ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମରେ ଗତ ୨ ତାରିଖ ବିଳମ୍ବିତ ରାତିରେ ରଶ୍ମିତା ଗୌଡ଼ ତାଙ୍କ ତିନି ସନ୍ତାନଙ୍କୁ କୂଅ ଭିତରକୁ ଫୋପାଡ଼ି ନିଜେ ମଧ୍ୟ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ତାଙ୍କ ଝିଅ ଆଲିଶା (୧୦ ମାସ) ଓ ପୁଅ ଆଶିଷ (୫ ବର୍ଷ)ର ମୃତ୍ୟୁ ଘଟିଥିଲା। ‌ତେବେ ରଶ୍ମିତା ଓ ବଡ଼ଝିଅ ଗୁଞ୍ଜନ (୯ ବର୍ଷ)ଙ୍କୁ ଗ୍ରାମବାସୀ ସୁରକ୍ଷିତ ଭାବେ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାକୁ ଫେରିବା ପରେ ରଶ୍ମିତା ନିଜ ଦୁଇ ପିଲାଙ୍କ ମୃତ୍ୟୁ ଖବର ଜାଣି ନିଜ ଜିଭକୁ କାଟି ପୁଣି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଶେରଗଡ଼ ଥାନାରେ ଏନେଇ କେସ୍ ନମ୍ବର ୩୪୫ ଆଇପିସି ୩୦୨ ଓ ୩୦୭ ଦଫାରେ ହତ୍ୟା ମାମଲା ରୁଜୁ ପରେ ରଶ୍ମିତାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବ୍ରହ୍ମପୁର ବଡ଼ ମେଡିକାଲରୁ ରଶ୍ମିତା ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

Advertisment

ଅନ୍ୟପକ୍ଷରେ ରଶ୍ମିତାଙ୍କ ସ୍ବାମୀ ବଳରାମ ଗୌଡ଼ ଚେନ୍ନାଇରୁ ଗାଁକୁ ଫେରିଛନ୍ତି। ପରିବାରରେ ଆର୍ଥିକ ଅନଟନକୁ ନେଇ ରଶ୍ମିତା ଓ ବଳରାମଙ୍କ ମଧ୍ୟରେ ମୋବାଇଲ୍‌ରେ ପାଟିତୁଣ୍ଡ ହୋଇଥିଲା। ଏହାସହ ବଳିଆ ପ୍ରତିଦିନ ମଦ ପିଉଥିଲେ। ଘଟଣା ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶେଷରେ ରଶ୍ମିତା ତିନି ସନ୍ତାନଙ୍କ ସହ ମିଶି ଆତ୍ମହତ୍ୟା କରିବାକୁ ଚରମ ପଦକ୍ଷେପ ନେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବ‌େ ବଳରାମଙ୍କୁ ଜେରା କଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଥାନାଧିକାରୀ ମନୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି।