ରାତିରେ ଶୋଇଥିଲେ ଇଟାଭାଟି ଶ୍ରମିକ; ହାତୀ ଆକ୍ରମଣରେ ମା’-ପୁଅ ମୃତ, ସ୍ବାମୀ ଗୁରୁତର

ଜମନକିରା: ସମ୍ବଲପୁର ଜିଲ୍ଲା ବାମରା ଡିଭିଜନ୍‌ ଜମନକିରା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ବିଞ୍ଜିପାଲି ସେକ୍ସନ ଆଖଡ଼ାଦାଣ୍ଡଠାରେ ମଙ୍ଗଳବାର ମଧ୍ୟରାତ୍ରିରେ ହାତୀ ଆକ୍ରମଣରେ ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ହାତୀ ଆକ୍ରମଣରେ ମହିଳାଙ୍କ ସ୍ବାମୀ ପ୍ରଶାନ୍ତ ମୁଣ୍ଡା (୪୫) ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଛି। ମୃତକ ଦ୍ବୟ ହେଲେ ଗଣ୍ଡାକୁନାଁ ଗ୍ରାମର ରୀନା ମୁଣ୍ଡା (୪୧) ଓ ତାଙ୍କ ନାବାଳକ ପୁଅ ସାହିଦ୍ ମୁଣ୍ଡା (୧୫)।

ସୂଚନାଯୋଗ୍ୟ, ଖୋଲା ପଡ଼ିଆରେ କୁର୍ମା ଭିତରେ ଇଟାଭାଟି ଶ୍ରମିକ ଖାଇ ପିଇ ଶୋଇଥିବା ବେଳେ ମଙ୍ଗଳବାର ମଧ୍ୟରାତ୍ରିରେ ହାତୀ ଆକ୍ରମଣ କରିଥିଲା। ଆଖଡ଼ାଦାଣ୍ଡ ଅଞ୍ଚଳରେ ମହିଳା ଓ ତାଙ୍କ ପୁଅଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଇତଃସ୍ତତଃ ପଡ଼ି ରହିଥିଲା। ସେଠାରେ ଇଟା ଭାଟିରେ କାମ କରୁଥିବା ଅନ୍ୟ ଶ୍ରମିକମାନେ କାମ ସରିଲେ ଗାଁକୁ ଚାଲି ଯାଉଥିଲେ।

ଏହି ଘଟଣା ଜଣାପଡିବା ପରେ ଆଖ ପାଖ ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଦନ୍ତା ହାତୀ ଇଟାଭାଟି ଶ୍ରମିକ ପରିବାରକୁ ଆକ୍ରମଣ କରି ଘଞ୍ଚ ଜଙ୍ଗଲକୁ ଚାଲି ଯାଇଥିଲା। ବୁଧବାର ସକାଳେ ଖବର ପାଇ ଜମନକିରା ଫରେଷ୍ଟ ରେଞ୍ଜ୍‌ ଅଫିସର ଲକ୍ଷ୍ମୀ ନାରାୟଣ ନାଏକଙ୍କ ନେତୃତ୍ବରେ ଫରେଷ୍ଟର୍‌ ଟିକନ ଚୌଧୁରୀ ଓ ହେମନ୍ତ ମିଶ୍ର, ବନ କର୍ମଚାରୀ ତଥା କୁଚିଣ୍ଡା ଆଇଆଇସି କମଲ୍ ପଣ୍ଡାଙ୍କ ନେତୃତ୍ବରେ ପୁଲିସ ଟିମ୍ ଆଖଡ଼ାଦାଣ୍ଡରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ବିଭିନ୍ନ ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝି ମାମଲା ରୁଜୁ କରିଥିଲେ। ମୃତା ମହିଳା ଓ ତାଙ୍କ ନାବାଳକ ପୁଅଙ୍କ ଶବ ଜବତ କରି କୁଚିଣ୍ଡା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର