କଳାହାଣ୍ଡିରେ ଚିନ୍ତା ବଢ଼ାଇଲେଣି ପ୍ରବାସୀ: ପଂଜୀକୃତ ହୋଇଛନ୍ତି ୪୦ ହଜାରରୁ ଉର୍ଦ୍ଧ୍ୱ, ଆସିଲେଣି ୧୪୯୬ ଜଣ
ଜିଲ୍ଲାର ବିଭିନ୍ନ ସୀମାରେ ବିନା ସୂଚନାରେ ପଶିଲେଣି ପ୍ରବାସୀ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ଏପ୍ରିଲ ୨୭ ତାରିଖ ଠାରୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଲୋକେ ଜିଲ୍ଲା ଭିତରକୁ ପ୍ରବେଶ କଲେଣି । ବିଭିନ୍ନ ରାଜ୍ୟରୁ ପାଦରେ ଚାଲି ଏବଂ ନିଜସ୍ୱ ଗାଡ଼ିରେ ଜିଲ୍ଲା ପ୍ରଶାସନକୁ ନଜଣାଇ ପସି ଆସୁଥିବା ପ୍ରବାସୀଙ୍କ ପାଇଁ ଜିଲ୍ଲାବାସୀ ଚିନ୍ତାରେ ପଡିଛନ୍ତି । ଏପର୍ଯ୍ୟନ୍ତ ଜିଲ୍ଲାକୁ ଆସିବା ପାଇଁ ୪୦ହଜାର ୧୫୫ ଜଣ ପଂଜୀକରଣ କରିଥିବା ବେଳେ ୧୪୯୬ ଜଣ ଆସି ସାରିଲେଣି । ଜିଲ୍ଲା ପ୍ରଶାସନର ଅଗୋଚରରେ ଓ ବିନା ପଂଜୀକରଣରେ ଜିଲ୍ଲାକୁ ଆସୁଥିବା ପ୍ରବାସୀଙ୍କ ପାଇଁ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ୪୦ ହଜାର ୧୫୫ ଜଣ ପ୍ରବାସୀ କଳାହାଣ୍ଡି ଆସିବା ପାଇଁ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୨୫୮ ଜଣ ପୁରୁଷ ଓ ୨୩୮ ଜଣ ମହିଳା ସମେତ ୧୪୯୬ ଜଣ ପ୍ରବାସୀ ଜିଲ୍ଲାରେ ପହଞ୍ଚି ସାରିଛନ୍ତି । ଏମାନଙ୍କୁ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଛି । ବାହାର ରାଜ୍ୟର ଛତିଶଗଡ଼, ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, କେରଳ, ଗୁଜରାଟ , ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ପ୍ରବାସୀ ଆସିଛନ୍ତି ।
ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ମହାରାଷ୍ଟ୍ରରୁ ୨୦୮ ଜଣ ଆସିଥିବା ବେଳେ ସେମାନଙ୍କୁ ଭବାନୀପାଟଣା ଓ ଗୋଳାମୁଣ୍ଡା ବ୍ଳକର ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଛି । ଏମାନଙ୍କୁ ୫ଟି ବସ ଯୋଗେ ଟିଟିଲାଗଡ଼ରୁ ଅଣାଯାଇଥିଲା । ସେହିଭଳି ତେଲେଙ୍ଗାନା ରୁ ୨୧୩ ଜଣ ଦାଦନ ଆସିଥିବା ବେଳେ ପଶ୍ଚିମବଙ୍ଗ ରୁ ୧୨ ଜଣ ଆସିଥିଲେ । ସମୁଦାୟ ୨୨୦ ଜଣ ବିଭିନ୍ନ ଅଞ୍ଚଳରୁ ଆସିଛନ୍ତି । ତେଲେଙ୍ଗାନା ସମେତ ବିଭିନ୍ନ ଅଞ୍ଚଳରୁ ୨୪୩ ଜଣ ଜିଲ୍ଲାରେ ଆସି ପହଁଚିଛନ୍ତି । ଗୋଳମୁଣ୍ଡା ବ୍ଲକର ୧୦୪ ଜଣ, ଭବାନୀପାଟଣା ବ୍ଲକର ୧୫ ଜଣ, ଧର୍ମଗଡ଼ ବ୍ଲକର ୨ ଜଣ, ଜୁନାଗଡ଼ ବ୍ଲକର ୨ ଜଣ, କଲମପୁର ବ୍ଲକର ୧୦ ଜଣ, କୋକସରା ବ୍ଲକର ୯ ଜଣ, ନର୍ଲା ବ୍ଲକର ୫ ଜଣ, ଭବାନୀପାଟଣା ମ୍ୟୁନିସିପାଲଟିର ୬୦ ଜଣ, କେସିଙ୍ଗା ଏନଏସିର ୬ ଜଣ, ଜୁନାଗଡ଼ ଏନଏସିର ୪ ଜଣ, ଧର୍ମଗଡ଼ ଏନଏସିର ୨୬ ଜଣ ଆଜି ପହଞ୍ଚି ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଏହା ବ୍ୟତିତ ପାଦରେ ଚାଲି ଚାଲି ବିଭିନ୍ନ ରାଜ୍ୟରୁ ଜିଲ୍ଲାରେ ପ୍ରବେଶ କରି ସାରିଛନ୍ତି ।
ବହୁ ଲୋକଙ୍କ ଖବର ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ନାହିଁ । ଏପରିକି ଜିଲ୍ଲାପାଳ ଦାୟିତ୍ବରେ ଥିବା ସରପଞ୍ଚ ବାବୁ ମାନେ ମଧ୍ୟ ଜିଲ୍ଲା ପ୍ରଶାସନକୁ ଅନ୍ଧାର ରେ ରଖୁଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ଆବଶ୍ୟକ ଉପକରଣ କାଗଜ କଲମରେ ଦର୍ଶାଉ ଥିବା ବେଳେ ଲୋକଙ୍କ ରହିବା ପାଇଁ ଆବଶ୍ୟକ ସୁବିଧା ନଥିବା ଅଭିଯୋଗ ହୋଇଛି । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନ ଥିବା ଯୋଗୁଁ ସଙ୍ଗରୋଧ କେନ୍ଦ୍ରରେ ଥିବା ଲୋକେ ବହୁ ସ୍ଥାନରେ ସନ୍ଧ୍ୟା ହେଲେ ଘରକୁ ଚାଲି ଯାଉଥିବା ନଜିର ଦେଖିବାକୁ ମିଳିଛି । ଗୋଟିଏ ପଟେ ପଞ୍ଚାୟତ ମାନଙ୍କୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ଅନୁମତି ମିଳିଥିବା ବେଳେ ନିମ୍ନ ମାନର ଖାଦ୍ୟ ଏବଂ ଆବଶ୍ୟକ ସୁବିଧା ନଥିବା ଘଟଣା ଜିଲ୍ଲାବ୍ୟାପୀ ତଦନ୍ତ ସାପେକ୍ଷ ଅଟେ । ଗୋଟିଏ ପଟେ ବିନା ସୂଚନାରେ ଆସୁଥିବା ପ୍ରବାସୀଙ୍କ ଚିନ୍ତା ଓ ଅନ୍ୟ ପଟେ ସଙ୍ଗରୋଧ କେନ୍ଦ୍ର ର ଅବ୍ୟବସ୍ଥା ଏବଂ ସେମାନଙ୍କ ଅବାଧ ମିଳାମିଶା ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ତୁରନ୍ତ ରାଜ୍ୟ ସରକାର ଏ ନେଇ ହସ୍ତକ୍ଷେପ କରିବାକୁ ସାଧାରଣ ରେ ଦାବୀ ହୋଇଛି ।