କଳାହାଣ୍ଡି ଜିଲ୍ଲାରେ ମଣ୍ଡିବନ୍ଦ ପାଇଁ ଚକ୍ରାନ୍ତ!, ୪ ଲକ୍ଷ ରୁ ଉର୍ଦ୍ଧ୍ଵ କୁଇଣ୍ଟାଲ ଧାନ କେବେ ଉଠିବ ?

ମଣ୍ଡିରେ ବଳି ପଡୁଛି ଚାଷୀଙ୍କ ଦୁଃଖ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡି ବନ୍ଦ ପାଇଁ ଚକ୍ରାନ୍ତ ଆରମ୍ଭ ହୋଇଛି। ଏବେ ମଧ୍ୟ ଜିଲ୍ଲାରେ ୪ ଲକ୍ଷ ୩୯ ହଜାର ୯୯୪ କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି। ମୌସୁମୀ ବର୍ଷା ଯୋଗୁଁ ଏହି ଧାନ ଉଠାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଚଳିତ ରବି ଧାନ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୭ ଲକ୍ଷ ୨୬ ହଜାର ୩୦୪ କୁଇଣ୍ଟାଲ ଟାର୍ଗେଟ ଆସିଥିଲା। କିନ୍ତୁ ଜିଲ୍ଲାରେ ୩୧ ଲକ୍ଷ ୩୧ ହଜାର ୩୩୫ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କରି ଟୋକନ ପାଇଛନ୍ତି।

ଆଜି ପର୍ଯ୍ୟନ୍ତ ୨୬ ଲକ୍ଷ ୯୧ ହଜାର ୩୪୧ କୁଇଣ୍ଟାଲ ଧାନ ୧୩୨ ଟି ମଣ୍ଡି ଜରିଆରେ ୨୮ହଜାର ୭୧୫ ଜଣ ଚାଷୀଙ୍କ ଠାରୁ ମିଲର୍ସ ମାନେ ପ୍ୟାକ୍ସ ଜରିଆରେ ଧାନ କିଣିଛନ୍ତି। ରାଜ୍ୟ ସରକାରଙ୍କ ର ଆସିଥିବା ଟାର୍ଗେଟ ଠାରୁ ପ୍ରାୟ ୩୫ ହଜାର କୁଇଣ୍ଟାଲ ଧାନ କ୍ରୟ କରାଯାଇ ନାହିଁ। ସମୁଦାୟ ଜିଲ୍ଲାର ବିଭିନ୍ନ ମଣ୍ଡିରେ ୪ ଲକ୍ଷ ୩୯ ହଜାର ୯୯୪ କୁଇଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ ପଡି ରହିଛି। ବର୍ଷାରେ ଧାନ ମଣ୍ଡିରେ ଭିଜିଥିବା ଯୋଗୁଁ ମିଲର୍ସମାନେ ଆଦ୍ରତାର ବାହାନା କରି ବ୍ୟାପକ କଟନୀ ଛଟନୀ ଆରମ୍ଭ କରିଛନ୍ତି।

ରାଜ୍ୟ ସରକାରଙ୍କ ଆସିଥିବା ଟାର୍ଗେଟ ବାହାରେ ଆହୁରି ୪ ଲକ୍ଷ ୫ ହଜାର ୩୧ କୁଇଣ୍ଟାଲ ଧାନର ଅଧିକ ଟାର୍ଗେଟ ଆଶ୍ୟକତା ରହିଛି। ବର୍ତ୍ତମାନ ଜୁଲାଇ ୧ ତାରିଖ ପହଞ୍ଚିଲାଣି ଅଥଚ ପୁରୁଣା ଟାର୍ଗେଟ ଧାନ ଉଠାଣ ହୋଇପାରୁନାହିଁ। ଯୋଗାଣ ବିଭାଗ, ପ୍ୟାକ୍ସ ଓ ମିଲର୍ସମାନେ ଜାଣିଶୁଣି ଧାନ ଉଠାଣରେ ବିଳମ୍ବ କରୁଛନ୍ତି। ଆଗକୁ ଲଗାଣ ବର୍ଷା ହେଲେ ମଣ୍ଡିକୁ ବନ୍ଦ କରିବାକୁ ଚକ୍ରାନ୍ତ ଆରମ୍ଭ ହୋଇଛି। ଚାଷୀ ମଣ୍ଡିରେ ଦୀର୍ଘଦିନ ଧରି ପଡି ରହୁଥିଲେ ମଧ୍ୟ ବିନା କଟନୀ ଛଟନୀରେ ଧାନ ଉଠାଣ ହୋଇ ପାରୁନାହିଁ। ଫଳସ ଏଣ୍ଟ୍ରି ପାଇଁ ଦଲାଲ ଜରିଆରେ ମିଲର୍ସ ମାନେ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି। ଦଲାଲ ମାନଙ୍କ ଧାନ ଅନାୟସ ରେ ଉଠାଣ ହେଉଥିବା ବେଳେ ପ୍ରକୃତ ଚାଷୀଙ୍କ ଧାନ ଉଠାଣ ପାଇଁ ବିଭିନ୍ନ ଆଳ ଦେଖାଇ ନିରୁତ୍ସାହିତ କରାଯାଉଛି ।

ଦଲାଲ କବଜାରେ ମଣ୍ଡି ଥିବା ଯୋଗୁଁ ଚାଷୀମାନେ ଦୀର୍ଘଦିନ ଅପେକ୍ଷା କରି ନିରାଶ ହୋଇ କମ ରେଟରେ ଦଲାଲ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଅସ୍ଥା ଅତି ଉଦବେଗ ଜନକ ହୋଇ ପଡିଛି । ଚାଷୀଙ୍କ ଧାନ ବିକ୍ରି ହେଉନଥିବା ବେଳେ ରାଜନେତା ଠାରୁ ପ୍ରଶାସନ ପର୍ଯ୍ୟନ୍ତ କେହି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। କୋଭିଡ ପରିଚାଳନା ଆଳ ଦେଖାଇ ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ମିଲର୍ସ ଉପରେ ଜାଣିଶୁଣି ଅଙ୍କୁଶ ଲଗାଉନାହାନ୍ତି। ଫଳରେ ଚାଷୀମାନେ ଭାଗ୍ୟକୁ ଆଦରି ମଣ୍ଡିରେ ପଡି ରହିଛନ୍ତି। ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଚାଷୀ ମହଳରେ ଦାବୀ ହୋଇଛି।

ସମ୍ବନ୍ଧିତ ଖବର