ବାସନ ମାଜୁଥିବା ବେଳେ କୁରାଢ଼ୀ ଚୋଟ ମାରିଲା ପୁଅ, ମା’ଙ୍କ ମୃତ୍ୟୁ

କ.ନୂଆଗାଁ/ତୁମୁଡିବନ୍ଧ: ଘରେ ଅଇଁଠା ବାସନ ମାଜୁଥିବା ବେଳେ ପୁଅ ପଛପଟରୁ ଆସି ଅତର୍କିତ ଆକ୍ରମଣ କରିଛି। ପୁଅର କୁରାଢ଼ୀ ଚୋଟରେ ମା’ଙ୍କ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲାର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡ଼ି ପଞ୍ଚାୟତ ପାଡେଲକିଆ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମା’ ପ୍ରମା ପ୍ରଧାନ (୪୦)ଙ୍କୁ ହତ୍ୟା କରିବା ଘଟଣାରେ ପୁଅ ସୁନୀଲ ପ୍ରଧାନ (୨୦)କୁ ପୁଲିସ ଗିରଫ କରିଛି।

ପୁଲିସ କହିଛି, ଆଜି ସକାଳ ପ୍ରାୟ ୯ଟାରେ ପ୍ରମା ବାସନ ମାଜୁଥିଲେ। ଏହି ସମୟରେ ପଛପଟରୁ ସୁନୀଲ ଆସିଥିଲା। ସୁନୀଲ ଅଚାନକ ମା’ର ମୁଣ୍ଡକୁ ଲକ୍ଷ୍ୟ କରି କୁରାଢ଼ୀ ଚୋଟ ମାରିଥିଲା। ଫଳରେ ପ୍ରମା ତଳେ ପଡ଼ି ଯାଇଥିଲେ। ହତ୍ୟା ପରେ ସୁନୀଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କିନ୍ତୁ ପରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା।

ହତ୍ୟାକାଣ୍ଡ ପରେ ପଡ଼ିଶା ଘର ଲୋକେ ପ୍ରମା ତଳେ ପଡ଼ିଥିବା ଦେଖିଥିଲେ। ସେମାନେ ଚିତ୍କାର କରିବାରୁ ଘଟଣାସ୍ଥଳରେ ଅଧିକ ଲୋକ ରୁଣ୍ଡ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ପୁଲିସ ଅଭିଯୁକ୍ତ ସୁନୀଲକୁ ଅଧିକ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର