ରାୟଗଡ଼ା: ପୌର ନିର୍ବାଚନ ବିଗୁଲ୍ ବାଜିବା ପରେ ଚଳଚଞ୍ଚଳ ହୋଇଛି ବିଜେଡ଼ି ଶିବିର। ମାର୍ଚ୍ଚ ୨ରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ କାଉନସିଲର, ଅଧ୍ୟକ୍ଷ ପଦବି ଲାଗି ପ୍ରାର୍ଥୀ ଚୟନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଦଳର ନେତା। କାଉନସିଲର ଅପେକ୍ଷା ଚଳିତ ନିର୍ବାଚନରେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ଅଧ୍ୟକ୍ଷ ଆଶାୟୀ। ରାୟଗଡ଼ା ପୌରାଧ୍ୟକ୍ଷ ପଦବି ପାଇଁ ଡଜେନରୁ ଅଧିକ ଆଶାୟୀ ଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍।
୨୪ ୱାର୍ଡ ବିଶିଷ୍ଟ ରାୟଗଡ଼ା ପୌର ପରିଷଦ ଲଗାତାର ୨୫ ବର୍ଷ ଧରି ବିଜେଡ଼ି ଅକ୍ତିଆରରେ ରହି ଆସୁଛି। ପୂର୍ବ ନିର୍ବାଚନରେ କାଉନସିଲରଙ୍କ ବହୁମତରେ ପୌରାଧ୍ୟକ୍ଷ ନିର୍ବାଚିତ ହେଉଥିଲେ। ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷ ପଦବି ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ଗୌଣ ହୋଇଛି କାଉନସିଲରଙ୍କ ଭୂମିକା। ବହୁ ଆଶାୟୀ ନେତା କୌଣସି ଦଳୀୟ ଟିକେଟ୍ ନ ମିଳିଲେ ମଧ୍ୟ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ସାରିଛନ୍ତି। ଶାସକ ବିଜେଡ଼ି ରାୟଗଡ଼ା ସହରବାସୀଙ୍କ ଫେଭିରେଟରେ ଥିବାରୁ ସଭିଁଏ ବିଜେଡ଼ି ଟିକେଟ୍ ପଛରେ ପଡିଛନ୍ତି। ଆଶାୟୀ ତାଲିକାରେ ଶିକ୍ଷାବିତ୍, ଆଇନଜୀବୀ, ଉଦ୍ୟୋଗପତି, ବ୍ୟବସାୟୀ, ସମାଜସେବୀ ଓ ରାଜନୀତିରେ ଅଭିଜ୍ଞତା ଥିବା ନେତା ଅଛନ୍ତି। ଆଶାୟୀ ବିଭିନ୍ନ ମାଧ୍ୟମରେ ବିଜେଡ଼ି ଟିକେଟ୍ ହାତେଇବାକୁ ପ୍ରୟାସ ଚଳାଇଥିବା ବେଳେ ଭୋଟରଙ୍କ ମତ ଅନୁଯାୟୀ ପ୍ରାର୍ଥୀ ଚୟନକୁ ଗୁରୁତ୍ବ ଦେଇଛନ୍ତି ବିଜେଡ଼ିର ତୁଙ୍ଗ ନେତା ତଥା ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। କାଉନସିଲର ସମେତ ଅଧ୍ୟକ୍ଷ ପ୍ରାର୍ଥୀ ଚୟନ ପାଇଁ ସାଂସଦ ଶ୍ରୀ ରାଓଙ୍କ ନେତୃତ୍ବରେ ୭ ଜଣିଆ ସ୍କ୍ରିନିଂ କମିଟି ଗଠନ ହୋଇଛି। ୱାର୍ଡୱାରୀ ସ୍କ୍ରିନିଂ କମିଟି ବୁଲି ଭୋଟରଙ୍କୁ ଏକାଠି କରି ମତ ସଂଗ୍ରହ କରିବା ଆରମ୍ଭ କରିଛି।
୨୪ଟି ୱାର୍ଡରୁ ୯ଟି (୪, ୫, ୭, ୯, ୧୫, ୧୭, ୧୮, ୧୯, ୨୨ ନଂ) ୱାର୍ଡ ଅଣସଂରକ୍ଷିତ ରହିଛି। ସେହିପରି କେବଳ ମହିଳାଙ୍କ ପାଇଁ ୮ଟି (୩, ୧୨, ୧୩, ୧୬, ୨୦, ୨୧, ୨୩ ନଂ) ୱାର୍ଡ ସଂରକ୍ଷିତ ରହିଛି। ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୨ଟି (୧, ୧୧ ନଂ) ୱାର୍ଡ ଏବଂ ଅନୁସୂଚିତ ଜାତି ପାଇଁ ୨୪ ନଂ ୱାର୍ଡ ସଂରକ୍ଷିତ ରହିଛି। ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୨ଟି (୨, ୧୪ ନଂ) ୱାର୍ଡ ଏବଂ ଅନୁସୂଚିତ ଜନଜାତି ବର୍ଗ ପାଇଁ (୬, ୧୦ ନଂ) ୱାର୍ଡ ସଂରକ୍ଷିତ ରହିଛନ୍ତି। ଅଣସଂରକ୍ଷିତ ଥିବା ଅଧିକାଂଶ ୱାର୍ଡରେ କାଉନସିଲର ଚୟନ କ୍ଷେତ୍ରରେ ବିଜେଡ଼ିକୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଅଧ୍ୟକ୍ଷ ପଦବି ପାଇଁ ଟିକେଟ୍ ଲବିରେ ବିଜେଡ଼ିର ବରିଷ୍ଠ ନେତା ପୂର୍ବତନ ଉପାଧ୍ୟକ୍ଷ ବ୍ରଜ ସୁନ୍ଦର ନାୟକ, ୟାଲା. ଭେଙ୍କେଟେଶ୍ବର ରାଓ (କୋଣ୍ଡା ବାବୁ), ନଗର କାର୍ଯ୍ୟକାରୀ ସଭାପତି ଏମ୍. ଗଙ୍ଗାଧର ରାଓ, ରାଜ୍ୟ ମହିଳା ବିଜେଡ଼ିର ଉପସଭାନେତ୍ରୀ ସୁଜାତା ପାଳ ଟିକେଟ୍ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି। ସେହିପରି ଅଧ୍ୟକ୍ଷ ପଦବିରେ କୌଣସି ଦଳୀୟ ଟିକେଟ୍ କିମ୍ବା ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ସହରର ଶିକ୍ଷାବିତ୍ ତଥା ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର ନିର୍ଦେଶକ ରାଜେଶ ପାଢ଼ୀ, ସମାଜସେବୀ ଶିବାଜୀ ଦାଶ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଦୁଷ୍ମନ୍ତ କୁମାର ମହାନ୍ତି, ଉଦ୍ୟୋଗପତି ନରିନ୍ କୁମୁନ୍ଦନ, ଆଇନଜୀବୀ ଲାବଣ୍ୟମୋହନ ପଟ୍ଟନାୟକଙ୍କ ସମେତ ଡଜେନରୁ ଅଧିକ ଆଶାୟୀ ପ୍ରସ୍ତୁତି ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/RGD_BJD-Urban-Election.jpg)