ଡାହାଣୀ ସନ୍ଦେହ: ହତ୍ୟା ପରେ ବ୍ରାହ୍ମଣୀ ନଦୀକୁ ମା’-ଝିଅଙ୍କୁ ଫିଙ୍ଗିଦେଲେ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗାଈଡେଗା ଗାଁର ରାବଣଝୋଲା ବସ୍ତିରେ ଡାହାଣୀ ସନ୍ଦେହରେ ମା’ ଓ ଝିଅଙ୍କୁ ହତ୍ୟା କରାଯାଇଛି। ଆତତାୟୀମାନେ ଉଭୟଙ୍କୁ ପିଟି ପିଟି ମାରି ଦେବା ପରେ ମୃତ ଶରୀର ଦୁଇଟିକୁ ବ୍ରାହ୍ମଣୀ ନଦୀରେ ଭସାଇ ଦେଇଥିଲେ। ଆଜି ମାଆଙ୍କର ଶବ ବ୍ରାହ୍ମଣୀ ନଦୀର ଦର୍ଜିଂ ଶିବ ମନ୍ଦିର ଘାଟରୁ ଉଦ୍ଧାର କରାଯାଇଛି। ଝିଅ ଶବର ଏଯାଏ ପତ୍ତା ମିଳିନାହିଁ। ପତ୍ନୀ ଓ ଝିଅକୁ ହରାଇବାପରେ ନିଜ ଜୀବନ ବଞ୍ଚାଇବା ପାଇଁ ପୁରୁଷ ଜଣକ ଗାଁ ଛାଡ଼ି ପଳାଇଛନ୍ତି। ଗ୍ରାମରକ୍ଷୀଙ୍କ ସୂଚନା ଆଧାରରେ ଚାନ୍ଦିପୋଷ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ଗାଈଡେଗା ରାବଣଝୋଲା ବସ୍ତିର ବିର୍ସା କେରକେଟାଙ୍କ ପତ୍ନୀ ଗାଙ୍ଗି କେରକେଟାଙ୍କୁ ଗ୍ରାମର କେତେକ ଲୋକ ଡାହାଣୀ ବୋଲି ସନ୍ଦେହ କରୁଥିଲେ। ଅନ୍ଧବିଶ୍ୱାସର ଅନ୍ଧାର ଭିତରେ ରହିଥିବା ସେ ଗାଁ ଲୋକମାନେ ଭାବୁଥିଲେ ଯେ ଗାଙ୍ଗିଙ୍କ ପାଇଁ ଗାଁରେ ଅନେକ କ୍ଷୟକ୍ଷତି ହେଉଛି ଓ ଲୋକେ ଅସୁସ୍ଥ ରହୁଛନ୍ତି। ଗତ ୯ ତାରିଖ ସଂଧ୍ୟାରେ ହତ୍ୟାକାରୀମାନେ ଗ୍ରାମରେ ଏକ ବେଠକ ଡାକି ଗାଙ୍ଗି ଡାହାଣୀ ବୋଲି ଘୋଷଣା କରିଥିଲେ। ବୈଠକ ଶେଷରେ ସେମାନେ ସଂଘବଦ୍ଧ ଭାବେ ବିର୍ସାଙ୍କ ଘର ଉପରେ ଚଢଉ କରିଥିଲେ। ଚଢଉ ବେଳେ ବିର୍ସା ଜଙ୍ଗଲ ଭିତରକୁ ଖସି ପଳାଇ ଯାଇଥିଲେ। ଘରେ ଥିବା ଗାଙ୍ଗି ଓ ତାଙ୍କର ୫ ବର୍ଷର ଝିଅ ଶିବାନୀକୁ ରକ୍ତମୁଖା ଲୋକେ ପିଟି ପିଟି ହତ୍ୟା କରିଥିଲେ। ତା’ପରେ ମହିଳା ଓ ତାଙ୍କ ଝିଅର ମୃତ ଶରୀରକୁ ଦୁଇଟି ପ୍ଲାଷ୍ଟିକ୍‌ ବସ୍ତାରେ ବାନ୍ଧି ବ୍ରାହ୍ମଣୀ ନଦୀ ଭିତରକୁ ପକାଇ ଦେଇଥିଲେ।

ଗ୍ରାମବାସୀଙ୍କ କବଳରୁ ଖସି ଯାଇ ର୍ବିସା ଟାଇଁସରସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ପଳାଇଥିଲେ। ସେଠାରୁ ଟେଲିଫୋନ୍‌ରେ ସେ ଚାନ୍ଦିପୋଷ ପୁଲିସକୁ ଘଟଣା ସମ୍ପର୍କରେ କହିଥିଲେ। ପୁଲିସ କୌଣସି ମାମଲା ରୁଜୁ କରି ନଥିଲେ ମଧ୍ୟ ଟେଲିଫୋନ ସୂଚନା ଆଧାରରେ ଛାନଭିନ କରିଥିଲା। ପୁଲିସ ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ଖୋଜାଖୋଜି କରିଥିଲା। ଆଜି ମହିଳାଙ୍କ ଶବ ନଦୀରୁ ମିଳିବା ପରେ ଗାଁ ଛାଡ଼ି ପଳାଇଥିବା ବିର୍ସାଙ୍କୁ ଡକାଇ ପୁଲିସ ଶବ ଚିହ୍ନଟ କରିଛି। ହତ୍ୟାକାରୀ ଗ୍ରାମବାସୀମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର