚିଠି ଲେଖିଥିଲେ।

Sambad

ଏହାର ନକଲ ବେଗୁନିଆ ଥାନାକୁ ଦେଇଥିଲେ। ବେଗୁନିଆ ଥାନା ଏନେଇ ୧୨୦/୨୨ରେ ଏକ ମାମଲା ରୁଜୁ କରି ଚୁପ ବସିଛି। ଏହା ମଧ୍ୟରେ ଜମାକାରୀଙ୍କ ଟଙ୍କା ହଡ଼ପରେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀମାନେ ଆଗୁଆ ଜାମିନ ପାଇ ସାରିଛନ୍ତି। ଏଭଳି ସ୍ଥିତିରେ କଟା ଘାରେ ଚୂନ ଦେବା ଭଳି ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଏନେଇ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରିବାକୁ ସେ ସହକାରୀ ସମବାୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଉତପଡ଼ା ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଶାଖାରେ ଚଳିତବର୍ଷ ଫେବ୍ରୁଆରୀମାନେ ୧୦୦ଜଣ ହିତାଧିକାରୀଙ୍କ ଜମା ଟଙ୍କା, ସ୍ଥାୟୀ ଜମା, ରିକରିଂ ଜମା ଖାତାରେ ଥିବା ଟଙ୍କା ହଡ଼ପ ହୋଇଥିବା ନେଇ ଜମାକାରୀମାନେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗର ୨୦ ଦିନ ପରେ ବ୍ୟାଙ୍କର ସିଇଓ ବିଭାଗୀୟ ତଦନ୍ତର ନିର୍ଦେଶ ଦେଇଥିଲେ। ବିଭାଗୀୟ ତଦନ୍ତରେ ଜମାକାରୀଙ୍କ ୧ କୋଟି ୩୦ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଓ ଏଥିରେ ପୂର୍ବ ବ୍ୟାଙ୍କ ସହକାରୀ ବୁଦ୍ଧିରାମ ଦାସ, ପୂର୍ବ ସହକାରୀ ପରିଚାଳକ ଶାନ୍ତିଲତା ଓଝା ଓ ସହକାରୀ କର୍ମଚାରୀ ପ୍ରସନ୍ନ କୁମାର ତୋଷ ସମ୍ପୃକ୍ତ ଥିବା ନେଇ ଜଣାପଡ଼ିଥିଲେ। ତେବେ ଏନେଇ ପ୍ରାୟ ୨ ମାସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଶେଷରେ ଗଣମାଧ୍ୟମର ଚାପରେ ବ୍ୟାଙ୍କ କର୍ତୃପକ୍ଷ କହିଥିଲେ ଯେ ବୁଦ୍ଧିରାମ ଦାସ ସମସ୍ତ ଟଙ୍କା ଫେରାଇବ ବୋଲି ଲିଖିତ ଭାବେ ଦେଇଛନ୍ତି। ବୁଦ୍ଧିରାମ ଓ ଅନ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଟଙ୍କା ଆଦାୟ କରାଯାଇ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ। ଏନେଇ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ମଧ୍ୟ ଅନୁରୂପ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଇତିମଧ୍ୟରେ ୫ ମାସ ବିତିଯାଇଛି, କିନ୍ତୁ ଜିଲ୍ଲା ପ୍ରଶାସନ, ଅର୍ଥନୈତିକ ଅପରାଧ ଶାଖା କିମ୍ବା ବ୍ୟାଙ୍କ କର୍ତୃପକ୍ଷଙ୍କ ପକ୍ଷରୁ ସେମାନଙ୍କ ଜମା ଟଙ୍କା ଫେରାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ।

ସମ୍ବନ୍ଧିତ ଖବର