ବାରିପଦା: ମୟୂରଭଞ୍ଜରେ ନମୁନା ପରୀକ୍ଷା ସଂଖ୍ୟା ବଢ଼ିଛି। ଗତ ଦଶ ଦିନ ମଧ୍ୟରେ ଜିଲ୍ଲାରୁ ପରୀକ୍ଷା ପାଇଁ ଗଲାଣି ୫ହଜାର ୧୬୦ ନମୁନା। ସେହି ଅନୁସାରେ କିନ୍ତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ନବଢ଼ିବା ଜିଲ୍ଲାପାଇଁ ଆଶ୍ୱସ୍ତିର ବିଷୟ ପାଲଟିଛି। ମାତ୍ର ଜିଲ୍ଲାରେ ସ୍ଥାନୀୟ ସଂକ୍ରମିତ ଚିନ୍ତା ବଢ଼ାଉଛନ୍ତି। ଆଜି ଚିହ୍ନଟ ହୋଇଥିବା ନୂଆ ୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ।
୨୮ଜୁଲାଇରୁ ଗତକାଲି ପର୍ଯ୍ୟନ୍ତ ଜିଲ୍ଲାରୁ ୫ହଜାର ୧୬୦ ନମୁନା ପରୀକ୍ଷା ପାଇଁ ଯାଇସାରିଛି। ଯାହାକି କରୋନା ଲଢ଼େଇରେ ଶୁଭ ଲକ୍ଷଣ ନିଶ୍ଚୟ। ଜିଲ୍ଲାରେ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହେଲାପରେ ନମୁନା ପରୀକ୍ଷା ବୃଦ୍ଧି ପାଇଛି। ଗତକାଲି ୬୬୯, ବୁଧବାର ୭୫୫, ୩୦ ଜୁଲାଇରେ ୭୧୦ ନମୁନା ପରୀକ୍ଷା ପାଇଁ ଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତ ଦଶଦିନର ତଥ୍ୟକୁ ହିସାବକୁ ନେଲେ ଦୈନିକ ହାରାହାରି ୫ଶହରୁ ଊର୍ଧ୍ଵ ପରୀକ୍ଷା ହେଉଥିବା ଜଣାପଡ଼ିଛି। ତେବେ ଆଜିସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଶହ ଟପିଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୧କୁ ବୃଦ୍ଧି ପାଇଛି।
ଆଜି ଜିଲ୍ଲାରୁ ୧୫ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ସୁସ୍ଥ ସଂଖ୍ୟା ୬ଶହ ଛୁଇଁଛି। ସକ୍ରିୟଙ୍କ ସଂଖ୍ୟା ୨୧୮ ରହିଛି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଆଜି ଜିଲ୍ଲାରୁ ଚିକିତ୍ସାଧୀନ ଥିବା ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୟୂରଭଞ୍ଜରୁ କରୋନାଜନିତ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ତେବେ ବାରିପଦା ପୌରପରିଷଦରେ ସ୍ଥାନୀୟ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି, ଯାହା ପୌରବାସୀଙ୍କ ନିମନ୍ତେ ଉଦେ୍ଵଗର କାରଣ ପାଲଟିଛି।