ଚିକିତ୍ସାଧୀନ ଅବସ୍ଥାରେ ମା’ ଓ ଗର୍ଭସ୍ଥ ଶିଶୁ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ମା’ ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ଘଟଣା ଆଜି ହସ୍ପିଟାଲର ମାତୃ ଓ ଶିଶୁ ୱାର୍ଡରେ ଦୁଃଖଦ ପରିବେଶ ସୃଷ୍ଟି କରିଛି । ହସ୍ପିଟାଲ୍ କର୍ତ୍ତୃପକ୍ଷ ପକ୍ଷରୁ ଏନେଇ ଥାନାରେ ଏତଲା ଦେବା ପରେ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
ସୂଚନାନୁସାରେ, ଆଜି ସକାଳ ପ୍ରାୟ ୧୦-୧୧ଟା ବେଳେ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ହଳଦିଆପଡ଼ା ଗାଁର ଜୟନ୍ତ ସେନାପତିଙ୍କ ଗର୍ଭବତୀ ପତ୍ନୀ ସବିତା ସେନାପତି (୨୪)ଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଦାୟିତ୍ୱରେ ଥିବା ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ସବିତାଙ୍କ ଶରୀରରୁ ଜଳୀୟ ଅଂଶ ସାଂଘାତିକ ଭାବେ ହ୍ରାସ ପାଇଯାଇଥିବା ସହ ଗର୍ଭସ୍ଥ ଶିଶୁର ଫେଟାଲ୍ ହାର୍ଟରେ ସମସ୍ୟା ଥିବା କଥା ପରିବାର ବର୍ଗଙ୍କୁ ଜଣାଇଥିଲେ । ଏହା ସହ ତୁରନ୍ତ ଅଲଟ୍ରାସାଉଣ୍ଡ କରି ରିପୋର୍ଟ ଆଣିବାକୁ କହିଥିଲେ । ଅଲଟ୍ରାସାଉଣ୍ଡ କରିବାକୁ ଯିବା ସମୟରେ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା ଓ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଏଣୁ ପରିବାର ସଦସ୍ୟମାନେ ତାଙ୍କର ଆଉ ପରୀକ୍ଷଣ ନକରି ପୁନର୍ବାର ୱାର୍ଡକୁ ଆଣିଥିଲେ । ସେଠାରେ ଡାକ୍ତର ପରୀକ୍ଷା କରି ସବିତାଙ୍କ ମୃତ୍ୟୁ ଘଟିଥିବା କହିଥିଲେ । ଏହାପରେ ସବିତାଙ୍କ ବାପା ସୁଦର୍ଶନ ବିଶ୍ୱାଳଙ୍କୁ ସୂଚନା ଦିଆଯାଇଥିଲା । ସବିତାଙ୍କ ବାପା ହସ୍ପିଟାଲରେ ପହଂଚିଥିଲେ । ସୂଚନା ପାଇ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଂଚିଥିଲେ । ହସ୍ପିଟାଲରେ ପୁଲିସ ଉପସ୍ଥିତିରେ ସବିତାଙ୍କ ସ୍ୱାମୀ-ଶ୍ୱଶୁର ଘର, ପିତା, ହସ୍ପିଟାଲ୍ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।

ପରିବାର ସଦସ୍ୟଙ୍କ ସ୍ୱୀକୃତି ପରେ ସବିତାଙ୍କ ଶବ ବ୍ୟବଚ୍ଛେଦ କରାନଯାଇ ଅପରାହ୍ଣରେ ଭୁବନେଶ୍ୱର ଏମ୍ସ ପଠାଯାଇଥିଲା । ସେଠାରେ ଅସ୍ତ୍ରୋପଚାର ପରେ ସବିତାଙ୍କ ଶରୀରରୁ ମୃତ ଶିଶୁକୁ ବାହାର କରାଯାଇଥିଲା । ଏନେଇ ଖୋର୍ଦ୍ଧା ଟାଉନ୍ ଥାନାରେ ୯୨/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏମ୍ସରୁ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର