୭ ମାସର ଝିଅକୁ ମାରି ମା’ର ଆତ୍ମହତ୍ୟା!

କଟକ: କଟକର ସେଲଟର ଛକସ୍ଥିତ ଏସ୍‌ବିଆଇ କଲୋନିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୭ ମାସର ଝିଅକୁ ମାରିବା ପରେ ମା’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଉଛନ୍ତି ବନସ୍ମିତା ଓଝା (୩୩) ଓ ତାଙ୍କର ୭ ମାସର ଝିଅ। ଘର ଭିତରେ ଝିଅର ରକ୍ତାକ୍ତ ଶବ ପଡ଼ିଥିଲାବେଳେ ମା’ ଫ୍ୟାନ୍‌ରେ ଲୁଗା ଲଗାଇ ଫାଶି ଦେଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୁଲିସ୍‌ ସ୍ପଷ୍ଟ କରିନାହିଁ। ପୁଲିସ୍‌ ମୃତଦେହକୁ ଘର ଭିତରେ ରଖିଥିଲାବେଳେ ଆସନ୍ତାକାଲି ସେମାନଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ ବନସ୍ମିତା କଟକରେ ଥିବା ଏସ୍‌ବିଆଇ ମୁଖ୍ୟ ଶାଖାରେ କାର୍ଯ୍ୟ କରନ୍ତି। ତାଙ୍କ ସ୍ବାମୀ ଭାସ୍କର ଓଝା ଜାଇକାରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ବନସ୍ମିତା ୭ମାସ ହେବ ମାଟରନିଟି ଲିଭ୍‌ରେ ଥିଲେ। ଏହି ସମୟରେ ସେ ତାଙ୍କ ବାପ ଘରେ ଥିଲା ବେଳେ ଗଲା ୫ ଦିନ ହେବ କଟକ ଫେରିଥିଲେ। କିନ୍ତୁ ଏବେ ବି ସେ ଛୁଟିରେ ଥିଲେ। ଆଜି ସକାଳେ ସବୁକିଛି ଠିକ୍‌ଠାକ୍‌ ଥିଲା। ଭାସ୍କର ଖାଇସାରି ଡ୍ୟୁଟିକୁ ବାହାରିଯାଇଥିଲେ। ସନ୍ଧ୍ୟାବେଳକୁ ତାଙ୍କ ପଡେ଼ାଶୀ ଘର କବାଟ ବାଡେଇ ଥିଲେ ବି କେହି ଖୋଲି ନଥିଲେ।

କାଳେ ବନସ୍ମିତା ଶୋଇ ପଡ଼ିଥିବେ ଭାବି ପଡୋଶୀ ସେଠାରୁ ଚାଲିଯାଇଥିଲେ। ଏମିତି ବାରମ୍ବାର ଦୁଇ ତିନି ଘଣ୍ଟା ଧରି କବାଟ ବାଡେଇବା ପରେ ବନସ୍ମିତା କବାଟ ନଖୋଲିବାରୁ ପଡେ଼ାଶୀଙ୍କର ସନ୍ଦେହ ହୋଇଥିଲା। ତେଣୁ କବାଟ ଭାଙ୍ଗି ଘରେ ପଶି ଦେଖିବାରୁ ତଳେ ଝିଅର ରକ୍ତାକ୍ତ ମୃତଦେହ ପଡ଼ିଥିଲାବେଳେ ବନସ୍ମିତା ଫ୍ୟାନ୍‌ରେ ଲୁଗା ଲଗେଇ ଝୁଲି ରହିଥିଲେ। ତୁରନ୍ତ ପୁଲିସ୍‌ ଓ ଭାସ୍କରଙ୍କୁ ଏବିଷୟରେ ଖବର ଦିଆଯାଇଥିଲା। ଖବର ପାଇ ବିଡାନାସୀ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଘରକୁ ସିଲ୍‌ କରିଛି। ଏଥିସହ ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ପହଞ୍ଚି ଏହା ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଖୋଜୁଛି। ପୁଲିସ୍‌ଠୁ ମିଳିଥିବା ସୂଚନା ଅନୁଯାୟୀ, ୭ମାସର ଶିଶୁର ବେକକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବା ଦେଖାଯାଉଥିବାବେଳେ ବନସ୍ମିତା ଫ୍ୟାନ୍‌ରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି।

ତେବେ ପଡୋଶୀଙ୍କଠୁ ମିଳିଥିବା ସୂଚନା ଅନୁସାରେ ବନସ୍ମିତାଙ୍କ ୫ ବର୍ଷର ବଡ଼ ଝିଅ ଏବେ ତାଙ୍କ ବାପଘରେ ରହୁଛି। ସାନ ଝିଅ ଜନ୍ମ ହେବା ପରେ ତା ମସ୍ତିଷ୍କରେ ବଡ଼ ଧରଣର ତ୍ରୁଟି ରହିଥିଲା। ଯେଉଁଥିପାଇଁ ଶିଶୁର ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା। କିନ୍ତୁ ରୋଗ ଭଲ ହେଉ ନଥିବାରୁ ବନସ୍ମିତା ଓ ଭାସ୍କର ଅବସାଦ ମଧ୍ୟରେ ରହୁଥିଲେ। ବୋଧହୁଏ ଏଥିପାଇଁ ବନସ୍ମିତା ଝିଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ‌ସନ୍ଦେହ କରାଯାଉଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର