ମୁମ୍ବାଇରେ ଫସିଛନ୍ତି ଶତାଧିକ ଓଡ଼ିଆ ଦାଦନ, ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କଲେ ନିବେଦନ

ଖଡିଆଳ: ନୂଆପଡା ଜିଲା ଖଡିଆଳ ବ୍ଲକ ଓ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଶତାଧିକ ଶ୍ରମିକ ସୁଦୂର ମୁମ୍ବାଇ ସହରରେ ଫସି ରହିଥିବା ଜଣାପଡ଼ିଛି । କରୋନା ଭାଇରସ ଯୋଗୁଁ ଗତ ୨୫ ତାରିଖ ଠାରୁ ଭାରତ ସଂପୂର୍ଣ୍ଣ ରୂପେ ଲକଡାଉନ ଘୋଷଣା ହେବା ପରେ ଏମାନେ ଓଡ଼ିଶାକୁ ଫେରିବା ପାଇଁ ଉଦ୍ୟମ କରୁଛନ୍ତି ।  ସେଥିପାଇଁ ଏହି ଦାଦନ ଶ୍ରମିକମାନେ ଓଡ଼ିଶା ସରକାରଙ୍କୁ ଉଦ୍ଧାର ଲାଗି ନିବେଦନ କରିଛନ୍ତି । ଓଡିଶା ସରକାର ସେମାନଙ୍କୁ ଉଦ୍ଧାର କରି ନିଜ ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

ସୂଚନା ଅନୁସାରେ ଖଡିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ, ଚଚରାଭଟା, ବଙ୍କାପୁର, ଖଇରଭାଡି ସହ ବଙ୍ଗୋମୁଣ୍ଡା ବ୍ଲକର ଶ୍ରୀରାମ ଗ୍ରାମର ଶ୍ରମିକମାନେ ଗତ ୬ ମାସ ପୂର୍ବେ ମୁମ୍ବାଇକୁ ଦାଦନ ଖଟିବାକୁ ଯାଇଥିଲେ । ମୁମ୍ବାଇ ସହରର ଉଆଁସିସ୍ଥିତ ଉମରା କମ୍ପାନିରେ ଶ୍ରମିକ ଭାବରେ କାମ କରୁଥିଲେ । ହେଲେ ମହାମାରୀ କରୋନା ପରେ କେନ୍ଦ୍ର ସରକାରଙ୍କ ଲକଡାଉନ ପରେ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି । ସେମାନଙ୍କୁ କମ୍ପାନି କିମ୍ବା ମୁମ୍ବାଇ ମହାନଗର ପ୍ରଶାସନ କୌଣସି ପ୍ରକାର ସହଯୋଗ କରୁନଥିବା ବେଳେ ଏକ ପରିତ୍ୟକ୍ତ କୋଠାରେ ପଡି ରହିଛନ୍ତି । ହୋଟେଲ ଖୋଲା ନଥିବାରୁ ଭୋକ ଉପାସରେ ଦିନ ବିତାଉଛନ୍ତି । ରାଜ୍ୟ ସରକାର ତୁରନ୍ତ ଉଦ୍ଧାର କରନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର