ମମତା ଭୁଲିଗଲା ପୁଅ, ମା’ ଦେଲେ ଧାରଣା; ଆପୋସ ବୁଝାମଣା ପରେ ଉଠିଲେ ବୃଦ୍ଧା

ଉମରକୋଟ: କେତେ ଆଶା ନେଇ ଏକୁଟିଆ ପୁଅକୁ ପାଳିପୋଷି ବଡ଼ କରିଥିଲେ। କିନ୍ତୁ ବିବାହ ପରେ ମା’ଙ୍କ ମମତାକୁ ଭୁଲିଗଲା ପୁଅ। ବୃଦ୍ଧା ମା’ କେମିତି ଅଛି ଜାଣିବା ପରିବର୍ତ୍ତେ ଯୋଗାଯୋଗ ବନ୍ଦ କରି ମା’ ଠାରୁ ଦୂରେଇ ରହିଲା ପୁଅ। ତଥାପି ଝୁରି ଝୁରି ପୁଅ ନିକଟରେ ପହଞ୍ଚିଗଲେ ମା’। କିନ୍ତୁ ବେଶୀ ଦିନ ରହି ପାରିଲେ ନାହିଁ। ବୋହୂ ଘରୁ ତଡ଼ି ଦେଲା। ଆଉ କୌଣସି ବିକଳ୍ପ ନ ପାଇ ଶେଷରେ ପୁଅର ଦୋକାନ ସମ୍ମୁଖରେ ଧାରଣା ଦେଲେ ଜଣେ ବୃଦ୍ଧା। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଏମିତି ଗୋଟିଏ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଖୋରଧାର ଗାଁର ଉଷାରାଣୀ ସାହୁଙ୍କୁ ଛାଡ଼ି ବହୁ ବର୍ଷ ତଳେ ସ୍ବାମୀ ବିଶ୍ବନାଥ ସାହୁ କେଉଁ ଆଡ଼େ ଚାଲିଗଲେ। ଏହାପରେ ତାଙ୍କର ଆଉ କୌଣସି ଖୋଜଖବର ମିଳି ନଥିଲା। ଏମିତି ସ୍ଥିତିରେ ଅସହାୟ ଅବସ୍ଥାକୁ ଚାଲି ଆସିଥିଲେ ଉଷାରାଣୀ। କିନ୍ତୁ ଦୁଇ ଝିଅ ଏବଂ ପୁଅକୁ ଭଲ ମଣିଷ କରିବାକୁ ସାହସ ଧରିଲେ। ମୂଲ ଲାଗିବା ସହ ଗୋଟିଏ ହଷ୍ଟେଲରେ କାମ କଲେ। ଅଭାବ ସତ୍ତ୍ବେ ପିଲାଙ୍କ ମୁହଁକୁ ଚାହିଁ ସବୁ କଷ୍ଟକୁ ସ୍ବୀକାର କରି ଚାଲିଥିଲେ। ପୁଅ ବଡ଼ ହେବାପରେ ଗୋଟିଏ ଜଳଖିଆ ଦୋକାନ କରିଥିଲା। ଆଉ କଷ୍ଟ ସ୍ବୀକାର କରିବାକୁ ପଡ଼ିବ ନାହିଁ ବୋଲି ଆଶା କରିଥିଲେ ଉଷାରାଣୀ। କିନ୍ତୁ ବେଶୀ ଦିନ ଲାଗିଲା ନାହିଁ ସେହି ସ୍ବପ୍ନ ଧୂଳିସାତ ହେବାକୁ। କାରଣ ବିବାହ କରିବା ପରେ ପୁଅ ଗୋପାଳକୃଷ୍ଣ ୫୦ହଜାର ଟଙ୍କା ଋଣ ନେଇ ଗାଁରେ ମା’କୁ ଏକୁଟିଆ ଛାଡ଼ି ଉମରକୋଟର ଗୁଲିପାଟଣା ଚାଲି ଆସିଥିଲା। ଜ୍ବାଇଁଙ୍କ ସହାୟତାରେ ଡିଏନ୍‌କେ ସ୍ଥିତ ଗୋପବନ୍ଧୁ ଦୋକାନରେ ଜଳଖିଆ ବ୍ୟବସାୟ ଆରମ୍ଭ କରି ମା’ କଥା ସଂପୂର୍ଣ୍ଣ ଭୁଲିଗଲା। ଏହାସତ୍ତ୍ବେ ପୁଅ କରିଥିବା ଋଣକୁ ନିଜେ ପରିଶ୍ରମ କରି ଶୁଝିଥିଲେ ଉଷାରାଣୀ। ପରବର୍ତ୍ତୀ ସମୟରେ ପୁଅ ନିକଟକୁ ଚାଲି ଆସିଥିଲେ। ତେବେ ପୁଅ ପାଖରେ ରହିବା ସମୟରେ ଦିନେ ଘରୁ ତଡ଼ିଦେଲା ବୋହୂ। ତେଣୁ ପୁଅ ଗୋଟିଏ ଘର ଭଡ଼ା ନେଇ ମା’କୁ ରଖିବା ସହ ଭରଣପୋଷଣ ବାବଦରେ କିଛି ଟଙ୍କା ଦେଉଥିଲା। ଏକୁଟିଆ ରହିବାକୁ ଭଲ ଲାଗୁ ନଥିବାରୁ ମଝିରେ ମଝିରେ ଝିଅ ଘରକୁ ଉଷାରାଣୀ ଯାଉଥିଲେ। ଯାହାକୁ ବୋହୂ ସଦ୍ୟ କରିପାରି ନଥିଲା, ଭରଣପୋଷଣ ଟଙ୍କା ଦେବା ବି ବନ୍ଦ କରିଦେଲା।

ବାର୍ଦ୍ଧକ୍ୟରେ ସାହାର ପାଲଟିବା ବଦଳରେ ପୁଅ ପର କରିଦେବାରୁ ଉଷାରାଣୀ ଝିଅ ଘରେ ଯାଇ ରହିଲେ। ବିବାହିତା ଝିଅ ଘରେ କେତେ ଦିନ ରହିବେ ବୋଲି ଚିନ୍ତାକରି ନିଜ ହକ୍‌ ପାଇଁ ଗତକାଲି ପୁଅର ଦୋକାନରେ ପହଞ୍ଚିଥିଲେ। ନିରବ ରହି ପୁଅ କରୁଥିବା ବ୍ୟବହାରର ପ୍ରତିବାଦ କରିଥିଲେ। ପ୍ରାୟ ଗୋଟିଏ ଘଣ୍ଟା ଧରି ପୁଅର ଦୋକାନ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଏବଂ ବୁଦ୍ଧିଜୀବୀ ପହଞ୍ଚି ଯାଇଥିଲେ। ହସ୍ତକ୍ଷେପ କରି ବୁଝାସୁଝା କରିବାରୁ ପୁଅ ଗୋପାଳକୃଷ୍ଣ ବୁଝି ଯାଇଥିଲେ। ମା’ ଯେଉଁଠି ରହିଲେ ବି ପ୍ରତିମାସରେ ଭରଣପୋଷଣ ବାବଦରେ ୬ହଜାର ଟଙ୍କା ଦେବାକୁ ସହମତି ପ୍ରକାଶ କରିଥିଲେ। ଏଥିରେ ଉଷାରାଣୀ ସହମତି ପ୍ରକାଶ କରି ଧାରଣାରୁ ଉଠିଥିଲେ। ବାପା ଅଧାରାସ୍ତାରେ ଛାଡ଼ି ଚାଲିଯିବା ପରେ ମା’ ହିଁ ସେମାନଙ୍କୁ ହାତ ଧରି ଚଲାଇବା ଶିଖାଇଥିଲା। କିନ୍ତୁ ବାର୍ଦ୍ଧକ୍ୟରେ ସେହି ମା’ ବୋଝ ପାଲଟିଯିବା ଏବଂ ଅଣଦେଖାର ଶିକାର ଘଟଣାକୁ ନେଇ ବିଭିନ୍ନ ମହଲରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର