ରାୟଗଡା: ଶିଶୁ ମାନଙ୍କ ମନୋରଞ୍ଜନ ଏବଂ ଖେଳିବା ପାଇଁ ରାୟଗଡା ପୌର ପରିଷଦ ତରଫରୁ ଗତ ୨୦୧୬ ମସିହାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଥିଲା। ଏଥିପାଇଁ ସେତେବେଳେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଏହି ଜାଗାଟି ସରକାରୀ ଜାଗା ନଥିବା ବେଳେ ଏଠାରେ ଏତେ ଟଙ୍କା ଖର୍ଚ୍ଚ କରାଯାଇ କିପରି ଶିଶୁ ଉଦ୍ୟାନ ନିର୍ମାଣ କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ତେବେ ଏହି ଉଦ୍ୟାନ ଯେଉଁଥିପାଇଁ ନିର୍ମାଣ କରାଯାଇଥିଲା, ତାହା ଫଳପ୍ରଦ ହୋଇପାରିଲା ନାହିଁ। ଏହି ଉଦ୍ୟାନକୁ ନା ଶିଶୁ ଆସିଲେ ନା ବୟଜ୍ୟୋଷ୍ଠ ଆସିଲେ। ଯାହାଫଳରେ ଧିରେ ଧିରେ ଏହି ଉଦ୍ୟାନ ଅସାମାଜିକଙ୍କ ଅଡ୍ଡାସ୍ଥଳୀ ପାଲଟିଗଲା। ବେଳେ ବେଳେ ନିଜ ପିଲାଙ୍କୁ ନେଇ ଅଭିଭାବକ ମାନେ ନୂଆ ନୁଆ ଉଦ୍ୟାନ ବୁଲିବାକୁ ଆସିବା ବେଳେ ଏଠାରେ ମଦ୍ୟପଙ୍କ ଭିଡ ଜମୁଥିବାରୁ ଏଠାକୁ ଆଉ ପିଲାଙ୍କୁ ନେଇ ଅଭିଭାବକ ଆସିଲେ ନାହିଁ। ପ୍ରାୟ ଏକ ବର୍ଷ ଭିତରେ ଏହା ଖତ ଖାଇବାକୁ ଲାଗିଲା। ଆଉ ଏବେ ଏଠାରେ ଖାଲି ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି।ରକ୍ଷଣାବେକ୍ଷଣ ପାଇଁ ସେତେବେଳେ ପୌର ପରିଷଦ ତରଫରୁ ପୁଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଗଲା। କିନ୍ତୁ ସେସବୁ ପାଣିରେ ପଡିଲା। ଉଚିତ ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ପ୍ରଦାନ କରା ନଯିବାରୁ ଏହି ଉଦ୍ୟାନର ଆକର୍ଷଣ ଧିରେ ଧିରେ କମିଲା। ପିଲାଙ୍କ ପାଇଁ ରହିଥିବା ଖେଳନା ଗୁଡିକ ମଧ୍ୟ ନଷ୍ଟ ହୋଇଗଲା।

publive-image Sambad

ଲୋକେ ନିଜ ପିଲାଙ୍କୁ ନେଇ ଏହି ଉଦ୍ୟାନକୁ ଆଉ ଆସିଲେ ନାହିଁ। ଯାହାଫଳରେ ଶିଶୁ ଉଦ୍ୟାନରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହେଲା। ସାପ, ବେଙ୍ଗଙ୍କର ବସା ହୋଇଗଲା। ଲୋକେ ଏଠାକୁ ଆସିବାକୁ ଭୟ କଲେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଯେଉଁଥିପାଇଁ କରାଯାଇଥିଲା ତାହା ପାଣିରେ ପଡିଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।ସରକାର କା ମାଲ ଦରିଆ ମେ ଡାଲ ସଦୃଶ୍ୟ ପୌର ପରିଷଦରେ ରହିଥିବା ପ୍ରାୟ ସବୁ ଉଦ୍ୟାନର ଅବସ୍ଥା ଏକାପରି।ରକ୍ଷଣାବେକ୍ଷଣ ଏବଂ ଲୋକଙ୍କର ଉଦ୍ୟାନ ପ୍ରତି ଆକର୍ଷଣ ନଥିବାରୁ ଧିରେ ଧିରେ ଏହା ମଦୁଆଙ୍କ ଅଡ୍ଡା ବନି ଯାଉଛି।ଏବେ ଶିଶୁ ଉଦ୍ୟାନରେ ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡା ଜମୁଛି। ଏନେଇ ପୌର ପରିଷଦ ଅଧିକାରୀଙ୍କୁ ପଚାରିବାରୁ ଏହା ଏବେ ଭଗ୍ନ ଅବସ୍ଥାରେ ରହିଛି। ପୁଣି ରେଳ ବିଭାଗ ଏହାକୁ ଭାଙ୍ଗି ଦେବ ବୋଲି କହିଥିଲେ। କାରଣ ରେଳ ବିଭାଗର ତୃତୀୟ ଲାଇନ ଏହି ରାସ୍ତା ଦେଇ ଯାଉଥିବାରୁ ଏହି ଉଦ୍ୟାନକୁ ଭଙ୍ଗାଯିବ। ଅର୍ଥାତ ପୌର ପରିଷଦ ଏହା ରେଳ ବିଭାଗର ଜାଗା ଜାଣିବା ପରେ ମଧ୍ୟ ଏଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଉଦ୍ୟାନ ନିର୍ମାଣ କରି ଟଙ୍କା ଆତ୍ମସାତ କରିଥିଲେ। ଏହି ଉଦ୍ୟାନକୁ ସରକାରୀ ଜମିରେ କରିବା ସହ ଏହା ରକ୍ଷଣାବେକ୍ଷଣ ହୋଇଥଲେ ହୁଏତ ଆଜି ବହୁ ଶିଶୁ ଏଠାରେ ବୁଲିବାକୁ ଓ ଖେଳିବାକୁ ଆସି ପାରନ୍ତେ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।