ମା’ ଶଯ୍ୟାଶାୟୀ, ପୁଅ ଭିନ୍ନକ୍ଷମ: ଅର୍ଥ ଚିନ୍ତାରେ ପରିବାର

ନନ୍ଦପୁର: ରୋଗାକ୍ରାନ୍ତ ହୋଇ ଖଟିଆରେ ଶୋଇଛି ମା’। ଏପଟେ ଗୋଟିଏ ପୁଅ ଭିନ୍ନକ୍ଷମ। ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ପାଇଁ ଅନ୍ୟର ସାହାରା ଆବଶ୍ୟକ ପଡୁଛି। ହେଲେ ଗରିବ ପରିବାର ଏମାନଙ୍କ ଚିକିତ୍ସା କରିବାରେ ଅସମର୍ଥ। ଏଭଳି ଏକ ପରିବାରକୁ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ସିଡିପୁଟ ଗ୍ରାମରେ।
ସିଡିପୁଟ ଗ୍ରାମର କାମରାଜ ପଲାସୀ ପତ୍ନୀ ଗୋରାମା, ଦୁଇ ପୁଅ କ୍ରିଷ୍ଣାରାଓ ଓ ନାଗେଶଙ୍କୁ ନେଇ ହସଖୁସିରେ ଚଳୁଥିଲେ। ତେବେ ୧୦ବର୍ଷ ତଳେ ହଠାତ୍‌ ଏହି ପରିବାର ଉପରେ ଦୁଃଖର ବାଦଲ ଛାଇଗଲା। କାମରାଜଙ୍କ ପତ୍ନୀ ଗୋରାମା(୫୦) ଅସୁସ୍ଥ ହୋଇଥିଲେ। ପରେ ତାଙ୍କ ହାତଗୋଡ କାମ କରିନଥିଲା। ସେହି ଦିନ ଠାରୁ ଗୋରାମା ଶଯ୍ୟାଶାୟୀ ହୋଇ ରହିଛନ୍ତି। ପରିବାର ଲୋକଙ୍କ ସାହାରାରେ ଗୋରାମା ଶଯ୍ୟାରୁ ଉଠି ବସୁଛନ୍ତି। ଗୋରାମାର ଚିକିତ୍ସା ନିମନ୍ତେ କାମରାଜ ଚିନ୍ତାରେ ଥିବା ବେଳେ ୮ବର୍ଷ ତଳେ ସାନ ପୁଅ କ୍ରିଷ୍ଣାରାଓ(୧୮)ଙ୍କ ମଧ୍ୟ ୨ଟି ଗୋଡ ଅଚଳ ହୋଇଯାଇଥିଲା।

କ୍ରିଷ୍ଣାରାଓ ବର୍ତମାନ ଗୁରୁଣ୍ଡି ଗୁରୁଣ୍ଡି ବୁଲୁଛନ୍ତି। ଏଭଳି ପରିସ୍ଥିତିରେ ପତ୍ନୀ ଓ ପୁଅର ଚିକିତ୍ସା କିଭଳି ହେବ ସେନେଇ କାମରାଜ ଚିନ୍ତାରେ ରହୁଛନ୍ତି। ଅନ୍ୟପଟେ ବଡପୁଅ ନାଗେଶଙ୍କ ପତ୍ନୀ ମାଙ୍ଗା ମଧ୍ୟ ଅସୁସ୍ଥ ଅଛନ୍ତି। କୁଲି ମଜୁରି କଲେ ଦୁଃଖକଷ୍ଟରେ ପରିବାର ଚଳୁଛି। ପରିବାର ଚଳାଇବା ପାଇଁ ଟଙ୍କା ନଥିବା ବେଳେ ପତ୍ନୀ ଓ ପୁଅର ଚିକିତ୍ସା ନିମନ୍ତେ ଟଙ୍କା କିଭଳି ଯୋଗାଡ ହେବ ବୋଲି କାମରାଜ କହିଛନ୍ତି। ପ୍ରଶାସନ ପକ୍ଷରୁ ଏହି ପରିବାରକୁ ମାତ୍ର ରାସନକାର୍ଡ ମିଳିଥିବା ବେଳେ ଅନ୍ୟ କୌଣସି ସହାୟତା ମିଳିନି। ପତ୍ନୀ ଓ ପୁଅର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା, ଉଭୟଙ୍କୁ ଭତ୍ତା ପ୍ରଦାନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବା ନିମନ୍ତେ କାମରାଜ ପଲାସୀ ପ୍ରଶାସନକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର