ରାୟଗଡା: ରାୟଗଡା ଜିଲ୍ଲାର ଆମ୍ବାଦୋଳା ପୁଲିସ ଥାନା ଅଂଚଳରେ ଏକ ଦୁଃଖଦ ଘଟଣା ଘଟିଛି। ୪ ମାସର ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ମା‘ର ସାପ କାମୁଡାରେ ମୃତ୍ୟୁ ହୋଇଯାଇଛି। ମୁନିଗୁଡା ବ୍ଲକର ଡିମିରିଗୁଡା ପଞ୍ଚାୟତର ଉଚିମୁଚି ଗ୍ରାମରେ ଏଭଳି ଘଟଣା ଘଟିଛି । ଏହି ଗ୍ରାମରେ ରାଜୁ ମାଝି ନାମକ ବ୍ୟକ୍ତି ଦିନ ମଜୁରିଆ ଭାବେ କାମ କରି ତାର ପରିବାରର ପ୍ରତିପୋଷଣ କରୁଥିଲା। ରହିବା ପାଇଁ ପକ୍କା ଘର ନଥିବା ବେଳେ ଏକ କୁଡିଆ ଘରେ ବହୁ କଷ୍ଟରେ ଜୀବନ ବିତାଉଥିଲେ। ଗତ ଶୁକ୍ରବାର ରାତିରେ ସବୁଦିନ ଭଳି ରାତ୍ରି ଭୋଜନ ସାରିବା ପରେ ରାଜୁ, ପତ୍ନୀ ଟିକିଲି ଏବଂ ଦୁଇ ବର୍ଷର ଝିଅ ଏବଂ ଚାରି ମାସର ଝିଅ ଶୋଇପଡିଥିଲେ। ରାତିରେ ଏକ ବିଷାକ୍ତ ସାପ ଘରେ ପଶି ପତ୍ନୀ ଟିକିଲିଙ୍କ ବାମ ହାତର ଅଙ୍ଗୁଳିକୁ କାମୁଡି ଦେଇଥିଲା।
ପ୍ରଥମେ ଟିକିଲି କିଛି ବୁଝି ପାରିନଥିଲେ। ହାତରେ କଣ କାମୁଡିଲା ଭାବି ଟିକେ ହେଳା କରିବା ଭିତରେ ସେ ଗୁରୁତର ହୋଇ ମୃତ୍ୟୁବରଣ କରିଥିଲା। ଗତକାଲି ଟିକିଲିର ମୃତ ଦେହକୁ ଆମ୍ବାଦୋଳା ମେଡିକାଲକୁ ଅଣାଯାଇଥିଲା। ସେଠାରେ ଟିକିଲି ମୃତ୍ୟୁବରଣ କରିଥିବା ଡାକ୍ତର ପ୍ରକାଶ କରିଥିଲେ। ପରେ ଶବକୁ ବ୍ୟବଛେଦ ପାଇଁ ମୁନିଗୁଡାକୁ ନିଆଯାଇଥିଲା। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଚାରି ମାସର ଝିଅ କ୍ଷୀର ପିଉଥିବାରୁ ସେ ମା‘କୁ ଝୁରି କାନ୍ଦୁଥିବା ସ୍ବାମୀ ରାଜୁ ପ୍ରକାଶ କରିଛନ୍ତି ।
ଏବେ ରାଜୁ କୁଡିଆରେ ଦୁଇ ଝିଅଙ୍କୁ ନେଇ ଅସହାୟ ଅବସ୍ଥାରେ ପଡି ରହିଛି। ଦୁଇ ଝିଅର କିପରି ସେବାଶୁଶ୍ରୁଷା କରିବ ସେନଇ ଚିନ୍ତାରେ ପଡିଛି। ସାନ ଝିଅ ମା‘କୁ ଝୁରି ଦିନରାତି କାନ୍ଦିବାରେ ଲାଗିଛି। ଅନ୍ୟଦିଗରେ ବଡ ଝିଅ ମା‘ ସଂପର୍କରେ ସବୁବେଳେ ପଚାରୁଛି। ଏପରିସ୍ଥଳେ ସେ କାମ କରିବାକୁ ଯିବ ନା ପିଲାଙ୍କୁ ଦେଖାଶୁଣା କରିବେ କିଛି ବୁଝିପାରୁନାହାଁନ୍ତି । ରାଜୁ ଅତି ଗରିବ ହୋଇଥିବା ବେଳେ ଏକ କୁଡିଆ ଘରେ ଦିନ ବିତୁଛି।ପତ୍ନୀକୁ ହରାଇବା ପରେ ସାପ କାମୁଡାରେ ତାର ଦୁଇ ଝିଅକୁ ହରାଇବାକୁ ସେ ଚାହୁଁନଥିବା କାନ୍ଦି କାନ୍ଦି କହିଛି। ରାଜୁକୁ ପକ୍କା ଘର ତୁରନ୍ତ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।