ମୟୂରଭଞ୍ଜ: ଜନ୍ମମାଟିକୁ ଫେରିଲେଣି ୪ହଜାର ୫ଶହରୁ ଊର୍ଧ୍ବ ପ୍ରବାସୀ

ଆନ୍ଧ୍ରପ୍ରଦେଶରୁ ଫେରିଲେଣି ସର୍ବାଧିକ ୧୩୧୭, ଗୁଜୁରାଟରୁ ୭୯୨

ବାରିପଦା: ଜନ୍ମମାଟିର ମୋହ ନିଆରା। ଏଥିପାଇଁ ଯେତେ କଷ୍ଟ ପଡ଼ୁ ପଛେ ସେଥିପାଇଁ କିନ୍ତୁ ଚିନ୍ତା ନାହିଁ। କରୋନା ଜନିତ ଲକଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫଶିରହିଥିବା ପ୍ରବାସୀ ଓଡ଼ିଆମାନେ ଜନ୍ମସ୍ଥାନ ମୟୂରଭଞ୍ଜକୁ ଫେରିବାକୁ ବ୍ୟଗ୍ର। ଆଜି ଜିଲ୍ଲାର ପ୍ରାୟ ୭ଜଣ ଲୋକ ପାଦରେ ଚାଲିଚାଲି ମହାରାଷ୍ଟ୍ରରୁ ଫେରୁଥିଲେ। ସେମାନଙ୍କୁ ରାଉରକେଲାରେ ଠାବ କରାଯାଇ ମୟୂରଭଞ୍ଜକୁ ଗାଡିରେ ପଠାଇବାର ବ୍ୟବସ୍ଥା କରିଥିଲେ ପ୍ରଶାସନ।

ଆଜିସୁଦ୍ଧା ମୟୂରଭଞ୍ଜକୁ ୪ହଜାର୫ଶହ୨୫ଜଣ ପ୍ରବାସୀ ଫେରିସାରିଲେଣି। ଆନ୍ଧ୍ରପ୍ରଦେଶରୁ ସର୍ବାଧିକ ୧୩୧୭ଜଣ ପ୍ରବାସୀ ଜିଲ୍ଲାର ବିଭିନ୍ନ ବ୍ଲକ୍କୁ ଫେରିଛନ୍ତି। ସେହିପରି ଗୁଜୁରାଟରୁ ୨ୟ ସର୍ବାଧିକ ୭୯୨ଜଣ ପ୍ରବାସୀ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ସଂଖ୍ୟାଧିକ ହେଉଛନ୍ତି ସୁରତ ଫେରନ୍ତା। ଏହି ସୂଚୀରେ ତେଲେଙ୍ଗାନାରୁ ୭୦୫ଜଣ ଫେରିଥିବା ବେଳେ ପଶ୍ଚିମବଙ୍ଗରୁ ୩୦୨ ଜଣ ଫେରିଛନ୍ତି।  ମହାରାଷ୍ଟ୍ରରୁ ୩୧୦ ଜଣ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ୩୨୬, କର୍ଣ୍ଣାଟକରୁ ୧୯୫, ତାମିଲନାଡ଼ୁରୁ ୪୧୨, ବିହାରରୁ ୧୮, ତାମିଲନାଡ଼ୁରୁ ୪୧୨, ଛତିଶଗଡ଼ରୁ ୧୧, କେରଳରୁ ୩୯, ମଧ୍ୟପ୍ରଦେଶରୁ ୧୬, ପଣ୍ଡିଚେରୀରୁ ୨, ରାଜସ୍ତାନରୁ ୩୯, ଉତ୍ତରପ୍ରଦେଶରୁ ୩୬, ଉତ୍ତରାଖଣ୍ଡରୁ ୩,  ଦିଲ୍ଲୀରୁ ଜଣେ ମୟୂରଭଞ୍ଜକୁ ଫେରିଛନ୍ତି।

ସୁରତରୁ ଫେରିଥିବା ୧୦ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ଫେରିଥିବା ଜଣେ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ତାଲିକାରୁ ଆଜିସୁଦ୍ଧା ମୋରଡ଼ାକୁ ସର୍ବାଧିକ ୪୫୪ଜଣ ଫେରିଛନ୍ତି। ସେହିପରି ବେତନଟୀ ବ୍ଲକକୁ ୩୮୮ଜଣ ଫେରିଥିବାବେଳେ କପ୍ତିପଦା ବ୍ଲକକୁ ୩୨୩, ରାସଗୋବିନ୍ଦପୁର ବ୍ଲକକୁ ୩୪୭, ଉଦଳାକୁ ୧୮୯, ବଡ଼ସାହିକୁ ୨୦୩, ବାରିପଦା ବ୍ଲକକୁ ୧୪୩, ଗୋପବନ୍ଧୁନଗର ବ୍ଲକକୁ ୧୫୮, କୁଳିଅଣା ବ୍ଲକକୁ ୧୯୯, ସାରସକଣା ବ୍ଲକକୁ ୧୧୯, ଶ୍ୟାମାଖୁଣ୍ଟା ବ୍ଲକକୁ ୧୧୨ ଜଣ ଫେରିଛନ୍ତି।

ଜିଲ୍ଲାର ୨୬ଟି ବ୍ଲକ୍ରେ ହୋଇଥିବା ଅସ୍ଥାୟୀ ମେଡିକାଲ୍ ସେଣ୍ଟରରେ ଏମାନେ ସମସ୍ତେ ସଙ୍ଗରୋଧରେ ଅଛନ୍ତି। ସେହିପରି ଜିଲ୍ଲାର ଚାରି ପୌରାଞ୍ଚଳ ବାରିପଦା, ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ବ୍ଲକକୁ ମଧ୍ୟ ମୋଟ ୧୮୭ଜଣ ପ୍ରବାସୀ ଫେରିଛନ୍ତି। ଆଜିସୁଦ୍ଧା ଜିଲ୍ଲାରେ ମୋଟ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କପ୍ତିପଦା ବ୍ଲକକୁ ୧୦ଜଣ ରହିଥିବା ବେଳେ ବାରିପଦା ପୌରପରିଷଦରୁ ଜଣେ ଆକ୍ରାନ୍ତ ରହିଛନ୍ତି। ଅବଶ୍ୟ ଅନ୍ୟ କୌଣସି ବ୍ଲକ୍ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ତାଲିକାରେ ନାହିଁ। ମାତ୍ର ବାରିପଦା ଭଳି ବିଭିନ୍ନ ସ୍ଥାନକୁ ପଶ୍ଚିମବଙ୍ଗ ଓ ସୁରତରୁ ଫେରୁଥିବା ପ୍ରବାସୀଙ୍କ ଉପରେ ଜିଲ୍ଲାପ୍ରଶାସନ ସତର୍କ ଦୃଷ୍ଟି ରଖିଛି। ବିଭିନ୍ନ ରାଜ୍ୟରୁ ଆସୁଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଦିନକୁ ଦିନ ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ଆଜିସୁଦ୍ଧା ପ୍ରାୟ ୩୩ଶହରୁ ଊର୍ଧ୍ବ ନମୁନା ପରୀକ୍ଷା ପାଇଁ ଯାଇଛି। ମାତ୍ର ପଜିଟିଭ୍ ସଂଖ୍ୟା ୧୧ରେ ସ୍ଥିର ରହିଛି। ଯାହାକି ଆଶ୍ବସ୍ତିର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର