କ୍ରୋଧ ବ୍ରହ୍ମଚଣ୍ଡାଳ : ମା’ର ଶକ୍ତ ଚାପୁଡ଼ାରେ ଅଢ଼େଇ ବର୍ଷ ପୁଅ ମୃତ

ପୋଲସରା : କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ। କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ କେତେବେଳେ କଣ ଭୁଲ୍ କରିବସେ, ତାହାର ପରିଣାମ କେତେ ମାରାତ୍ମକ ହୋଇପାରେ, ପ୍ରାୟଶ୍ଚିତ ପାଇଁ ସୁଯୋଗ ନଥାଏ। ରାଗରେ ନିଜ କର୍ମ ଶେଷରେ ଜନ୍ମକଲା ପୁଅର ଜୀବନ ନେଇଯିବ, ଏ କଥା ଭାବିଲା ବେଳକୁ ଆଉ କଛି ନଥିଲା। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଜକର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖାଇବା ବେଳେ ପୁଅ ରାହା ଧରି କାନ୍ଦିବାରୁ ମାଆ ହିତାହିତ ଜ୍ଞାନ ଭୁଲି ଏକ ଶକ୍ତ ଚାପୁଡ଼ା ମାରିବା ଫଳରେ ନିରୀହ ଶିଶୁର ଜୀବନଦୀନ ଅକାଳରେ ଲିଭିଯାଇଛି।
ମିଳିଥିବା ସୂଚନାନୁସାରେ, ଜକର ଗ୍ରାମ ରଘୁନାଥ ସାହିର ପ୍ରକାଶ ଜେନାଙ୍କ ଝିଅ ମମତା ନିକଟସ୍ଥ ମଥୁରା ଗ୍ରାମରେ ବିବାହ କରିଥିଲେ। କିନ୍ତୁ ସ୍ବାମୀଙ୍କ ସହ ଝଗଡ଼ା ଯୋଗୁଁ ସେ କିଛି ବର୍ଷ ହେଲା ଅଢ଼େଇ ବର୍ଷର ପୁଅ ଆୟୁଷ ସହ ବାପାଙ୍କ ଘରେ ରହୁଥିଲେ। ଆୟୁଷର ଦେହ ବେଳେବେଳେ ଅସୁସ୍ଥ ହେଉଥିବା ସହ ମମତା ବି ଦାମ୍ପତ୍ୟ ଜୀବନକୁ ନେଇ ମାନସିକ ଚିନ୍ତାରେ ରହୁଥିଲେ। ଗତ ଶନିବାର ମମତା ପୁଅ ଆୟୁଷକୁ ଭାତ ଖୁଆଉଥିବା ସମୟରେ ଆୟୁଷ ଦୁଷ୍ଟାମି କରିବା ସହ ନଖାଇ ରାହା ଧରି କାନ୍ଦିଥିଲା। ଅସହିଷ୍ଣୁ ହୋଇପଡ଼ି ମମତା ଆୟୁଷକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ହଠାତ୍ ଆୟୁଷ ଅଚେତ ହୋଇ ପଡ଼ିଥିଲା। ମମତା ଓ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇ ପଡ଼ୋଶୀଙ୍କ ସହ ମିଶି ଆୟୁଷକୁ ଡାକ୍ତରଖାନାକୁ ଆଣୁଥିବା ସମୟରେ ବାଟରେ ତା’ର ମୃତ୍ୟୁ ହୋଇ ଯାଇଥିଲା। ପରେ ଗାଁରେ ଶବ ସଂସ୍କାର କରା ଯାଇଥିଲା। ଏହି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଆୟୁଷର ବି ସ୍ବାସ୍ଥ୍ୟ ସମସ୍ୟା ଥିଲା। ଏଥିପାଇଁ ଯତ୍ନବାନ୍ ହେବାକୁ ଡାକ୍ତର ବହୁବାର ପରାମର୍ଶ ଦେଇଥିଲେ। ହୁଏତ ଅଝଟ ପୁଅକୁ ବୁଝାଇଥିଲେ ଆଜି ଏହି ଦିନ ଦେଖିବାକୁ ପଡ଼ି ନଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି। ତ‌େବେ ପୁଅର ମୃତ୍ୟୁ ପରେ ମମତା ବି ପାଗଳପ୍ରାୟ ହୋଇ ଯାଇଛନ୍ତି।
ଅନ୍ୟପକ୍ଷରେ ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏନେଇ ପୁଲିସ ନିକଟରେ କୌଣସି ଏତଲା ହୋଇନାହିଁ।

ସମ୍ବନ୍ଧିତ ଖବର