ବିଶ୍ୱାସ ନ ହେଲେ ବି ସତ: ରାତି ୧୨ଟା ପରେ ଆପେ ଚାଲୁଛି ମୋଟରସାଇକେଲ

ଚିତ୍ରକୋଣ୍ଡା: ରାତି ପ୍ରାୟ ୧୨ଟା ପରେ ମୋଟରସାଇକେଲ ଆପେ ଆପେ ଚାଲୁଛି । ମୋଟରସାଇକେଲ ବିନା ଚାଳକରେ ଚାଲିବା ଭଳି ଘଟଣା ରହସ୍ୟମୟ ଭଳି ଲାଗୁଥିଲେ ସତ । ଏଭଳି ଏକ ଅଦ୍ଭୁତ ଘଟଣାକୁ ନେଇ ଚିତ୍ରକୋଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚିତ୍ରକୋଣ୍ଡା ସଦରମହକୁମା ସ୍ଥିତ ଦୈନିକ ବଜାର ମାର୍କେଟର ଚିତ୍ରକୋଣ୍ଡା ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି ବ୍ୟବସାୟୀ ସୁରେନ୍ଦ୍ର ଦାସ । ଗତ କିଛି ଦିନ ହେବ ନିଜ ଘର ମରାମତି କରୁଥିବାରୁ ନିଜ ମୋଟରସାଇକେଲକୁ ୩ତାରିଖ ରାତି ୮ଟା ସମୟରେ ନିଜ ଘର ଆଗରେ ଥିବା ସୀତାରାମ ଏଣ୍ଟରପ୍ରାଇସେସ ନାମକ ଏକ ଦୋକାନ ସମ୍ମୁଖରେ ବାଇକଟିର ହ୍ୟାଣ୍ଡେଲ ଲକ କରି ପାର୍କିଂଗ କରିଥିଲେ । ୪ ତାରିଖ ଭୋର ସକାଳୁ ଉଠି ଦେଖନ୍ତି ଯେ ନିଜ ମୋଟରସାଇକେଲଟି କିଛି ଦୂରରେ ପଡି ଯାଇଛି | ସେ ପୁଅକୁ ଡାକି ମୋଟରସାଇକେଲକୁ ଉଠାଇବାକୁ କହି ଫୁଲ ତୋଳିବାକୁ ଚାଲି ଯାଇଥିଲେ। ସେହିଦିନ ରାତିରେ ମଧ୍ୟ ନିଜ ମୋଟର ସାଇକେଲକୁ ସେଇ ସ୍ଥାନରେ ପାର୍କିଂଗ କରିଥିଲେ।

ସକାଳୁ ଉଠି ଦେଖନ୍ତି ଯେ ପୂର୍ବ ଦିନ ଭଳି ମୋଟରସାଇକେଲଟି ପାର୍କିଂଗ କରିଥିବା ଜାଗାରୁ ଅଳ୍ପ ଦୂରରେ ପଡିକି ରହିଛି। ବାରମ୍ବାର ଏଭଳି ହେଉଥିବା ଦେଖି ଘଟଣା ସମ୍ପର୍କରେ ସୀତାରାମ ଏଣ୍ଟରପ୍ରାଇସେସର ମାଲିକ ସୁନୀଲଙ୍କୁ ଘଟଣା ସମ୍ପର୍କରେ କହିଥିଲେ। କିଏ ଜଣେ ଜାଣି ଶୁଣି ଏଭଳି ବଦମାସି କାମ କରୁଛି ବୋଲି ଭାବି ସୀତାରାମ ଏଣ୍ଟରପ୍ରାଇସେସରେ ଲାଗିଥିବା ସିସିଟିଭି ଦେଖିଥିଲେ । ସିସିଟିଭିରେ ଘଟଣା ସମୟର ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହ୍ୟାଣ୍ଡେଲ ଲକ ଥିବା ସତ୍ୱେ ବିନା ଚାଳକରେ ମୋଟରସାଇକେଲଟି ