ଦାଦନ ମୁହାଁ ନାବାଳକ! ଷ୍ଟେସନରୁ ୬ମାସରେ ଉଦ୍ଧାର ହେଲେଣି ୧୫୦ରୁ ଅଧିକ

ରାଉରକେଲା: କରୋନା ଛଡାଇ ନେଇଛି ଅନେକଙ୍କ ‌ରୋଜଗାର। କାମ ନ ପାଇ ହାତବାନ୍ଧି ବସିଛନ୍ତି ଶହ ଶହ ଗରିବ ପରିବାର। ଏଭଳି ସଙ୍କଟମୟ ସ୍ଥିତିର ଭରପୁର ଫାଇଦା ଉଠାଉଛନ୍ତି ଜିଲ୍ଲାରୁ ଶ୍ରମିକ ଚାଲାଣ କରୁଥିବା ଦଲାଲମାନେ। ସେମାନଙ୍କର ସହଜ ଟାର୍ଗେଟ ପାଲଟିଛନ୍ତି ନାବାଳକମାନେ। ପରିବାର ଲୋକଙ୍କୁ ହଜାର ଦୁଇ ହଜାର ଟଙ୍କା ହେଉ ଅବା ଅନ୍ୟ କିଛି ସହାୟତା ଦେଇ ସେମାନଙ୍କ ନାବାଳକ ପିଲାଙ୍କୁ ମୋଟା ଅଙ୍କର ରୋଜଗାର ଲୋଭ ଦେଖାଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। କାହାକୁ ପରଘରେ ଲୁଗାପଟା ସଫା କରିବା କାମ ଦେଉଛନ୍ତି ତ ପୁଣି କାହାକୁ ଇଟା ଭାଟି, ହୋଟେଲ ବା ଢ଼ାବା ଆଦିରେ କାମରେ ଲଗାଇ ମୋଟା ଅଙ୍କର କମିଶନ ନେଇ ଛୁ ମାରୁଛନ୍ତି। ବିଗତ ଦିନରେ ଏମିତି ଅନେକ ଶ୍ରମିକ ଦଲାଲ ପୁଲିସ ପଞ୍ଝାରେ ପଡିଛନ୍ତି। ଜେଲ ମଧ୍ୟ ଯାଇଛନ୍ତି। ଜେଲରୁ ମୁକୁଳିବା ପରେ କିନ୍ତୁ ପୁଣି ସେହି କାମ କରୁଛନ୍ତି। କରୋନା ପରେ ଏ ରୀତି ଆହୁରି ପ୍ରବଳ ହେଉଥିବା ଜଣା ପଡୁଛି।

ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ବ୍ଲକଗୁଡ଼ିକରୁ ନାବାଳକ ପାଲାଏ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଚାଲାଣ ହେଉଛନ୍ତି। ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର ସହିତ ପଶ୍ଚିମବଙ୍ଗ, ଦିଲ୍ଲୀ, ଗୁଜୁରାଟ ଓ ବମ୍ବେକୁ ମଧ୍ୟ ଚାଲାଣ ହେଉଛନ୍ତି। ବସ୍‌ ଚଳାଚଳ ବନ୍ଦ ଥିବାରୁ ମାଧ୍ୟମ ସାଜିଛି ଟ୍ରେନ୍‌। ପୁଲିସ ଆଖିରେ ଧୂଳି ଦେବାଲାଗି ଗୋଟିଏ ବଗିରେ ଦଲାଲ ବସିଲେ ଅନ୍ୟ ବଗିରେ ନାବାଳକମାନଙ୍କୁ ବସା ଯାଉଛି। ଆହୁରି ଅନେକ ଉପାୟରେ ଅନେକ ଦଲାଲ ପୁଲିସ ଓ ଆର୍‌ପିଏଫ୍‌ ଆଖିରେ ଧୂଳି ଦେଇ ନାବାଳକଙ୍କୁ ଟ୍ରେନ୍‌ରେ ନେବାରେ ସକ୍ଷମ ହେଉଛନ୍ତି। ଅବଶ୍ୟ ଚାଇଲ୍‌ଡ ଲାଇନ ଟିମ୍‌, ରେଳବାଇ ପୁଲିସ ଓ ରେଳ ସୁରକ୍ଷାବାହିନୀ ଦ୍ବାରା କିଛି ଧରାପଡୁଛନ୍ତି। ଅନେକ କ୍ଷେତ୍ରରେ ପିଲାଙ୍କୁ ଉଦ୍ଧାର କରା ଯାଉଥିଲେ ହେଁ ଦଲାଲମାନେ ଚମ୍ପଟ ମାରୁଛନ୍ତି। କାଁ ଭାଁ ହାତଗଣତି କେଇଜଣ ପୁଲିସ ହାତରେ ଧରାପଡୁଛନ୍ତି।

