ପଟ୍ଟାମୁଣ୍ଡାଇ: ମନ କିଣିନେଲା ଟ୍ୟୁସନ ମାଷ୍ଟର | ନିଜ ଛୁଆଙ୍କୁ ପାଠ ପଢ଼ାଇବାକୁ ଆସୁଥିବା ଟ୍ୟୁସନ ସାରଙ୍କ ପ୍ରେମରେ ପାଗଳି ହେଲା ଜନ୍ମକଲା ମା | ହେଲେ ପ୍ରେମ ରାସ୍ତାରେ କଣ୍ଟା ସାଜୁଥିଲା କୁନି ପୁଅ | ଆଉ ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ନିଜ ରାସ୍ତାର କଣ୍ଟାକୁ ନିଜ ହାତରେ ହଟାଇଲା। କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ଏହା ଏକଦମ ସତ | ଏଭଳି ସ୍ପର୍ଶକାତର ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଟିଆପଡା ଗାଁରେ।ଦୁହିଡିପୁର ଗାଁର ସସ୍ମିତା ନାଥ ମାଟିଆପଡା ଗାଁର ସୁକାନ୍ତ ନାଥଙ୍କୁ ବିବାହ କରିଥିଲେ। ସସ୍ମିତା ଓ ସୁକାନ୍ତଙ୍କର ତିନୋଟି ପିଲା ଥିବାବେଳେ ସସ୍ମିତାଙ୍କ ସ୍ୱାମୀ ସୁକାନ୍ତ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ। ସସ୍ମିତା ଓ ତା ସ୍ବାମୀ ପଟ୍ଟାମୁଣ୍ଡାଇରେ ପିଲାଙ୍କ ପାଠପଢ଼ା ପାଇଁ ଭଡା ନେଇ ରହୁଥିଲେ | ଆଉ ସେମାନଙ୍କୁ ଟ୍ୟୁସନ କରୁଥିଲେ ଲକ୍ଷ୍ମୀଧର ବାଇ | ତେବେ ସ୍ୱାମୀଙ୍କ ଅନୁପସ୍ଥିତିରେ ସସ୍ମିତା ଗୁପ୍ତିରା ଗାଁର ଲକ୍ଷ୍ମୀଧର ବାଇଙ୍କୁ ପ୍ରେମ କରି ବସିଥିଲେ। ଦୀର୍ଘଦିନ ଧରି ସସ୍ମିତା ଓ ଲକ୍ଷ୍ମୀଧରଙ୍କ ସହ ନିବିଡ଼ ସମ୍ପର୍କ ଗଢି ଉଠିଥିଲା।

Advertisment

ତେବେ ସସ୍ମିତା ଓ ଲକ୍ଷ୍ମୀଧର ଉଭୟେ ଘର ଓ ପରିବାର ଛାଡି ବିବାହ କରି ଅନ୍ୟତ୍ର ରହିବେ ବୋଲି ନିଷ୍ପତି ନେଇଥିଲେ। ସସ୍ମିତା ତାଙ୍କ ବଡ଼ପୁଅ ଓ ଝିଅକୁ ନିଜ ବାପଘରେ ଛାଡି ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରିଥିଲେ | କିନ୍ତୁ ସସ୍ମିତାଙ୍କ ପ୍ରେମରେ କଣ୍ଟା ସାଜିଥିଲା ତିନି ବର୍ଷ ବୟସର ସାନପୁଅ। ସାନପୁଅକୁ ନେଇ ବିଭିନ୍ନ ସମୟରେ ସସ୍ମିତା ଓ ଲକ୍ଷ୍ମୀଧରଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଶେଷରେ ସାନପୁଅକୁ ହଟାଇବାକୁ ଉଭୟ ପ୍ରେମୀଯୁଗଳ ନିଷ୍ପତ୍ତି ନେଇଥିଲେ । ଯେଉଁଥିପାଇଁ ନିଷ୍ପାପ ଶିଶୁଟି ନିଜ ମା'ର ପ୍ରେମନିଶା ପାଇଁ ବଳି ପଡିଥିଲା।ଆଉ ନାଟକୀୟ ଢଙ୍ଗରେ ପୁଅକୁ ହତ୍ୟା କରି ଛାତ ଉପରୁ ପଡି ଯାଇଥିବା କହି ସସ୍ମିତା ମୃତ ଶିଶୁପୁତ୍ରକୁ ମେଡିକାଲ ଆଣିଥିଲେ | ଯେଉଁଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିବା ପରେ କାହାକୁ କିଛି ନଜଣାଇ ଶିଶୁପୁତ୍ରକୁ ପୋତି ଦେଇଥିଲେ ।

ତେବେ ଗତକାଲି ଲକ୍ଷ୍ମୀଧର, ସସ୍ମିତାଙ୍କ ବାପଘରକୁ ଯାଇଥିବା ସମୟରେ ସସ୍ମିତାଙ୍କ ବଡ଼ପୁଅ ଓ ଝିଅ ଆସାମୀ ଲକ୍ଷ୍ମୀଧରକୁ ଚିହ୍ନିବା ସହିତ ନିଜ ମାମୁଁ ଘରେ ବଖାଣି କହିଥିଲେ ମା'ର ପ୍ରେମକାହାଣୀ | ଏହା ପରେ ଗ୍ରାମବାସୀ ଲକ୍ଷ୍ମୀଧରକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ।ଅଭିଯୋଗ ପାଇବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା। ଆଜି ପଟ୍ଟାମୁଣ୍ଡାଇ ପୁଲିସ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଇଥିଲା।ପୁଲିସ ସାଇଣ୍ଟଫିକ ଟିମ ମାଜିଷ୍ଟ୍ରେଟଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରର ଶବ ଉଦ୍ଧାର କରିବା ସହିତ ସହିତ ତଦନ୍ତ ଜାରି ରଖିଛି।