ରାତିରେ ଶୋଇଥିବା ସମୟରେ ମରଣାନ୍ତକ ଆକ୍ରମଣ: ଘଟଣାସ୍ଥଳରେ ବୃଦ୍ଧା ମା’ଙ୍କ ମୃତ୍ୟୁ, ସଙ୍କଟାପନ୍ନ ଅବସ୍ଥାରେ ଝିଅ ଉଦ୍ଧାର

ମୋଟୁ ବିନାୟକପୁରରେ ଚାଞ୍ଚଲ୍ୟ

ମାଲାକନଗିରି: କାଲିମେଳା ବ୍ଳକ ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ବିନାୟକପୁର ଅଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଜଣାପଡ଼ିଛି। ରାତିରେ ଘରେ ଶୋଇଥିବା ଅବସ୍ଥାରେ ବୃଦ୍ଧା ମା’ ଓ ଝିଅଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି। ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟି ଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ମୋଟୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ସାଲବମ ଲାଛି (୮୫) ଏବଂ ଗୁରୁତର ଥିବା ଝିଅ ହେଉଛନ୍ତି କାନି ସାଲବମ (୪୫) ବୋଲି ଜଣାପଡିଛି। ତେବେ ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଖବର ପାଇ ମୋଟୁ ଥାନା ଅଧିକାରୀ ରଘୁନାଥ ମାଝିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ବିନାୟକପୁର ଗ୍ରାମରେ ପହଚି ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ବିନାୟକପୁର ଗ୍ରାମରେ ମୃତ ଲାଛିଙ୍କ ସହ ତାଙ୍କ ଝିଅ ଏବଂ ନାତି ସାଲବମ ଭେଙ୍କଟେସ ରହୁଥିବା ବେଳେ କାଲିମେଳା ଠାରେ ରହି କେନ୍ଦୁପତ୍ର ଗୋଦାମରେ କାମକରୁଥିବାରୁ ସେ କାଲିମେଳାକୁ ଆସିଥିଲେ। ତେବେ ଘରେ ମା’ ଓ ଝିଅ ଏକା ରହିଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଘରେ ପଶି ଶୋଇଥିବା ମା’ ଝିଅକୁ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲା। ଏହାର କିଛି ସମୟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ଡାକୁଥିବା ବୃଦ୍ଧାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଝିଅ ଗୁରୁତର ଅବସ୍ତାରେ ସେଠାରେ ପଡି ରହିଥିଲେ।

ସେହି ସମୟରେ ଘରେ କେହିନଥିବା ବେଳେ ଘଟଣା ସମ୍ପର୍କରେ କେହି ସୂଚନା ପାଇପାରିନଥିଲେ। ଗୁରୁବାର ସକାଳେ ଗ୍ରାମର ଦୁଇଜଣ ଯୁବକ ସେହି ଘରପାଖଦେଇ ଯାଉଥିବା ସମୟରେ ଘର ବାରଣ୍ଡାରେ ଥିବା ଖଟଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବୃଦ୍ଧାଙ୍କୁ ଦେଖି ସ୍ଥାନୀୟଲୋକମାନଙ୍କୁ କହିଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର