ଖୋର୍ଦ୍ଧା: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରତିଶ୍ରୁତି ପରିବାର ପକ୍ଷରୁ ପ୍ରତିବର୍ଷ ଭଳି ମଙ୍ଗଳବାର ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଗୀତାଭବନ ପଡ଼ିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସନାତନ ମିଶ୍ର ଓ ତାଙ୍କ ପତ୍ନୀ ସରୋଜିନୀ ମିଶ୍ର ଯୋଗ ଦେଇଥିଲେ। ଓଡ଼ିଶାର ସ୍ୱନାମଧନ୍ୟ ଶିଶୁ ପ୍ରବଚକ କେଶବ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରବଚକ କେଶବ ଦାସ ନିଜ ବକ୍ତବ୍ୟରେ ସନ୍ତାନଙ୍କ ନିମନ୍ତେ ମାତା-ପିତାଙ୍କ ଭୂମିକା, ତ୍ୟାଗ ଓ ବଳିଦାନର ପ୍ରତୀକ। ଏଣୁ ତାଙ୍କୁ ଯଥାର୍ଥ ସମ୍ମାନ କରିବା ପ୍ରତ୍ୟେକ ସନ୍ତାନର କର୍ତବ୍ୟ। ସେହିଭଳି ଅନ୍ୟତମ ପ୍ରମୁଖ ପ୍ରବଚକ ବାବା ବଳିଆ ଆଭାସୀ ମାଧ୍ୟମରେ ମାତୃପିତୃ ପୂଜନ ଦିବସର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ କହିଥିଲେ।
ଏହି ଅବସରରେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡରେ ମହିଳା ଏନସିସି କଣ୍ଟିଜେଣ୍ଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୋନାଲି ସାହୁ ଓ ଶିଶୁ ପ୍ରବଚକ କେଶବ ଦାସଙ୍କୁ ଭକ୍ତି ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ନିଜର ପିତାମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ଓ ଭକ୍ତି ସଂଗୀତ ପରିବେଶିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ପ୍ରତିଶ୍ରୁତି ପରିବାରର ଆବାହକ ବ୍ରଜମୋହନ ସାହୁ, ଚୌଧୁରୀ ଅମ୍ବିକା ଦାସ, ବୈକୁଣ୍ଠ ମହାପାତ୍ର, ଗୁଣନିଧି ମହାପାତ୍ର, ବସନ୍ତା ଦାସଙ୍କ ସହ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।