କୁଡ଼ିଆ ଘରେ ନିଆଁ ଲାଗି ମା’-ଦିବ୍ୟାଙ୍ଗ ଝିଅଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ଭିସ୍ମା ଥାନା ପଛପଟେ ଥିବା ଏକ କୁଡ଼ିଆ ଘରେ ନିଆଁ ଲାଗିଯିବାରୁ ଆଜି ମା’ ଓ ଦିବ୍ୟାଙ୍ଗ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମା’ ଗୋଲାପି ମେହେର (୬୦) ଓ ଝିଅ ଲକ୍ଷ୍ମୀ ମେହେର (୩୫)। ସେମାନେ ଆଜି ସନ୍ଧ୍ୟାରେ ଘର ଭିତରେ ଥିଲେ। କୌଣସି କାରଣରୁ ଚାଳ ଘରେ ନିଆଁ ଲାଗିଯାଇଥିଲା। ତେବେ ଉଭୟ ମା’-ଝିଅ ଘର ଭିତରୁ ବାହାରି ନ ପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗାଁରେ ଏକ ଘର ଜଳୁଥିବା ଦେଖି କେହି ଜଣେ ଲୋକ ପ୍ରଥମେ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଜଳୁଥିବା ଘରକୁ ଲିଭାଇ ଥିଲେ। ମାତ୍ର ସେତେବେଳକୁ ଉଭୟ ମା’ ଓ ଝିଅଙ୍କ ମୃତ୍ୟୁ ହୋଇସାରିଥିଲା।

ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ମା’-ଝିଅଙ୍କର ମୃତଦେହ ଜବତ କରିଛି। ଆସନ୍ତାକାଲି ପୋଷ୍ଟମର୍ଟମ ହେବ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଅନ୍ୟପଟରେ କୁହାଯାଉଛି ଯେ, କିଛି ଦିନ ତଳେ ଗୋଲାପି ଓ ତାଙ୍କର ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଘଟଣା ସମୟରେ ପୁଅ-ବୋହୂ ନ ଥିବାରୁ ଗାଁ ଲୋକେ ବିଭିନ୍ନ କଥା କହୁଛନ୍ତି।

ସମ୍ବନ୍ଧିତ ଖବର