ଲକ୍‌ଡାଉନ୍‌ ପାଇଁ ପୁଲିସ୍‌ର କଡା ଆଭିମୁଖ୍ୟ: ଭଞ୍ଜନଗରରେ ୨ଶହରୁ ଉର୍ଦ୍ଧ୍ୱ ବାଇକ୍‌ ଜବତ

ଭଞ୍ଜନଗର: ଗଂଜାମ ଜିଲ୍ଲାରେ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସ୍ଥାନୀୟ ଜନସାଧାରଣ ଆକ୍ରାନ୍ତ ହେଉଥିବା ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଏହି ଲକ୍‌ଡାଉନ୍‌କୁ କଡାକଡି କରାଯାଇଥିବା ବେଳେ ପୁଲିସ୍‌ ସହରରେ ବାଇକ୍‌ ଚଳାଚଳ ଉପରେ ସଂପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇବା ପାଇଁ ଅଣ୍ଟା ଭିଡିଛି। ଏଥିପାଇଁ ପୁଲିସ୍‌ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ନାକାବନ୍ଦି କରାଯାଇ ଯାଞ୍ଚ କରାଯାଉଥିଲା। ଏହି ଯାଞ୍ଚ ସମୟରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ବାଇକ୍‌ ଥାନାରେ ଜବତ କରି ରଖାଯିବା ସହ ବିନା କାରଣରେ ନ ବୁଲିବା ପାଇଁ ଅମାନିଆ ମାନଙ୍କୁ ତାଗିଦ୍‌ କରାଯାଇଛି।

କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ନିକଟସ୍ଥ ଯାଗାରୁ ଚାଲିଚାଲି ଆଣିବା ପାଇଁ ପୁଲିସ୍‌ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥସେବା ଭଳି ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ଯିବା ପାଇଁ ଛଡାଯିବ ବୋଲି ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

ବାଇକ୍‌ ଜବତ ଯୋଗୁ ବହୁ ଲୋକ ଆଜି ସକାଳେ ଥାନା ସମ୍ମୁଖରେ ଅପେକ୍ଷା କରିଥିବା ସହ ଜରିମାନା ଦେଇ ଗାଡି ନେଇଥିଲେ। ପୁଲିସ୍‌ ପକ୍ଷରୁ ଆଜି ପ୍ରାୟ ୩୦ ହଜାର ଟଙ୍କା ଜୋରିମାନା ଆଦାକୟ କରାଯାଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସଂପ୍ରତି ଲକ୍‌ଡାଉନ୍‌କୁ କଡାକଡି କରିବା ପାଇଁ ପ୍ରଶାସନ କଠୋରତା ଅବଲମ୍ବନ କରିଥିବା ବେଳେ କିଛି ଅମାନିଆ ଏଥିପ୍ରତି ଗୁରୁବ ଦେଉନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର