ବାଲିକୁଦା: ଉପକୂଳବାସୀଙ୍କୁ ସୁନାମି ଦାଉରୁ ସୁରକ୍ଷା ମିଳିବ। ନହରଣା ପଞ୍ଚାୟତ ଠାରୁ ବନ୍ଦର ସାମୁଦ୍ରିକ ଥାନା ପର୍ଯ୍ୟନ୍ତ ଦେବୀନଈ ବନ୍ଧକୁ ସୁଦୃଢ଼ କରାଯିବ। ୩ଟି ସ୍ଲୁଇସ୍‌ଗେଟ୍ ନିର୍ମାଣ ହେବ। ଚାଷୀଙ୍କ କ୍ଷେତକୁ ଯିବ ନଈର ମଧୁର ଜଳ। ଚାଷୀମାନେ ଫସଲ ଉତ୍ପାଦନ କରି ସ୍ବାବଲମ୍ବୀ ହେବେ। ଜଳସମ୍ପଦ ବିଭାଗ ପକ୍ଷରୁ ଏମିତି କିଛି ଯୋଜନା କରାଯାଇଥିଲା। ପ୍ରକଳ୍ପ ପାଇଁ ୩୩ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥା କାମ ଅଧା ଛାଡ଼ି ଚାଲିଯାଇଥିବାରୁ ଉପକୂଳବାସୀ ଆଶା ଓ ଆଶଙ୍କାରେ ରହିଛନ୍ତି। ୧୯୯୯ ମହାବାତ୍ୟା ସମୟରେ ବାଲିକୁଦା ବ୍ଲକ୍‌ର ସମୁଦ୍ର କୁଳିଆ ପଞ୍ଚାୟତ ମରିଚପୁର, କୁସୁପୁର, ନହରଣା, ଅନନ୍ତପୁର ପଞ୍ଚାୟତରେ ସମୁଦ୍ରର ଉଚ୍ଚ ସୁନାମି ଢେଉ ପ୍ରବେଶ କରିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ଯାହାଫଳରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ସୁନାମି ବନ୍ଧ ଯୋଜନାରେ ବାଲିକୁଦା ବ୍ଲକ୍ ନହରଣା ପଞ୍ଚାୟତ ଠାରୁ ବନ୍ଦର ସାମୁଦ୍ରିକ ଥାନା ପର୍ଯ୍ୟନ୍ତ ଦେବୀନଦୀ ବନ୍ଧକୁ ଉଚ୍ଚ ଓ ସୁଦୃଢ କରିବା ପାଇଁ ଯୋଜନା ହୋଇଥିଲା। ୩୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ପ୍ରକଳ୍ପ ନିର୍ମାଣ ପାଇଁ କ୍ଲାସିକ୍ ସୁପର୍ ପ୍ରାଇଭେଟ୍ କମ୍ପାନି ଦାୟିତ୍ବ ନେଇଥିଲା। କାର୍ଯ୍ୟାଦେଶ ଅନୁସାରେ ବଡ଼ବାଲି ଠାରୁ ବନ୍ଧକୁ ପ୍ରଶସ୍ତ ଓ ଉଚ୍ଚ କରିବା ସହ ରାସ୍ତା ମଧ୍ୟରେ ୩ଟି ସ୍ଲୁଇସ୍‌ଗେଟ୍ ନିର୍ମାଣ ହେବ। ଏହି ସ୍ଲୁଇସ୍‌ଗେଟ୍ ଦେଇ ଦେବୀନଦୀର ମଧୁର ଜଳ ବରମୁଣ୍ଡଳୀ, ନହରଣା ଓ ମରିଚପୁର ଅଞ୍ଚଳକୁ ଗଲେ ଚାଷୀମାନେ ଭଲ ଫସଲ ଉତ୍ପାଦନ କରିପାରିବେ ବୋଲି କୁହାଯାଇଥିଲା। କାରଣ ଏହି ଅଞ୍ଚଳକୁ କେନାଲ ସଂଯୋଗ ନାହିଁ। ଚାଷୀମାନେ ସମ୍ପୂର୍ଣ୍ଣ ବର୍ଷା ଉପରେ ନିର୍ଭର କରି ଧାନ ଚାଷ କରିତାନ୍ତି।

