ଗଂଜାମରେ ଜନନୀ ଯନ୍ତ୍ରଣା: କନ୍ୟା ସନ୍ତାନ ଜନ୍ମ ପରେ ପ୍ରସୂତିଙ୍କ ମୃତ୍ୟୁ

ପାତ୍ରପୁର: ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ୍‌ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଂଚାୟତ କିଞ୍ଚରଡା ଗ୍ରାମରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। କନ୍ୟା ସନ୍ତାନ ଜନ୍ମ ପରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ପ୍ରସୂତି ଜଣକ ହେଲେ ବିନୋଦ ନାୟକଙ୍କ ପତ୍ନୀ କୁମାରୀ ନାୟକ (୨୧)। କୁମାରୀଙ୍କ ପ୍ରସବ ବେଦନା ଆସିବା ପରେ ପରିବାର ଓ ଗ୍ରାମବାସୀ ଦୋଳାରେ ଆଣୁଥିବା ବେଳେ ଜଙ୍ଗଲ ମଧ୍ୟରେ ଥିବା ଆମ୍ବନାଳ ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପରେ ପ୍ରସୂତି ଓ କନ୍ୟା ସନ୍ତାନକୁ ପାହାଡ ତଳ ଗ୍ରାମ ବେଙ୍ଗେଇସାହିକୁ ଆଣିବା ପରେ ସେଠାରୁ ୧୦୮ ଯୋଗେ ପାତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ପରେ ପ୍ରସୂତୀ ଓ ଜନ୍ମିତ କନ୍ୟାକୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ର ଛାଡି ଦିଆଯାଇଛି ।

ତେବେ ପ୍ରସୂତିର ମୃତ୍ୟୁ ପରେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ସଦ୍ୟଜନ୍ମିତ କନ୍ୟା ସନ୍ତାନକୁ ତରବରିଆ ଭାବେ ଛାଡିଦେଇଥିବା ଅଭିଯୋଗ ହୋଇଛି। ଜନ୍ମିତ ସନ୍ତାନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସୁସ୍ଥ ପରେ ଛାଡିବାର ନିୟମ ରହିଥିବା ବେଳେ କିଭଳି ମୃତ ପ୍ରସୂତିଙ୍କ ସହ ଛାଡିଦେଲେ ତାହା ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ମୃତ ପ୍ରସୂତୀଙ୍କୁ ଆମ୍ବୁଲାନ୍ସ ଯୋଗେ ବେଙ୍ଗେଇସାହି ନେବା ପରେ ସେଠାରୁ ଦୋଳାକରି ପୁଣି ମୃତ ପ୍ରସୂତିଙ୍କୁ ନେଇ ଗ୍ରାମରେ ଶବଦାହ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର