ଖାଦ୍ୟ ପାଇଁ ଆସି ମାଙ୍କଡ଼ର ପ୍ରାଣ ଚାଲିଗଲା

ଜୟପୁର: ଖାଦ୍ୟ ପାଇଁ ଆସି ମାଙ୍କଡ଼ର ପ୍ରାଣ ଚାଲିଗଲା । ଜାତୀୟ ରାଜପଥ ୩୨୬ର ପାତ୍ରପୁଟ ବ୍ରିଜ୍ ନିକଟରେ ଏଭଳି ଘଟଣାଟି ଘଟିଛି। ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ବନ୍ୟଜନ୍ତୁମାନଙ୍କୁ ମିଳୁ ନାହିଁ। ଖାସ୍ କରି ମାଙ୍କଡ଼ ପଲ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଗତ କାଲି ରାତିରେ ଖାଦ୍ୟ ପାଇଁ ରାସ୍ତା ଉପରକୁ ମାଙ୍କଡଟି ରାସ୍ତା ଉପରକୁ ଚାଲିଆସିଥିଲା। ଅଚାନକ ଭାବେ ଗୋଟିଏ ଗାଡି ମାଙ୍କଡ଼ଟିକୁ ପଛ ପଟରୁ ଧକ୍କା ଦେଇଥିଲା। ଏଥିରେ ମାଙ୍କଡଟି ଗୁରୁତର ଭାବେ ଆହତ ହୋଇଥିଲା। ଏ ନେଇ ‘ୱାରଟିମ୍ ’ର କୃଷ୍ଣ କେଶବ ଷଡଙ୍ଗୀ ଖବର ପାଇ ମାଙ୍କଡକୁ ଉଦ୍ଧାର କରି ଆଣିଥିଲେ। ଆଜି ତାକୁ ବ୍ଲକ ପଶୁ ଡାକ୍ତର ଡ. ଲୀନା କାଲା ଚିକିତ୍ସା କରୁଥିବା ସମୟରେ ମୃତ୍ୟୁବରଣ କରିଥିବା କହିଛନ୍ତି ।

ଖାଦ୍ୟ ଅନ୍ବେଷଣରେ ମାଙ୍କଡ଼ ପଲ କୋରାପୁଟ ଘାଟି, ପାତ୍ରପୁଟ ବ୍ରିଜ୍ , ଟାଙ୍ଗିନୀଗୁଡା , ପେଟାଘାଟିରେ ରାସ୍ତା ଉପରେ ରହୁଛନ୍ତି। ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ମୁଢ଼ି , ଚଣା, କଦଳୀ, ବିସ୍କୁଟ, ରୋଟି ଆଦି ରାସ୍ତା ଉପରେ ହିଁ ପକାଉଛନ୍ତି। ଏହାକୁ ଖାଇବା ପାଇଁ ମାଙ୍କଡ ପଲ ରାସ୍ତା ଉପରକୁ ଅଚାନକ ପଳାଇ ଆସିବା ସମୟରେ ଛୋଟ ବଡ ଦୁର୍ଘଟଣା ହେଉଛି। ଏପରି ଖାଦ୍ୟ ରାସ୍ତା ଉପରେ ନ ପକାଇବାକୁ ବନବିଭାଗ ପକ୍ଷରୁ ବି ଚେତାବନୀ ଦେଇ ସଚେତନତା ବୋର୍ଡ ଲଗାଯାଇଛି ବୋଲି କହିଛନ୍ତି ରେଂଜର ରଂଜିତା ନାୟକ।

ଏଭଳି ବିଭିନ୍ନ ଗାଡିର ଯାତ୍ରୀ ମାନେ ରାସ୍ତା ଉପରେ ଖାଦ୍ୟ ପକାଇ ମାଙ୍କଡପଲକୁ ବିପଦସଂକୁଳ ସ୍ଥିତିକୁ ନ ଠେଲନ୍ତୁ ଏବଂ ଏଭଳି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ୱାଇଲଡ୍ ଲାଇଫ୍ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଷଡଙ୍ଗୀ ବନବିଭାଗ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର