ଚଣ୍ଡିଖୋଲ: ଆଉ ମାତ୍ର କେଇ ଘଣ୍ଟା ଭିତରେ ଝିଅର ବାହାଘର ହୋଇଥାନ୍ତା। ଘରେ ବନ୍ଧୁବାନ୍ଧବ, ଆତ୍ମୀୟଙ୍କ ଗହଳି ଲାଗିଥିଲା। ବେଦି ସଜା ସରିଥିଲା। କିଛି ସମୟ ଭିତରେ ବର ଆସି ପହଞ୍ଚିଥାନ୍ତା। କନ୍ୟା ସଜେଇ ହୋଇ ବେଦିକୁ ଯିବାକୁ ଅପେକ୍ଷାରେ ଥିଲାବେଳେ ତାଙ୍କ ମା’ ସବୁଦିନ ପାଇଁ ଆଖିବୁଜିଲେ। ଖୁସି ଓ ଆନନ୍ଦରେ ପୂରି ଉଠୁଥିବା ଘରେ ଶୋକାକୁଳ ପରିବେଶ ଛାଇଗଲା। ଏମିତି ଦୁଃଖଦ ଘଟଣା ଘଟିଛି ବଡ଼ଚଣା ବ୍ଲକ୍ ଚାରିନଙ୍ଗଳ ପଞ୍ଚାୟତର ବାହାଦୁରନଗର ଗ୍ରାମରେ।
ସୂଚନା ମୁତାବକ ଏହି ଗ୍ରାମର କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ଅଧିକାରୀ ଥିବା ନରେନ୍ଦ୍ର କୁମାର ସାହୁଙ୍କ ଦ୍ଵିତୀୟ କନ୍ୟା ଟିକିନାଙ୍କର ୮ ତାରିଖ ଗୁରୁବାର ସନ୍ଧ୍ୟାରେ ଥିଲା ବିବାହ ଉତ୍ସବ। ସବୁକିଛି ଠିକଠାକ ଚାଲିଥିବା ବେଳେ ହଠାତ ନରେନ୍ଦ୍ରଙ୍କ ପତ୍ନୀ ପୁଷ୍ପଲତା (୫୫) ଙ୍କର ଦେହାନ୍ତ ହୋଇ ଯାଇଥିଲା। ସେ ଗତ କିଛି ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ। ଝିଅ ବାହାଘର ଦେଖିବାକୁ ସେ ବେଶ୍ ଖୁସି ଥିଲେ। ମାତ୍ର ତାଙ୍କ ଇଚ୍ଛା ପୂରଣ ହେଲାନି। ଏଭଳି ଏକ ଦୁଃଖଦ ସମୟରେ ନରେନ୍ଦ୍ରଙ୍କୁ ସହଯୋଗର ହାତ ବଢ଼ାଇ ଗ୍ରାମବାସୀ ଏକାଠି ହୋଇଥିଲେ। ଏକ ସମୟରେ ବିବାହ କିପରି ସୁରୁଖୁରୁରେ ହୋଇ ଝିଅ ଶାଶୂଘରକୁ ଯିବ ଏବଂ ଅନ୍ୟପଟେ ମା’ର ଶେଷକୃତ୍ୟ କରାଯିବ, ସେନେଇ ବ୍ୟବସ୍ଥା କରିଥିଲେ। ଏହି ଘଟଣା ପରେ ବର ଆଉ ଗାଁକୁ ନଆସି ବିନା ରୋଶଣିରେ ଓଳାଶୁଣୀ ପୀଠକୁ ଯାଇଥିଲା। ସେଠାରେ ରବୀନ୍ଦ୍ରନାଥ ସାମଲ, ନିବାରଣ ସାହୁ, ଉତ୍କକ କେଶରୀ ସାମଲ, ଶିବ ପ୍ରସାଦ ସାମଲ ଓ ବିଜୟ କୁମାର ସାମଲ ପ୍ରମୁଖ ବିବାହ କାର୍ଯ୍ୟ ସମାପନ କରିଥିଲେ। କନ୍ୟାର ମାମୁ କନ୍ୟାଦାନ କରିଥିଲେ। ଶବ ସତ୍କାର କାର୍ଯ୍ୟରେ ପ୍ରଦୀପ୍ତ ସାମଲ, ସୁଦାମ ସାମଲ, ରମେଶ ଚନ୍ଦ୍ର ସାମଲ ଓ ସଞ୍ଜୟ କୁମାର ଖୁଣ୍ଟିଆ ସହଯୋଗ କରିଥିଲେ। ପୁତୁରା ଗୁଲସନ ମୁଖାଗ୍ନି ଦେଇଥିଲେ। ନିଜ ମାଆଙ୍କୁ ହରାଇବା ସହିତ ପରିବାର ଛାଡ଼ି ଶାଶୂଘରକୁ ଯିବା ସମୟରେ କନ୍ୟା ଟିକିନାର ବିକଳ କ୍ରନ୍ଦନର ଦୃଶ୍ୟ ସମସ୍ତଙ୍କ ଆଖିରୁ ଲୁହ ଝରାଇ ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/33-5.jpg)