ରାଉରକେଲା: ବିଭିନ୍ନ ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନର ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଛି। ଛାତ୍ରଛାତ୍ରୀଙ୍କୁ ମିଳୁନି ଶିକ୍ଷା ଓ ମଧ୍ୟାହ୍ନ ଭୋଜନ। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକରେ ପାଖାପାଖି ୭୦ରୁ ଅଧିକ ବିଦ୍ୟାଳୟରେ ତାଲା ଝୁଲୁଛି। ଯାହାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ଅଭିଭାବକମାନଙ୍କ ଚିନ୍ତା ବଢ଼ିଛି। ଲହୁଣିପଡ଼ା ବ୍ଲକ ରେ ୧୪୯ ଟି ବିଦ୍ୟାଳୟରୁ ୨୬୦ ଜଣ ଏକ୍ସ କ୍ୟାଡର, ଜେଟି, ଜେଡ୍ପି, ଏଏନନପି ଏ ସ, ପି ଟି ଆ ଇ, କଳା, ଏମ୍ ଏଲ ଇ ଶିକ୍ଷକ, ଶିକ୍ଷୟତ୍ରୀ ସିଏଲ ନେଇ ଧାରଣାରେ ବସିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର ମାସରେ ଲକ୍ଷାଧିକ ଶିକ୍ଷକ ଶିକ୍ଷକ, ଶିକ୍ଷୟତ୍ରୀ ବିଧାନସଭା ସମୁଖରେ କେନ୍ଦ୍ରୀୟ ହାରରେ ଦରମା, କଂଟ୍ରାକ୍ଟ ଚୁଆଲ ସମୟକୁ ମୂଳ ଚାକିରିରେ ଗଣନା କରାଯାଇ ଇନ୍କ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ଲାଗୁ, ଏକ୍ସ କ୍ୟାଡରଙ୍କୁ ନିୟମିତର ମାନ୍ୟତା, ଏମ ଏଲ ଇ ଶିକ୍ଷକ ଶିକ୍ଷକୟତ୍ରୀଙ୍କ ଦାବି ଆଦି ବିଭିନ୍ନ ଦାବିନେଇ ୪ଦିନ ଆନ୍ଦୋଳନ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା। ଦାବି ପୂରଣର ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ମାତ୍ର ୮ମାସ ବିତିଯାଇଥିଲେ ସୁଦ୍ଧା ଦାବି ସବୁ ପୂରଣ ହୋଇନଥିବା ଯୋଗୁଁ ‘ଅଲ ଉତ୍କଳ ଟିଚର ଫେଡେରେସନ୍’ ପକ୍ଷରୁ କାମ ବନ୍ଦ କରି ଧାରଣା ଜାରି ରଖିଛନ୍ତି। ଆସନ୍ତାକାଲି (ଗୁରୁବାର)ଠୁ ସମସ୍ତ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି।