ମାସେ ବ୍ୟାପୀ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ମହକୁମାରେ ମାସେ ବ୍ୟାପୀ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଅବସରରେ ସଡ଼କ ପରିବହନ ଓ ପୁଲିସ୍ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।

୧୮ ତାରିଖ ଠାରୁ ଫେବ୍ରୁଆରି ୧୭ ତାରିଖ ଯାଏଁ ହେବାକୁ ଥିବା ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଆଜି ଖୋର୍ଦ୍ଧାରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ପୂର୍ବାହ୍ନ ସାଢ଼େ ୯ଟାରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ନୂଆବସଷ୍ଟାଣ୍ଡ ଦେଇ ଷ୍ଟେଟବ୍ୟାଙ୍କ ଛକରେ ପହଞ୍ଚିଥିଲା।

ଏହି ରାଲିରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଓ ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ ଅତିଥୀ ଭାବେ ଯୋଗ ଦେଇଥିଲେ । ରାଲିରେ ସ୍ୱେଚ୍ଛାସେବୀ, ପୁଲିସ୍ କର୍ମଚାରୀଙ୍କ ସମେତ ରିଜର୍ଭ ଇନ୍ସପେକ୍ଟର ନାଗେଶ ଜେନା ଯୋଗ ଦେଇଥିଲେ । ରାଲିକୁ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ବୃନ୍ଦାବନ ସାହୁ ଓ ଏମଭିଆଇ ଅମିତ କୁମାର ରଣା ପରିଚାଳନା କରିଥିଲେ ।

ଏହାସହ ଏକ ସଡ଼କ ସୁରକ୍ଷା ସଚେତନତା ରଥ ମଧ୍ୟ ବାହାରିଥିଲା । ଏହି ରଥ ଖୋର୍ଦ୍ଧା ସହର ପରିକ୍ରମା କରିବା ସହ ବିଭିନ୍ନ ଛକ ଓ ପ୍ରମୁଖ ସ୍ଥାନଗୁଡ଼ିକରେ ନାଚଗୀତ ମାଧ୍ୟମରେ ଲୋକଙ୍କୁ ସଡ଼କରେ ଗାଡ଼ି ଚଲାଇବା, ଗାଡ଼ି ଚଲାଇବା ସମୟରେ ନିଶା ନଖାଇବା, ହେଲମେଟ ପିନ୍ଧିବା ଆଦି ନିୟମ ସମ୍ପର୍କରେ ସଚେତନ କରାଇଥିଲେ । ଏହାସହ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭାରିଯାନ ଚାଳକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥିରେ ୨୭ଜଣ ଗାଡ଼ିଚାଳକ ନିଜ ଚକ୍ଷୁ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ଠାରୁ ଆବଶ୍ୟକ ପରାମର୍ଶ ନେଇଥିଲେ ।

ସମ୍ବନ୍ଧିତ ଖବର