ମୟୂରଭଞ୍ଜକୁ ଫେରିବେ ଶ୍ରମିକ: ପାଞ୍ଚଦିନରେ ୨୭ହଜାର ଟପିଲାଣି ପଞ୍ଜିକରଣ, ଶୁଳିଆପଦା ବ୍ଲକରୁ ସର୍ବାଧିକ 

ବାରିପଦା: ମୟୂରଭଞ୍ଜକୁ ଫେରିବେ ବାହାର ରାଜ୍ୟରେ ଫଶିରହିଥିବା ଶ୍ରମିକ ଏବଂ ସେମାନଙ୍କର ପରିବାର। ବିଭିନ୍ନ ରାଜ୍ୟରେ ଫଶି ରହିଥିବା ଶ୍ରମିକମାନଙ୍କର ପଞ୍ଜିକରଣ ପ୍ରକ୍ରିୟା ବାଧ୍ୟତାମୂଳକ ହୋଇଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ ପ୍ରକ୍ରିୟାରେ ମୟୂରଭଞ୍ଜକୁ ଫେରିବାକୁ ୨୭ହଜାର ୮୭୨ ଜଣ ପଞ୍ଜିକରଣ କରିସାରିଲେଣି। ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ପୋର୍ଟାଲରେ ବିଭିନ୍ନ ରାଜ୍ୟରେ ଫଶିଥିବା ଶ୍ରମିକଙ୍କ ମଧ୍ୟରୁ ନିଜେ କିମ୍ବା ସେମାନଙ୍କର କୌଣସି ସମ୍ପର୍କୀୟ ପଞ୍ଜିକରଣ କରିପାରିବେ। ସେହିପରି ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ ବ୍ଲକର ପଞ୍ଚାୟତସ୍ତରରେ ନିଯୁକ୍ତ ନୋଡାଲ ଅଧିକାରୀମାନେ ଘରକୁ ଘର ବୁଲି ବାହାରେ ରହୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ବାହାରେ ରହୁଥିବା ବ୍ୟକ୍ତିଙ୍କ ଆଧାର କାର୍ଡ ନମ୍ବର ମଧ୍ୟ ସଂଗ୍ରହ କରାଯାଉଛି। ସେହିପରି ପୌରାଞ୍ଚଳ ଏବଂ ଏନ୍ଏସି ଗୁଡ଼ିକରେ ୱାର୍ଡ ନୋଡାଲ ଅଧିକାରୀମାନେ ଘରକୁ ଘର ବୁଲି ଏହି କାର୍ଯ୍ୟ କରୁଛନ୍ତି।

ତେବେ ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ସମସ୍ତ ୨୬ ବ୍ଲକ୍ ଏବଂ ୪ ସହରାଞ୍ଚଳରେ ପଞ୍ଜିକରଣ ସଂଖ୍ୟା ୨୭ହଜାରରୁ ଅଧିକ ହେଲାଣି। ମାତ୍ର ଜଣଙ୍କ ପାଇଁ କିଛି କିଛି ସ୍ଥଳେ ବାରମ୍ବାର ପଞ୍ଜିକରଣ ହୋଇଯାଉଛି। ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାରୁ ଦେଶର ବିଭିନ୍ନ ରାଜ୍ୟରେ ଫଶିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୬ହାଜର ୫୫୧ ବୋଲି ପିଡି ପିଡିଡିଆରଡିଏ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି।

ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ଛତିଶଗଡ଼ ଭଳି ବିଭିନ୍ନ ରାଜ୍ୟରେ କରୋନା କାରଣରୁ ହୋଇଥିବା ଲକଡାଉନରେ ଫଶିରହିଛନ୍ତି ମୟୂରଭଞ୍ଜ ନାଗରିକ। ଏହି ସୂଚୀରେ ଶୁଳିଆପଦା ବ୍ଲକ ସର୍ବାଧିକ ୨୬୯୦ଜଣ ପଞ୍ଜିକରଣ କରିଛନ୍ତି। ସେହିପରି ମୋରଡ଼ାରୁ ୨୪୧୪, କପ୍ତିପଦାରୁ ୧୮୧୬, ବାଙ୍ଗିରିପୋଷିରୁ ୧୫୮୮, କରଞ୍ଜିଆରୁ ୧୩୮୦, ବେତନଟୀରୁ ୧୨୭୩, ଠାକୁରମୁଣ୍ଡାରୁ ୧୨୪୮, କୁସିମୀରୁ ୧୦୮୦ ଜଣ ପଞ୍ଜିକରଣ କରିଛନ୍ତି। ରାଇରଙ୍ଗପୁର ପୌରାଞ୍ଚଳରୁ ୯୫, ବାରିପଦା ପୌରାଞ୍ଚଳରୁ ୨୩୩ ଏବଂ କରଞ୍ଜି୍ରା ଓ ଉଦଳା ଏନ୍ଏସିରୁ ୩୫ଜଣ ଲେଖାଁଏ ପଞ୍ଜିକରଣ କରିଛନ୍ତି।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ହଜାର ହଜାର ଶ୍ରମିକ ପେଟପାଟଣା ନିମନ୍ତେ କାମ ଅନ୍ବେଷଣରେ ବିଭିନ୍ନ ରାଜ୍ୟକୁ ଯାଇଥାଆନ୍ତି। ତେବେ ଲକଡାଉନ କାରଣରୁ ହଜାର ହଜାର ଶ୍ରମିକ ବିଭିନ୍ନ ରାଜ୍ୟରେ ଅଟକି ରହିଛନ୍ତି। ପଞ୍ଜିକରଣ ପ୍ରକ୍ରିୟା ସମାପ୍ତ ପରେ ସେମାନଙ୍କୁ ଜିଲ୍ଲାକୁ ଫେରାଇଆଣିବାକୁ ବ୍ୟବସ୍ଥା ହେବାନେଇ ଜଣାପଡ଼ିଛି। ଜିଲ୍ଲାକୁ ଫେରିବାପରେ ସମସ୍ତଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର