କୋରାପୁଟ ଜିଲ୍ଲାରୁ ୪୧ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୩ ଶହ ଟପିଲା

କୋରାପୁଟ: କୋରାପୁଟ ଜିଲ୍ଲାରେ କରୋନା ସଂକ୍ରମଣରେ ରୋକ୍ ଲାଗୁନି। ଦିନକୁ ଦିନ ଜିଲ୍ଲାରେ ହୁ ହୁ ହୋଇ ବଢି ଚ‌ାଲିଛି ସଂକ୍ରମିତଙ୍କ ସଂଖ୍ୟା। ଆଜି କୋରାପୁଟ ଜିଲ୍ଲାରୁ ମୋଟ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୯ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିଲାବେଳେ ୨୦ ଜଣ ଗୃହ ସଙ୍ଗରୋଧରେ ରହିଥିଲେ। ବାକି ୧୨ ଜଣ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏଥିରେ ୫ ଜଣ କରୋନା ଯୋଦ୍ଧା ଅଛନ୍ତି। ଜଣେ ସୁରକ୍ଷା କର୍ମୀ ଓ ୪ ଜଣ ସ୍ବାସ୍ଥ୍ୟ କର୍ମୀ କରୋନାର ଶୀକାର ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୮ରେ ପହଞ୍ଚିଛି। ଅପରପକ୍ଷରେ କୋରାପୁଟ ପୌରାଞ୍ଚଳରେ ପ୍ରତି ଘରକୁ ଘର ବୁଲି ସ୍ବତନ୍ତ୍ର ଟିମ ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

କୋରାପୁଟ ଜିଲ୍ଲାରୁ ଗତକାଲି ୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ପୁଣି ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଲକ୍ଷ୍ମୀପୁରରୁ ସର୍ବାଧିକ ୨୦ ଜଣ ଆକ୍ରାନ୍ତ ରହିଥିଲାବେଳେ ଜୟପୁର ସହରରୁ ୧୦ ଜଣ ରହିଛନ୍ତି। କୋରାପୁଟ ସହରରୁ ୩ଜଣ, ଜୟପୁର ବ୍ଲକରୁ ୩ ଜଣ, ଦାମନଯୋଡିରରୁ ୩ ଜଣ, ବୋରିଗୁମ୍ମାରୁ ଜଣେ ଓ ବୈପାରୀଗୁଡାରୁ ଜଣେ ଲେଖାଏଁ କରୋନା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ଭିତରୁ ୧୩ ଜଣ ତେଲେଙ୍ଗାନାରୁ, ୪ ଜଣ ଆନ୍ଧ୍ରପ୍ରଦେଶରୁ, ଜଣେ ପଶ୍ଚିମବଙ୍ଗରୁ, ଜଣେ ମହାରାଷ୍ଟ୍ରରୁ, ୨ଜଣ ଗଂଜାମରୁ, ଜଣେ କର୍ଣ୍ଣାକଟକରୁ, ଜଣେ ପୁରୀରୁ ଓ ୬ଜଣ ଗଜପତିରୁ ଫେରିଥିଲେ। ଏମାନେ ସମସ୍ତେ ସଙ୍ଗରୋଧରେ ରହୁଥିଲେ। ଆଉ ୧୨ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂପର୍କରେ ଆସିଥିଲେ। ଏହା ଭିତରେ ଜଣେ ସୁରକ୍ଷା କର୍ମୀ ଓ ୪ ଜଣ ସ୍ବାସ୍ଥ୍ୟକର୍ମୀ କର୍ମଚାରୀ ରହିଛନ୍ତି।
ଲକ୍ଷ୍ମୀପୁର ବ୍ଲକରୁ ସର୍ବାଧିକ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ଆଇଟିଆଇ କଲେଜରେ ହୋଇଥିବା ଟିଏମସିରୁ ୨ ଜଣ ଓ ବୁର୍ଜା ହାଇସ୍କୁଲରେ ହୋଇଥିବା ଟିଏମସିରୁ ୭ ଜଣ ରହିଛନ୍ତି। ୧୧ ଜଣ ସ୍ଥାନୀୟ ସଂକ୍ରମିତ।

ଏହା ଭିତରେ ଜଣେ ସ୍ବାସ୍ଥ୍ୟ କର୍ମୀ ଓ ଜଣେ ସୁରକ୍ଷା କର୍ମୀ ରହିଛନ୍ତି। ଦାମନଯୋଡିରୁ ୩ ଜଣ କରୋନା ସଂକ୍ରମିତ ରହିଥିଲାବେଳେ ସେମାନଙ୍କ ଭିତରୁ ୨ ଜଣ ସେକ୍ଟର-୩ ଅଂଚଳର ଓ ଜଣେ ସିଆଇଏସଏଫ ଯବାନ ଅଛନ୍ତି। କୋରାପୁଟ ସହରର ଫାୟାର ଷ୍ଟେସନ ଅଂଚଳ, ହାଟପଦା ଓ ଗୌତମନଗରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୟପୁର ସହରର ଭୁପତିସାହିରୁ ୩ଜଣ, ଢେପଗୁଡାରୁ ଜଣେ, ଗଡିଆ ଧୋବା ସାହିରୁ ଜଣେ, କେଲା ସାହିରୁ ଜଣେ, ପାୱାର ହାଉସ କଲୋନୀରୁ ଜଣେ, ମହାରାଣୀପେଟାରୁ ଜଣେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ବୈପାରୀଗୁଡା ବ୍ଲକ ରାମଗିରି ବ୍ଲକରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବୋରିଗୁମ୍ମା ବ୍ଳକ ସମରଥାଗୁଡାରୁ ଜଣେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ପୁରୁଷ ଥିଲାବେଳେ ୧୧ ଜଣ ମହିଳା ଅଛନ୍ତି।

କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଏହି ସବୁ ଅଂଚଳକୁ କଣ୍ଟେନମେଣ୍ଟ କରାଯାଇଛି। ଆଜି ସନ୍ଧ୍ୟା ୬ଟାରୁ ଏହି ସବୁ ଅଂଚଳ କଣ୍ଟେନମେଣ୍ଟରେ ରହିବ। ଏହା ଭିତରେ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଓ ଲକ୍ଷଣ ଥିବା ଲୋକମାନଙ୍କର ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ। ଏହି ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି ସବୁ ଅଂଚଳ କଣ୍ଟେନମେଣ୍ଟରେ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, ଗତ ଦୁଇ ଦିନ ଭିତରେ ବହୁତ ଗୁଡିଏ ରିପୋର୍ଟ ଆସିଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି। ଏହି ଦୁଇ ଦିନ ଭିତରେ ପ୍ରାୟ ୧୨୦୦ ନମୁନା ରିପୋର୍ଟ ଆସିଛି।

ସପ୍ତାହେ ଆଗରୁ ସଂଗ୍ରହ ହୋଇଥିବା ନମୁନାର ରିପୋର୍ଟ ମଧ୍ୟ ଏବେ ପ୍ରଶାସନ ପାଖରେ ପହଞ୍ଚିଛି। ତେଣୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ସେ କହିଛନ୍ତି। ଏପଟେ କୋରାପୁଟ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରତି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସ୍ବତନ୍ତ୍ର ଟିମ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଂଚ କରିବେ। କରୋନାର କୌଣସି ଲକ୍ଷଣ ରହିଥିଲେ ଲୋକଙ୍କର ରାପିଡ ଆଣ୍ଟିଜେନ କିଟ୍ ଦ୍ବାରା ପରୀକ୍ଷା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ୪୧ ଜଣ ନୂତନ ସଂକ୍ରମିତଙ୍କୁ ମିଶାଇ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୮ରେ ପହଞ୍ଚିଛି। ଅପରପକ୍ଷରେ ଆଜି ଆଉ ୧୧ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର