ରାୟଗଡ଼ା: ଡେଙ୍ଗୁ ବେକାବୁ, ଆଉ ୧୧ ପଜିଟିଭ୍ ପରେ ଆକ୍ରାନ୍ତ ସଂଖ୍ୟା ୪୦କୁ ବୃଦ୍ଧି

ସ୍ଥିତି ଅନୁଧ୍ୟାନ କଲେ ସିଡିଏମଓ, ଏଡିଏମଓ, ସଚେତନତାର ଅଭାବ, ସାହିକୁ ସାହି ବ୍ୟାପୁଛି

ରାୟଗଡ଼ା: ଶିକରପାଇରେ ଡେଙ୍ଗୁ ଆକ୍ରାନ୍ତଙ୍କ ସ୍ଥିତି ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛି ସ୍ବାସ୍ଥ୍ୟ ବିଭାଗ। ମଙ୍ଗଳବାର, ବୁଧବାର ସଂଗ୍ରହ ହୋଇଥିବା ୩୦ ରକ୍ତ ନମୁନା ମଧ୍ୟରୁ ୧୧ ନମୁନା ପଜିଟିଭ୍ ଆସିବା ପରେ ଶିକରପାଇ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଲାଲମୋହନ ରାଉତରାୟ। ସଚେତନତା ଅଭାବରୁ ଗୋଟିଏ ସାହିରୁ ଅନ୍ୟ ସାହିକୁ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ନାଳ, ନର୍ଦ୍ଦମା ଓ ସାହି ପରିମଳ ବ୍ୟବସ୍ଥା ନ ସଜାଡ଼ିଲେ ସ୍ଥିତି ଆହୁରି ବିଗିଡ଼ି ଯିବା ନେଇ ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି। ଆଜି ସୁଦ୍ଧା କେବଳ ଶିକରପାଇରୁ ୪୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ଯୁଦ୍ଧାକାଳୀନ ଭିତ୍ତିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିକରପାଇର ସମସ୍ତ ସାହିବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି। ସେହିପରି ପଡ଼ିଆ, ଅଳିଆ, ଆବର୍ଜନାପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇ ମଶାବଂଶ ବୃଦ୍ଧିରେ ସହାୟକ ହେଉଥିବା ଟାୟାର୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ଘରକୁ ଘର ବୁଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାଉତରାୟ ଏବଂ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡଃ. ବି.ଏଲ୍.ଏନ୍. ପୃଷ୍ଟି ଲୋକଙ୍କୁ ସଚେତନ କରିଛନ୍ତି। ଆକ୍ରାନ୍ତ ପରିବାର ସହ ଆଲୋଚନା କରି କେବଳ ସରକାରୀ ମେଡ଼ିକାଲରେ ଚିକିତ୍ସିତ ହେବା ସହ ଡାକ୍ତରଙ୍କ ପରାମର୍ଶ ମେଡ଼ିସିନ୍ ସେବନ କରିବାକୁ କୁହାଯାଇଛି। ଆକ୍ରାନ୍ତ ସଂଖ୍ୟା ବଢ଼ିବା ପରେ ଶିକରପାଇରେ କିଛି କ୍ବାକ୍ ପହଞ୍ଚି ଲୋକଙ୍କୁ ଠକି ନକଲି ଇ‌ଞ୍ଜେକସନ୍ ପ୍ରଦାନ କରୁଥିବା ସ୍ବାସ୍ଥ୍ୟ ବିଭାଗ ଅବଗତ ହୋଇଛି। କ୍ବାକଙ୍କ ଉପରେ ନଜର ରଖିବାକୁ ସ୍ଥାନୀୟ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଏଥି ସହିତ କ୍ବାକ୍ ପାଖକୁ ନ ଯିବା ପାଇଁ ଆକ୍ରାନ୍ତ ପରିବାରକୁ ସ୍ବାସ୍ଥ୍ୟ ବିଭାଗ ନିବେଦନ କରିଛି। ଶିକରପାଇକୁ ଛାଡ଼ିଲେ ଜିଲ୍ଲାର ଅନ୍ୟ କିଛି ଅଞ୍ଚ‌ଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରୁ ମୋଟ ୫୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି।

ସମ୍ବନ୍ଧିତ ଖବର