ରାଉରକେଲା ଷ୍ଟେସନରେ ଏ ଦୃଶ୍ୟ ନିୟମିତ ଦେଖିବାକୁ ମିଳୁଛି। କିଛି ଦଲାଲ ନାବାଳକଙ୍କୁ ବାହାର ରାଜ୍ୟରେ ବନ୍ଧାପକାଇ ଦେଇଛନ୍ତି। ସେମାନେ ପରଘରେ କ୍ରୀତଦାସ ପରି ବର୍ଷ ବର୍ଷ ଧରି କାମ କରୁଛନ୍ତି। ନିର୍ଯ୍ୟାତନାର ଶିକାର ମଧ୍ୟ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳର କିଛି ସମାଜସେବୀଙ୍କ ହସ୍ତକ୍ଷେପ ଯୋଗୁଁ ବାହାର ରାଜ୍ୟରେ ବନ୍ଧା ପଡିଥିବା ଅନେକ ନାବାଳକ ଉଦ୍ଧାର ହୋଇଛନ୍ତି। କିନ୍ତୁ ଆହୁରି ଅନେକ ଏଯାଏ ମୁକୁଳି ପାରୁନାହାନ୍ତି। ୨୦୨୧ ଜାନୁଆରି ୧ରୁ ଜୁନ୍‌ ଶେଷ ପର୍ଯ୍ୟନ୍ତ ୬ ମାସ ମଧ୍ୟରେ ରାଉରକେଲା ଷ୍ଟେସନରୁ ହିଁ ପ୍ରାୟ ୧୫୦ରୁ ଅଧିକ ନାବାଳକ ଧରାପଡିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ % ନାବାଳକ ଦାଦନ ଖଟିବାକୁ ଯାଉଥିବା ଚାଇଲ୍‌ଡ ଲାଇନ ଟିମ୍‌ ପଚରାଉଚୁରା ବେଳେ ଜଣାପଡିଛି।

ଉଦ୍ଧାର ନାବାଳକଙ୍କ ମଧ୍ୟରୁ ଅନେକ ଏବେ ବି ଚାଇଲ୍‌ଡ ଲାଇନରେ ରହିଛନ୍ତି। ଏମାନଙ୍କ ବୟସ ୧୨ରୁ ୧୭ ବର୍ଷ ମଧ୍ୟରେ। ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଯେତିକି ତତ୍ପରତା ଦେଖାଇବା କଥା, ଦେଖାଉ ନାହିଁ। ଫଳରେ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଛି। କିନ୍ତୁ ଦଲାଲଙ୍କ ବିରୋଧରେ ଏଯାଏ ଯୋଜନାବଦ୍ଧ ଭାବେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ। ଏ ସଂକ୍ରାନ୍ତରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନାଙ୍କୁ ପଚିବାରୁ ସେ କହିଛନ୍ତି, ପଞ୍ଚାୟତ ଓ ବ୍ଲକ ସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ ହୋଇଛି। ଉପାନ୍ତ ବ୍ଲକଗୁଡ଼ିକରେ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବା ସହ ଏ ସମ୍ପର୍କିତ ହୋର୍ଡିଂ ଲଗାଯାଇଛି। କିନ୍ତୁ ପଞ୍ଚାୟତ ଓ ବ୍ଲକ ସ୍ତରରେ ଗଠିତ କମିଟି ଆଦୌ ସକ୍ରିୟ ନଥିବାରୁ ଏଭଳି ଘଟଣାର ପୁନରାବୃତ୍ତି ହୋଇଚାଲିଛି।

ସମ୍ବନ୍ଧିତ ଖବର