Advertisment

ଠିକ୍ ସମୟରେ ବର୍ଷା ନହେଲେ ମରୁଡ଼ି ସ୍ଥିତି ଉପୁଜିଥାଏ। ଏନେଇ ସ୍ଥାନୀୟ ଜନସାଧାରଣ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିବା ପରେ ସରକାର ଏପରି ଏକ ଯୋଜନା କରିଥିଲେ। ହେଲେ ଠିକା ସଂସ୍ଥା କେବଳ ରାସ୍ତାରେ ମାଟି ପକାଇ ଏହାକୁ ଉଚ୍ଚ ଓ ପ୍ରଶସ୍ତ କରିଥିବା ବେଳେ ଦୁଇଟି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ସ୍ଥାନରେ ଅଧା ଖୋଳି କାମ ଛାଡ଼ି ଚାଲିଯାଇଛି। ଏହା ମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ବି କାମ ଶେଷ ହୋଇନାହିଁ। ନଈରେ ବନ୍ୟା ପାଣି ଆସିବା ବେଳେ ଦେବୀନଈ ମଧ୍ୟ ବିପଦ ସଙ୍କେତ ଉର୍ଦ୍ଧ୍ବରେ ଥିଲା। କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ନକରି ବିଭାଗ ତାଳିପକା ନୀତିରେ  ଉକ୍ତ ସ୍ଥାନରେ ବାଲି ବସ୍ତା ପକାଇ ମରାମତି କରି କାମ ଚଳାଇ ନେଇଥିଲା। ବିଭାଗୀୟ ଉଚ୍ଚ ଅଧିକାରୀ ତଦାରଖ ଅଭାବ ଓ ଠିକାଦାରଙ୍କ ପ୍ରିୟାପ୍ରୀତି ତୋଷଣ ପାଇଁ ବର୍ତ୍ତମାନ ହଜାର ହଜାର ସାଧାରଣ ଜନତାଙ୍କ ଭାଗ୍ୟ ଦୁର୍ଭାଗ୍ୟ ମଧ୍ୟକୁ ଠେଲି ହୋଇଯିବାକୁ ବସିଛି। ଯଦି କୌଣସି ସ୍ଥିତିରେ ଏଠାରେ ଘାଇ ସୃଷ୍ଟି ହୋଇଥାନ୍ତା, ତେବେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା ବୋଲି ପ୍ରଶ୍ନ ଉଠିଛି। ଏନେଇ ବିଭାଗୀୟ ଯନ୍ତ୍ରୀ ଅନୀଲ କୁମାର ରାଉତରାୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଆମେ ଠିକାଦାରଙ୍କୁ ନୋଟିସ୍ କରିଛୁ।  ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି। ଠିକା ସଂସ୍ଥାକୁ ମାର୍ଚ୍ଚ ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏଥିରେ ଖିଲାପ ହୁଏ, ତେବେ ଆଇନ ଅନୁଯାୟୀ ଉକ୍ତ ସଂସ୍ଥାକୁ ଦଣ୍ଡିତ କରାଯିବା ସହ ଅନ୍ୟ ଏକ ଟେଣ୍ଡର୍ ମାଧ୍ୟମରେ କାମ ସମ୍ପୂର୍ଣ୍ଣ କରାଯିବ।

ସେମାନେ ଯାହା କୁହନ୍ତି...

ସ୍ଥାନୀୟ ନେତା ଓ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ନେତାମାନେ ନିଜର ସ୍ୱାର୍ଥ ସାଧନରେ ଲାଗିପଡ଼ିଛନ୍ତି। ଅଞ୍ଚଳର ସମସ୍ୟା ସମାଧାନ ପ୍ରତି କେହି ବି ଗୁରୁତ୍ବ ଦେଉ ନାହାନ୍ତି। ଯାହାଫଳରେ ଠିକାଦାର ଏବଂ ଯନ୍ତ୍ରୀମାନେ ବନ୍ଧ ନିର୍ମାଣ ପାଇଁ ଆସିଥିବା ଅର୍ଥ ହରିଲୁଟ୍ କରୁଛନ୍ତି। ଆମ ଅଞ୍ଚଳ ସୁନାମି ପ୍ରବଣ ହୋଇଥିବାରୁ ଲୋକମାନେ ଭୟରେ କାଳତିପାତ କରୁଛନ୍ତି। ସୁନାମି ବନ୍ଧ ନିର୍ମାଣ କାମ ଶେଷ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ।
- ତପନ କୁମାର ସ୍ୱାଇଁ, ସମାଜସେବୀ

ସୁନାମୀ ବନ୍ଧ ନିର୍ମାଣ କାମ ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି। ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟାରେ ଏହି ଅଞ୍ଚଳରେ ଯେପରି ବ୍ୟାପକ ଧନଜୀବନ ହାନି ଘଟିଥିଲା ଓ ହେକ୍ଟର ହେକ୍ଟର ଚାଷ ଜମି ଉପରେ ଲୁଣା ଜଳ ମାଡ଼ିଯାଇ ଚାଷ ଜମି କ୍ଷତିଗସ୍ତ ହୋଇଥିଲା, ଆଉଥରେ ସେମିତି ଏକ ବଡ଼ ବିପର୍ଯ୍ୟୟ ଘଟିବା ପୂର୍ବରୁ ଏହି ବନ୍ଧ ଏବଂ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ନିତାନ୍ତ ଜରୁରି। ଏହି ଅସମ୍ପୂର୍ଣ୍ଣ କାମକୁ ଶେଷ କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ।
- ରୁଦ୍ର ନାରାୟଣ ପ୍ରଧାନ, ଗଣ୍ଡକୁଳ

ତଳମାଳ ଅଞ୍ଚଳ ବାରମ୍ବାର ଉପେକ୍ଷିତ ହେବାର ଆଉ ଏକ ଉଦାହରଣ। ତିନି ବର୍ଷ ତଳୁ ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ସୁନାମି ବନ୍ଧ ନିର୍ମାଣ ପ୍ରଥମରୁ ହିଁ ନିମ୍ନମାନର କାମ ପାଇଁ ଚର୍ଚ୍ଚାରେ ଥିଲା। ଅଞ୍ଚଳବାସୀ ସ୍ୱର ଉତ୍ତୋଳନ କରିବା ପରେ ଠିକାଦାର ଅଧାରୁ କାମ ଛାଡ଼ି ଚାଲିଯାଇଛନ୍ତି। ନିର୍ମାଣାଧୀନ ସ୍ଥାନରେ ୧୦ ବର୍ଷ ତଳେ ଦେବୀ ନଦୀରେ ବିରାଟ ଘାଇ ସୃଷ୍ଟି ହୋଇଥିଲା। ବାରମ୍ବାର ଜଳ ସମ୍ପଦ ବିଭାଗକୁ ଜଣାଇଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳୁନି। ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ପାଇଁ ଏପରି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି ବୋଲି ଅନୁଭବ କରୁଛି।
- ଡାକ୍ତର ଶଶାଙ୍କ ଶେଖର ସାହାଣୀ,
ବିଜେପି ନେତା, ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