ହଂସୁଆ ପୁନରୁଦ୍ଧାରରେ ୩ କୋଟି ଟଙ୍କାର ଦୁର୍ନୀତି!

ତାରପୁର: ଜଗତସିଂହପୁର ଡ୍ରେନେଜ୍‌ ବିଭାଗର ହଂସୁଆ ନଦୀ କଟକ ସଦର ବିରିବାଟୀ ନିକଟରୁ ବାହାରି ସମୁଦ୍ରରେ ମିଶିଛି। ଏହି ହଂସୁଆ ନଦୀ କଟକ ସଦର, ବିରିଡ଼ି, ରଘୁନାଥପୁର, ତିର୍ତୋଲ, ଏରସମା, କୁଜଙ୍ଗ ଆଦି ବ୍ଲକ୍‌ର ହଜାର ହଜାର ହେକ୍ଟର ଚାଷ ଜମିର ଉଦବୃତ୍ତ ଜଳ ନିଷ୍କାସନର ମୁଖ୍ୟ ମାଧ୍ୟମ। ରଘୁନାଥପୁର ବ୍ଲକ୍ ଜଇପୁର ଠାରୁ ବେଗୁନିଆ ପର୍ଯ୍ୟନ୍ତ ୩ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିଲେ ହେଁ ତାହା ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ହଂସୁଆ ଶଯ୍ୟାର ମାଟିକୁ ନାମକୁ ମାତ୍ର ତଡ଼ାଯାଇ ବନ୍ଧ କଡ଼ରେ ଲଦି ଦିଆଯାଉଛି। ଫଳରେ ନଦୀରେ ପାଣି ଆସିଲେ ତାହା ପୁଣି ସେହି ଶଯ୍ୟାରେ ପୋତି ହୋଇ ଯିବ। କେତେକ ସ୍ଥାନରେ କେବଳ ଏସ୍କାଭେଟର ମେସିନ୍ ଚଲାଇ ନିଆଯାଉଥିବାବେଳେ ଏହି ଶଯ୍ୟାରେ ଥିବା ଘାସ ମଧ୍ୟ ସଫା ହେଉନାହିଁ। ଏଥିରୁ ବାହାରୁଥିବା ପଙ୍କକୁ ଅନ୍ୟତ୍ର ନପକାଇ ଦୁଇପାର୍ଶ୍ବ ବନ୍ଧରେ ପକାଯାଉଛି। କିନ୍ତୁ ନାମକୁମାତ୍ର ପଙ୍କ ପଡ଼ୁଥିବାରୁ ବନ୍ଧ ଉଚ୍ଚା ହେଉନାହିଁ।

ତେଣୁ ସରକାରଙ୍କ ଟଙ୍କା ହଂସୁଆରେ ଭାସିଯିବ ବୋଲି ଆଲୋଚନା ହେଉଛି। ଏନେଇ ରଘୁନାଥପୁର ପଞ୍ଚାୟତ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ବେହେରା ଜଗତସିଂହପୁର ଜିଲ୍ଲାପାଳ, ଜଳସମ୍ପଦ ବିଭାଗର ସଚିବଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ବେହେରା ତଦାରଖ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେଦାୟିତ୍ବରେ ଥିବା ଯନ୍ତ୍ରୀ ଚିତ୍ତ ରଂଜନ ପାତ୍ର କହିଛନ୍ତି ଯେ ଠିକାଦାର କାମ ନକରି ବିଲ୍‌ କରାଇ ନେବାକୁ ଚାପ ପକାଉଛି। ତେବେ ଆମେ ମାତ୍ର ୧ କୋଟି ୨୦ ଲକ୍ଷ ଟଙ୍କା ବିଲ୍‌ କରିଛୁ। କାମ ଠିକ୍ ହୋଇନଥିବାରୁ ଅବଶିଷ୍ଟ ବିଲ୍‌ କରାଯିବ ନାହିଁ। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଭିଜିଲାନ୍ସ ତଦନ୍ତଭୁକ୍ତ କରାଯାଉ ବୋଲି ଛପଡ଼ା ସମିତିସଭ୍ୟ ରଂଜନ କୁମାର ସ୍ବାଇଁ, ତାପସ ପାତ୍ର, ଲକ୍ଷ୍ମଣ ଦାଶ, ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ଦାଶ, ରହିମ ଖାଁ ପ୍ରମୁଖ ଜଗତସିଂହପୁର ଜିଲ୍ଲାପାଳ, ବିଭାଗୀୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର