ନଗ୍ରମ ସୁପାରି କିଲିଂ ଘଟଣା: ଅନ୍ୟତମ ଅଭିଯୁକ୍ତ ଗିରଫ, ଝିଅର ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିଲା ମା’

ବାଲେଶ୍ବର: ସଦର ଥାନା ନଗ୍ରମ ସ୍ଥିତ ବେଲନାଳ ପାଖରେ ଗତ ଜାନୁଆରି ମାସ ୧୨ ତାରିଖ ରାତିରେ ସ୍ଥାନୀୟ ଅଞ୍ଚଳର ଚୋରା ମଦ ବ୍ୟବସାୟୀ ଶିବାନୀ ଗିରିଙ୍କୁ ନିର୍ମମ ହତ୍ୟା ମାମଲାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ରବୀନ୍ଦ୍ର ନାୟକକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରାପିଷ୍ଟର ଘର ବସ୍ତା ଥାନା ଗୋବିନ୍ଦା ଅଞ୍ଚଳରେ। ‌ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା କଟିଛୁଆ ଓରଫ୍‌ ପ୍ରମୋଦ ଜେନା(୩୨) ଏବଂ ସୁକୁରି ଓରଫ୍‌ ସୁକାନ୍ତି ଗିରି(୫୮)କୁ ହତ୍ୟାକାଣ୍ଡର ୫ ଦିନ ପରେ ଅର୍ଥାତ୍‌ ଜାନୁଆରି ୧୭ ତାରିଖରେ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା।

ପ୍ରକାଶଥାଉକି, ଏହି ଘଟଣାରେ ପରିବାରର ସମ୍ମାନ ପାଇଁ ଝିଅର ହତ୍ୟାକାରୀ ସାଜିଥିଲା ମା। ହତ୍ୟାକାଣ୍ଡର ଶିକାର ହୋଇଥିବା ଶିବାନୀ ନାୟକ(୩୮) ୧୦ ବର୍ଷ ହେଲା ସ୍ବାମୀଙ୍କୁ ଛାଡ଼ି ନିଜ ମା’ ସୁକାନ୍ତି ଗିରି ପାଖରେ ରହୁଥିଲେ। ଏଠାରେ ରହିବା ବେଳେ ସେ ଏକ ଚା’ ଦୋକାନ କରିବା ସହ ଚୋରା ମଦ କାରବାର କରୁଥିଲେ। ଏହା ଜାଣିବା ପରେ ମା’ ସୁକାନ୍ତି ଏହାକୁ ବିରୋଧ କରିଥିଲେ। ଘରେ ଶିବାନୀଙ୍କର ଦୁଇ ବଢ଼ିଲା ଝିଅ ରହିଥିବାବେଳେ ସେମାନେ କଲେଜରେ ଭଲ ପାଠ ମଧ୍ୟ ପଢ଼ୁଥିଲେ। ପରିବାରର ସମ୍ମାନ ଓ ନାତୁଣିଙ୍କ ଭବିଷ୍ୟତ ଦୃଷ୍ଟିରୁ ଶିବାନୀକୁ ତୁରନ୍ତ ମଦ କାରବାର ବନ୍ଦ କରିବାକୁ କହିଥିଲେ ମା ସୁକାନ୍ତି। କିନ୍ତୁ ଶିବାନୀ କାହା କଥା ଶୁଣିନଥିଲେ। ଝିଅର ଏଭଳି ଚାଲିଚଳଣି, ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ଯୋଗୁଁ ପରିବାରର ସାମାଜିକ ସମ୍ମାନ କ୍ଷୁର୍ଣ୍ଣ ହୋଇଥିଲା। ତେଣୁ ସବୁଦିନ ପାଇଁ ଝିଅକୁ ରାସ୍ତାରୁ ହଟାଇବା ପାଇଁ ସୁକାନ୍ତି ଷଡ଼ଯନ୍ତ୍ର ରଚିଥିଲେ।

ଝିଅ ସହ ବେଶୀ ମିଳାମିଶା କରୁଥିବା ସ୍ଥାନୀୟ ଅଞ୍ଚଳର କାର ଡ୍ରାଇଭର କଟିଛୁଆ ଓରଫ୍‌ ପ୍ରମୋଦ ଜେନା ସହ ଡିଲ୍‌ ହୋଇଥିଲା ଏବଂ ଶିବାନୀଙ୍କୁ ହତ୍ୟା କରିବା ପାଇଁ ୮୦ ହଜାର ଟଙ୍କା ସୁପାରି ଦିଆଯିବ ବୋଲି କହିଥିଲେ ସୁକାନ୍ତି। ଏହାପରେ ପ୍ରମୋଦ ଅଗ୍ରିମ ୮ହଜାର ଟଙ୍କା ନେଇ କାମ ସରିବା ପରେ ବାକି ଟଙ୍କା ନେବାକୁ କଥା ଛିଣ୍ଡିଥିଲା। ଯୋଜନା ମୁତାବକ ଗତ ୧୨ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ଶିବାନୀ ଦୋକାନ ବନ୍ଦ କରିବା ପରେ ପ୍ରମୋଦ, ରେପିଷ୍ଟ ଏବଂ ଅନ୍ୟ ଜଣେ ସହଯୋଗୀ କାର୍‌ ନେଇ ତାଙ୍କ ଦୋକାନ ପାଖରେ ପହଞ୍ଚିଥିଲେ। ସେଠାରେ ୪ ଜଣ କାର ଭିତରେ ପ୍ରଚୁର ମଦ ପିଇଥିଲେ। ଶିବାନୀଙ୍କୁ ମାତ୍ରାଧିକ ନିଶା ହେବା ପରେ ସେମାନେ ତାଙ୍କୁ ନଗ୍ରମସ୍ଥିତ ବେଲନାଳ ପାଖ ପୋଲ ନିକଟକୁ ନେଇ ଯାଇଥିଲେ।

ସେଠାରେ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ନିର୍ମମ ଭାବେ ହତ୍ୟା କରିବା ପରେ ପୋଲ ତଳକୁ ଫୋପାଡ଼ି ଦେଇଥିଲେ। ୧୩ ତାରିଖ ସକାଳେ ଶିବାନୀଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉକ୍ତ ନାଳରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ହଳଦୀପଦା ଫାଣ୍ଡିକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଫାଣ୍ଡି ପୁଲିସ ଏବଂ ତତ୍କାକାଳୀନ ଏସ୍‌ଡିପିଓ ପ୍ରଭାସ ପପାଲ ପହଞ୍ଚି ସରଜମୀ ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହାପରେ ଧରାପଡ଼ିବା ପରେ ପଚରାଉଚରା ବେଳେ ପ୍ରମୋଦ ହତ୍ୟାକାଣ୍ଡର ସମସ୍ତ ଘଟଣା ମାନିଯାଇଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ କାର, ଇଟା, ଫ୍ୟାନ୍‌, ବେଲ୍ଟ ଆଦି ଜିନିଷକୁ ପୁଲିସ ଜବତ କରିଥିବା ବେଳେ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା ଆଇଆଇସି ଅଶୋକ ନାୟକ ସୂଚନା ‌ଦେଇଛନ୍ତି।

ସମ୍ବନ୍ଧିତ ଖବର