ଆଠଗଡ଼: କଟକ ଜିଲ୍ଲା ଆଠଗଡ଼-ନରସିଂହପୁର ରାଜ୍ୟ ରାଜପଥର ମାରୁଗୋଠ ଛକରେ ଗୁରୁବାର ଅପରାହ୍ନରେ ଫାଇନାନ୍‌ସ କମ୍ପାନି କର୍ମଚାରୀଙ୍କ ଉପରକୁ ଗୁଳି କରି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି।

Advertisment

ଖବର ମୁତାବକ, ଆଠଗଡ଼ର ଅଶୋକନଗର ଅଂଚଳରେ ରହୁଥିବା ଢେଙ୍କାନାଳ ନିବାସୀ ଦୟାନିଧି ଭଞ୍ଜଙ୍କ ପୁଅ କ୍ଷୀତିଶ୍‌ ରଞ୍ଜନ ଭଞ୍ଜ ଏକ ଫାଇନାନ୍‌ସ କମ୍ପାନିରେ କାର୍ଯ୍ୟ କରନ୍ତି। ଆଜି ଅପରାହ୍ନରେ ସେ କମ୍ପାନିର ଟଙ୍କା କଲେକ୍ସନ୍‌ କରି ନରସିଂହପୁରରୁ ବାଇକ୍‌ ଯୋଗେ ଫେରୁଥିବାବେଳେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଟଙ୍କା ଛଡ଼ାଛଡ଼ି ବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କ୍ଷୀତିଶ ଟଙ୍କା ବ୍ୟାଗ୍‌ ଧରି ଦୌଡ଼ି ପଳାଇବାକୁ ଉଦ୍ୟମ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। କ୍ଷୀତିଶଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲେ ଓ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ନେଇ ଫେରାର ହୋଇଯାଇଥିଲେ।

କ୍ଷୀତିଶ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲା ବେଳେ ଖବରପାଇ ତାଙ୍କ ସାଥୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ପଠାଇ ଦିଆଯାଇଛି। ଖବର ପାଇ ଆଠଗଡ଼ ଥାନା ଏସ୍‌ଆଇ ଶକୁନ୍ତଳା ଦାସଙ୍କ ନେତୃତ୍ୱରେ ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।