ଖଟ ଉପରେ ଝିଅର ଶବ ମିଳିବା ଘଟଣାର ପର୍ଦ୍ଦାଫାସ: ମା’ ହିଁ ହତ୍ୟାକାରୀ, ହତ୍ୟା ପରେ ଅଳଙ୍କାର ଧରି ଛୁ ମାରିଥିଲା ମା’

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ମାଉଳୀବେର୍ଣ୍ଣା ଖଲିଆବାହାଲ ଗ୍ରାମ ଏକ ଘର ଭିତରେ ମଙ୍ଗଳବାର ୨ ବର୍ଷର ଶିଶୁକନ୍ୟାର ଶବ ପଡ଼ିଥିବା ବେଳେ ମା’ର କୌଣସି ପତ୍ତା ନମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାରେ ଲଖନପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସମୟରେ ନିଖୋଜ ମହିଳା ଝରଣା ବାଗ ଓରଫ ଭାରତୀ(୨୬)ଙ୍କୁ ଗିରଫ କରିଛି। ଭାରତୀଙ୍କ ନିକଟରୁ ୨ଟି ସୁନା ହାର, ସୁନା କାନଫୁଲ, ରୁପା ଲକେଟ ଓ ମୋବାଇଲ୍‌ ଜବତ କରାଯାଇଛି। ତେବେ ଝିଅ ପାଇଁ ଘରେ ଅଶାନ୍ତି ହେଉଥିବା ଆଶଙ୍କା କରି ଝରଣା ଏଭଳି କାଣ୍ଡ ଭିଆଇଥିବା ନେଇ ପୁଲିସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ଜଣେ ମା’ କେମିତି ଏଭଳି ନୃଶଂସ ହୋଇପାରେ ବୋଲି ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ପୁଲିସ ସୂଚନା ଅନୁସାରେ, ୨୦୨୧ ମସିହାରେ ଛତିଶଗଡ଼ ଜିଲ୍ଲା ରାୟଗଡ଼ର ଝରଣା ଓ ଖଲିଆବାହାଲର ବିଦ୍ୟାଧରଙ୍କର ବିବାହ ହୋଇଥିଲା। ୨୦୨୨ ମସିହାରେ ଝରଣା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ବିବାହ ପରଠୁ ଝରଣାଙ୍କ ତାଙ୍କ ଶାଶୂଘର ଲୋକଙ୍କ ସହିତ ପଡ଼ୁ ନ ଥିଲା । ଅନେକ ସମୟରେ ଝଗଡ଼ା ବି ହେଉଥିଲା। ତେବେ ଝିଅ ଜନ୍ମ ହୋଇଥିବାରୁ ଶାଶୂଘର ଲୋକେ ଖୁସି ନ ଥିବାରୁ ତାଙ୍କ ସହିତ ଝଗଡ଼ା କରୁଥିବା ନେଇ ଝରଣା କହୁଥିଲେ। ମଙ୍ଗଳବାର ସବୁଦିନ ଭଳି ବିଦ୍ୟାଧର କାମ କରିବାକୁ ଲଖନପୁରକୁ ଯାଇଥିଲେ। ସେଠାରୁ ଅପରାହ୍‌ଣରେ ଫେରି ଦେଖିବା ବେଳକୁ ଝିଅ ଶିବାନୀ(୨ବର୍ଷ)ର ମୃତଦେହ ଖଟରେ ପଡ଼ିଥିଲା। ସେତେବେଳେ ଝରଣା ଘରେ ନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ବି ଝରଣାଙ୍କର କୌଣସି ପତ୍ତା ମିଳିନଥିଲା।

ଯାହାକି ଘଟଣାକୁ ଅଧିକ ରହସ୍ୟମୟ କରି ଦେଇଥିଲା। ସୂଚନା ପାଇ ଲଖନପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଗାଁ ପୋଖରୀ ନିକଟରେ ଝରଣାଙ୍କର ଗାଧୁଆ ବାଲଟି ଓ ଚପଲ ପଡ଼ି ରହିଥିବାରୁ ସେ ଆତ୍ମହତ୍ୟା କରିଦେଇଥିବା ସନ୍ଦହେ ଘନୀଭୂତ ହୋଇଥିଲା। ସେପଟେ ବିଦ୍ୟାଧର ଘର ଭିତରକୁ ଯାଇ ଦେଖିବା ବେଳକୁ ଝରଣାଙ୍କର ମୋବାଇଲ୍‌ ଓ ଅଳଙ୍କାର ନଥିବା ଜଣାପଡ଼ିଥିଲା। ଯେଉଁଥିରୁ ଝରଣା ଝିଅକୁ ହତ୍ୟା କରି ଚାଲି ଯାଇଥିବା ନେଇ ପୁଲିସ୍‌ ସନ୍ଦେହ କରିଥିଲା। ରାତିରେ ଛତିଶଗଡ଼-ଓଡ଼ିଶା ସୀମାନ୍ତ କନକତୋରାରେ ପୁଲିସ୍‌ର ଚେକିଂ ଚାଲିଥିବା ବେଳେ ଝରଣା ସେଠାରେ ଧରା ପଡ଼ିଥିଲେ। ପଚରାଉଚରା ପରେ ଝିଅକୁ ନେଇ ଘରେ ଅଶାନ୍ତି ହେଉଥିବାରୁ ବିଦ୍ୟାଧର କାମକୁ ଯିବା ପରେ ଝିଅ ମୁହଁରେ ତକିଆ ଦେଇ ତାକୁହତ୍ୟା କରିଦେଇଥିବା ପୁଲିସ୍‌ ଆଗରେ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର