ନିଆଳି: ନିଆଳି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତ ପୁରୁଣାସାତଙ୍ଗ ଗ୍ରାମରେ ପୋଖରୀରେ ବୁଡ଼ି ମା’, ପୁଅଙ୍କର ମୃତ୍ୟୁ ଘଟିଛି। ବଡ଼ଓଷାରେ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ନିକଟସ୍ଥ ପଞ୍ଚାୟତ ପୋଖରୀରେ ବୁଡ଼ି ଯାଇ ଦୁହିଁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମୃତ ରୀତା ମିଶ୍ରଙ୍କ ବାପା ଦୀନବନ୍ଧୁ ପଣ୍ତା ଚାରିଛକ ଫାଣ୍ତିରେ ଲିଖିତ ଭାବେ ଜଣାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାରୁ ପ୍ରକାଶ, ଦୀନବନ୍ଧୁ ପଣ୍ତାଙ୍କ ଝିଅ ରୀତା ମିଶ୍ର(୨୬) କାକଟପୁର ଅଞ୍ଚଳର ବେଢ଼ାବନ୍ଧ ସାହିର ପ୍ରସନ୍ନ କୁମାର ମିଶ୍ରଙ୍କୁ ବିବାହ କରିଥିଲେ। ଗତ ୧୨ତାରିଖରେ ରୀତା ନିଜର ଏକମାତ୍ର ପୁଅ ପରମଜିତ୍ ମିଶ୍ର(୭ବର୍ଷ)ଙ୍କୁ ନେଇ ତାଙ୍କ ବାପଘର ପୁରୁଣାସାତଙ୍ଗକୁ ଆସିଥିଲେ। ବଡ଼ଓଷା ପାଇଁ ଗୁରୁବାର ଭୋର୍ ୪ଟା ସମୟରେ ରୀତା ଓ ପରମଜିତ୍ ସ୍ଥାନୀୟ ବିଶ୍ବନାଥ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ପୂଜା ସାରି ଫେରିବା ବେଳେ ପରମଜିତ୍ କୁକୁର ମଳ ମାଡ଼ି ଦେବାରୁ ଗୋଡ଼ ଧୋଇବା ପାଇଁ ନିକଟସ୍ଥ ପଞ୍ଚାୟତ ପୋଖରୀକୁ ଯାଇଥିଲେ।
ଗୋଡ଼ ଧୋଉଥିବା ବେଳେ ପରମଜିତ୍ ପୋଖରୀ ଭିତରକୁ ଖସି ଯାଇଥିଲା। ତାକୁ ଧରିବା ପାଇଁ ଚେଷ୍ଟା କରିବା ବେଳେ ମା’ ରୀତା ମଧ୍ୟ ପୋଖରୀ ଭିତରକୁ ଖସି ଯାଇଥିଲେ। ଉଭୟ ମା’ ଓ ପୁଅ ପୋଖରୀରେ ବୁଡି ଯାଇଥିଲେ। ଖବର ପାଇ ରୀତାଙ୍କ ବାପା ଦୀନବନ୍ଧୁ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ମା’, ପୁଅଙ୍କୁ ଉଦ୍ଧାର କରି ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ମା’ ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ। ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ, ଏସ୍ଆଇ ଶୁଭ୍ରଜ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/2b24a7bf-c1a4-48d1-9a13-33c862b8be31.jpg)