ବ୍ରହ୍ମପୁର: ପାରିବାରିକ ଅଶାନ୍ତିକୁ ନେଇ ସୃଷ୍ଟି ହୋଇଥିବା କଳିର କରୁଣ ପରିଣତି ଘଟିଛି। ସ୍ବାମୀର କଟୁ କଥା ସହି ନପାରି ଶେଷରେ ମା’-ଝିଅ କୂଅକୁ ଡେଇଁ ପଡ଼ିଛନ୍ତି। ଉଭୟଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ବର୍ଷର ଝିଅ ଶ୍ରେୟାସୀ ସାହୁର ମୃତ୍ୟୁ ଘଟିଥିଲା। ବଡ଼ ଡାକ୍ତରଖାନା ଫାଣ୍ଡି ପୁଲିସ ଶବ ଜବତ କରିଛି।

Advertisment

ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ଜନ୍ନାଥବିବହାର ସପ୍ତମ ଲାଇନ୍‌ର ରାମଚନ୍ଦ୍ର ସାହୁଙ୍କ ଝିଅ ବିଜୟଲକ୍ଷ୍ମୀ ସାହୁଙ୍କ ଗତ ୭ବର୍ଷ ତଳେ ବାଚୁବାରୀ ସାହିର ସୀମାଞ୍ଚଳ ସାହୁ ବାହା ହୋଇଥିଲେ। ବାହାଘର ସମୟରେ ଦାବି ଅନୁସାରେ ସମସ୍ତ ପ୍ରକାର ଯୌତୁକ ସାମଗ୍ରୀ ଦିଆଯାଇଥିଲା। ଏହାପରେ ପରେ ମଧ୍ୟ ଅଧିକ ଯୌତୁକ ଦାବି କରି ବିଜୟଲକ୍ଷ୍ମୀଙ୍କୁ ନିର୍ଯାତନା ଦିଆଯାଉଥିଲା। ପରିସ୍ଥିତି ଅସମ୍ଭାଳ ହେବାରୁ ବିଜୟଲକ୍ଷ୍ମୀ କିଛିଦିନ ହେଲା ବାପା ଘର ଜଗନ୍ନାଥବିହାରକୁ ଚାଲି ଆସିଥିଲେ। ଆଜି ପୁଣିଥରେ ସ୍ବାମୀ ସୀମାଞ୍ଚଳ କୌଣସି କଥାକୁ କେନ୍ଦ୍ର କରି ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କୁ ଫୋନ୍‌ରେ ନାନା ଗାଳିଗୁଳଜ କରିଥିଲେ। ଏଥିରେ ବିଜୟଲକ୍ଷ୍ମୀ ମାନସିକ ସ୍ତରରେ ଭାଙ୍ଗିପଡ଼ି ଝିଅ ଶ୍ରେୟାସୀକୁ ଧରି ଘରେ ଥିବା କୂଅକୁ ଡେଇଁ ପଡ଼ିଥିଲେ। ଏହା ଦେଖି ପରିବାରବର୍ଗ ପଡ଼ୋଶୀ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରେୟାସୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ବିଜୟଲକ୍ଷ୍ମୀଙ୍କ ଭାଇ ନାରାୟଣ ସାହୁ ବଡ଼ ବଜାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ବଶୂର ଘର ଲୋକଙ୍କ ନିର୍ଯାତନା ସମ୍ପର୍କରେ ଗତ ୧୨ତାରିଖରେ ମହିଳା ଥାନାରେ ମଧ୍ୟ ଅଭିଯୋଗ ହୋଇଥିବା ନେଇ ନାରାୟଣ କହିଛନ୍ତି।