ପଠା ଖାଉଛି ଦେବୀ; ପଥର ବୁରୁଜ ନିର୍ମାଣ ଆଳରେ ଦୁର୍ନୀତି, ପାଣିରେ ପଡ଼ୁଛି କୋଟି କୋଟି ଟଙ୍କା!

ଗାରୋଇ: ନାଉଗାଁ ବ୍ଲକ୍‌ ଓ ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ ଭଣ୍ତିସାହି ଦେଇ ପ୍ରବାହିତ ଦେବୀ ନଦୀ ପଠାର ସୁରକ୍ଷା ପାଇଁ ରାଜ୍ୟ ରାଜକୋଷରୁ ପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ ହେଉଛି। ଏହି ଟଙ୍କାରେ ନଦୀ ପଠାରେ ପଥର ବୁରୁଜ ନିର୍ମାଣ ହେଉଛି। କିନ୍ତୁ ଠିକାଦାର ନିମ୍ନମାନର କାମ କରୁଥିବାରୁ କୋଟି କୋଟି ଟଙ୍କା ପାଣିରେ ପଡୁଛି ବୋଲି ବ୍ଲକ୍‌ର ସଚେତନ ନାଗରିକମାନେ ଅଭିଯୋଗ କରିଛନ୍ତି। ତେଣୁ ନଦୀବନ୍ଧ ସୁରକ୍ଷା ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନଦୀ ପଠାରେ ବୁରୁଜ ନିର୍ମାଣ ଆଳରେ ସରାକାରୀ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ନାଉଗାଁ ବ୍ଲକ୍‌ କୋରୁଅ ପଞ୍ଚାୟତ ଗାରୋଇ ଠାରେ ଆର୍ଥିକ ବର୍ଷ ୨୦୨୧-୨୨ ରେ ଜଳସମ୍ପଦ ବିଭାଗ ପକ୍ଷରୁ ଗାରୋଇ ଗ୍ରାମର ସୁରକ୍ଷା ପାଇଁ ଏକ ପଥର ବୁରୁଜ ନିର୍ମାଣ ହୋଇଥିଲା। ଏଥିପାଇଁ ୬୫ ଲକ୍ଷ ୪୩ ହଜାର ୮୧୩ ଟଙ୍କା ବ୍ୟୟବରାଦ ହୋଇଥିଲା। ସେହିପରି ଭଣ୍ତିସାହି ଡଙ୍ଗା ଘାଟ ନିକଟରୁ ଶିଖରଘାଟ ପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବୁରୁଜ ନିର୍ମାଣ ହୋଇଛି। ୨ ଘାଟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବୁରୁଜ ନିର୍ମାଣ ସହ ନଦୀବନ୍ଧର ସୁଦୃଢୀକରଣ କାମ ହୋଇଥିଲା। କିନ୍ତୁ ମାସ କେତେଟା ମଧ୍ୟରେ ଏସବୁ ପଥର ବୁରୁଜ ନଷ୍ଟ ହେବାକୁ ବସିଲାଣି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ୩ ମାସ ପୂର୍ବେ ମରାମତି ହୋଇଥିବା ନଦୀ ପଠା ବର୍ତ୍ତମାନ ଦେବୀ ନଦୀରେ ଲୀନ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।

ଜଳସମ୍ପଦ ବିଭାଗ ନିଜ ଦୋଷ ଲୁଚାଇବା ପାଇଁ ବର୍ତ୍ତମାନ ବାଲି ବସ୍ତା ପକାଇ ତାଳି ପକା କାମ କରୁଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ହେଲା, ପୁରୁଣା ପଥର ଥିବା ସ୍ଥାନରେ ଅଳ୍ପକିଛି ନୂତନ ପଥର ବ୍ୟବହାର କରି କାର୍ଯ୍ୟ ଶେଷ କରି ଦିଆଯାଇଛି। ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସଲାସୁତୁରାରେ ଏସବୁ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ପ୍ରତିବର୍ଷ ଟେଣ୍ତର୍‌ କାର୍ଯ୍ୟ ସହିତ ବିଭାଗୀୟ ଅଧିକାରୀଙ୍କ ଚିଠା କାମରେ କାର୍ଯ୍ୟ କରାଯାଇ ସରକାରୀ ଟଙ୍କା ହରିଲୁଟ୍‌ କରାଯାଉଛି ବୋଲି କୋରୁଅ ପଞ୍ଚାୟତର କଂଗ୍ରେସ ନେତା ବିଜୟ ବେହେରା, ଭଣ୍ତିସାହି ବିକାଶ ପରିଷଦର ସଦସ୍ୟ ସୁବାସ ଚନ୍ଦ୍ର ସ୍ବାଇଁ, ଜନ୍ମେଜୟ ସ୍ବାଇଁ, ଆସନ୍ତ ସ୍ବାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ସମାନ ଅଭିଯୋଗ କରିଛନ୍ତି, ଶିଖର ପଞ୍ଚାୟତର ଦୋଳଗୋବିନ୍ଦ ଲେଙ୍କା, ପ୍ରଶାନ୍ତ ବାରିକ, ବାବୁଲି ପରିଡ଼ା, ଯୁବନେତା ମାନସ ସ୍ବାଇଁ। ଏନେଇ ନେଇ ଜଗତସିଂହପୁର ଜିଲ୍ଲା ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ ମହାନ୍ତିଙ୍କୁ ପଚାରିବାରୁ, ପଥର ବୁରୁଜ ପାଣିରେ ବୁଡ଼ିବ ବୋଲି ଉତ୍ତର ଦେଇଥିଲେ। ଭଣ୍ତିସାହି ଠାରେ ଦେବୀ ନଦୀ ପଠା ଖାଉଥିବା ସ୍ଥାନରେ ୧୦ ହଜାର ବାଲି ବସ୍ତା ଓ କାଠ ବଲ୍‌ହା ସାହାର୍ଯ୍ୟରେ କାମ ଜାରି ରହିଛି ବୋଲି କହିଥିଲେ। ଜଗତସିଂହପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର