ପୁଅକୁ ମରଣ ମୁହଁରୁ ବଞ୍ଚାଇବା ପାଇଁ କାନିପାତି ଭିକ ମାଗୁଛି ମାଆ

ପୁରୀ: ଭେଣ୍ଡିଆ ପୁଅକୁ ମରଣ ମୁହଁରୁ ବଞ୍ଚାଇବା ପାଇଁ କାନିପାତି ଭିକ ମାଗୁଛି ମାଆ । ପୁଅର ଆୟୁଷକୁ ବଢେଇ ଦେବାକୁ ଏ ଦୁଆରରୁ ସେ ଦୁଆର ହେଉଛି ମାଆ । ଯେଉଁ ବୟସରେ ପୁଅ ବୁଢା ବାପା-ମାଆର ସାହାର ହେବା କଥା, ସେହି ବୟସରେ ପୁଅ ପାଇଁ ପରର ହାତ ଟେକାକୁ ଚାହିଁ ରହିଛନ୍ତି ବାପା ଓ ମାଆ ।

ସେପଟେ ସ୍ୱାମୀ ରୋଗ ଶଯ୍ୟାରେ ପଡିବା ପରେ ସ୍ତ୍ରୀ ଆଖିରୁ ଲୁହ ଶୁଖୁନି । ଘରର ରୋଜଗାରିଆ ଲୋକ ରୋଗଶଯ୍ୟାରେ ପଡିଯିବା ପରେ ଏବେ ଅସହାୟ ହୋଇପଡିଛି ପୂରା ପରିବାର । ଓଳିଏ ଖାଇଲେ ଦିଓଳି ଉପାସ ରହୁଛନ୍ତି ପରିବାର ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ୍ ଭି.ଆର୍.ପି. କଲୋନୀର ବାବାଜୀ ଦାସଙ୍କ ପୁଅ ରାମଚନ୍ଦ୍ର ଦାସ । ରାମଚନ୍ଦ୍ର ରାଜ୍ୟ ବାହାରେ ପାଇପ ମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଥିଲେ । ହେଲେ ଗତ ଦେଢ ବର୍ଷ ହେବ କିଡନୀ ରୋଗରେ ପୀଡିତ ଅଛନ୍ତି ରାମଚନ୍ଦ୍ର । ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ରାମଚନ୍ଦ୍ର । ଆଉ ପରିବାର ଲୋକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇସାରିଲେଣି ।

ରାମଚନ୍ଦ୍ରଙ୍କ ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ । ରୋଜଗାରିଆ ପୁଅର ଏଭଳି ଅବସ୍ଥା ଦେଖି ବାପା, ମାଆ, ସ୍ତ୍ରୀ ଓ ପୁଅ-ଝିଅଙ୍କ ଆଖିକୁ ନିଦ ଆସୁନି । ସେପଟେ ପୁଅର ଦୁଃଖକୁ ସହି ନପାରି ବୁଢୀ ମାଆ ଗାଁ ଗାଁ ବୁଲି କାନିପତାଇ ଭିକ ମାଗୁଛି । ଆଉ ପୁଅକୁ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରୁଛନ୍ତି । ସେପଟେ ଭୋକିଲା ପରିବାର ମୁହଁରେ ଦାନା ମୁଠେ ଦେବା ପାଇଁ ସ୍ତ୍ରୀ ପର ଘରେ ମୂଲ ଲାଗୁଛନ୍ତି ।

ରାମଚନ୍ଦ୍ରଙ୍କ ଏଭଳି ଅବସ୍ଥା ପରେ ପିଲାମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଭଙ୍ଗା ଦଦରା ଚାଳ ଛପର ଘରେ ରାମଚନ୍ଦ୍ରଙ୍କ ପରିବାରର ଜୀବନ ବିତୁଛି । ରାମଚନ୍ଦ୍ରଙ୍କ ଗୋଟିଏ କିଡନି ପ୍ରତ୍ୟାରୋପଣ ପାଇଁ ୧୫ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି । ଏତେ ଟଙ୍କା ଆସିବ ବା କେଉଁଠୁ? ଭୋକ ଉପାସରେ ଦିନ କାଟୁଥିବା ପରିବାର ପାଖେ ଏବେ ରାମଚନ୍ଦ୍ରଙ୍କ ଚିକିତ୍ସା କରିବା ବାଧକ ସାଜିଛି । ସେଥିପାଇଁ ରାଜ୍ୟ ସରକାର ଓ ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡିଛନ୍ତି ପରିବାର ।

ଯଦି ଆପଣ ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ତାଙ୍କ ଆକାଉଣ୍ଟ ନମ୍ବରରେ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ ।

ସମ୍ବନ୍ଧିତ ଖବର