ହାତୀ ସାଙ୍ଗକୁ ବାରହା ଓ ମାଙ୍କଡ ଆତଙ୍କ; ଚାଷୀ ହତାଶ

ଗଡ଼ପୋଷ: ବାମରା ବନ୍ୟପ୍ରାଣୀ ବନଖଣ୍ଡ ଗଡ଼ପୋଷ ବନାଞ୍ଚଳରେ ଦୀର୍ଘ ବର୍ଷରୁ ହାତୀ ଆତଙ୍କ ଲାଗି ରହିଥିବା ବେଳେ ଚଳିତ ବର୍ଷ ବାର୍‌ହା ଓ ମାଙ୍କଡ଼ଙ୍କ ଉତ୍ପାତ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି।

ଚାଷ କାମ ଆରମ୍ଭ ହେବା ପରଠାରୁ  ସୁନ୍ଦରଗଡ଼, ବଣେଇ ଓ ରାଉରକେଲା ଡିଭିଜନ୍‌ରୁ ୩୦ରୁ ୪୦ ହାତୀ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଇଛନ୍ତି। ମାତ୍ର ଚଳିତ ବର୍ଷ ପୂର୍ବବର୍ଷ ଅପେକ୍ଷା ହାତୀଙ୍କ ଆତଙ୍କ କମ ରହିଥିଲା।

ତେବେ ବାର୍‌ହା ଓ ମାଙ୍କଡ଼ ଉତ୍ପାତ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଗଡ଼ପୋଷ, ପିଣ୍ଡାପଥର, ସଗରା, କିନାବଗା ଓ ରବଗା ପଞ୍ଚାୟତରେ ବାର୍‌ହା ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀ ପଲକୁ ସହଜରେ ଠାବ କରି ଘଉଡାଇବା ସମ୍ଭବ ହେଉଥିବା ବେଳେ ବାର୍‌ହାଙ୍କୁ ଠାବ କରିବା କଷ୍ଟକର। ବିଳମ୍ବିତ ରାତିରେ ଏକା ସାଙ୍ଗରେ ଶତାଧିକ ବାର୍‌ହା ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଅମଳକ୍ଷମ ଫସଲ ନଷ୍ଟ ହେଉଥିବାରୁ ଚାଷୀ ହତାଶ ହୋଇ ପଡ଼ିଛନ୍ତି। ଅନୁରୂପ ଭାବେ ପିଣ୍ଡାପଥର ଓ ରବଗା ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଉତ୍ପାତ ଚିନ୍ତାର ବିଷୟ ହୋଇଛି।

ବିଶେଷ କରି ପିଣ୍ଡାପଥର ଅଞ୍ଚଳରେ ନିକଟସ୍ଥ ମହାବୀର ପର୍ବତରୁ ଶହଶହ ମାଙ୍କଡ଼ ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି। ଏକା ସାଙ୍ଗରେ ବହୁ ସଂଖ୍ୟକ ମାଙ୍କଡ଼ ଓ ବାର୍‌ହା ବିଲରେ ପଶୁଥିବାରୁ ଫସଲ ଦଳାଚକଟାରେ ନଷ୍ଟ ହେଉଛି। ତେବେ ଗତ ଚାରି ଦିନରୁ ପୁଣି ୭ ଜଣିଆ ହାତୀ ପଲ ରବଗା ଓ କିନାବଗା ପଞ୍ଚାୟତ ଅଞ୍ଚଳରେ କ୍ଷୟକ୍ଷତି ଘଟାଇ ଚାଲିଛନ୍ତି। ଫଳରେ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ କ୍ଷତିପୂରଣ ଦେବା ପରିବର୍ତ୍ତେ ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର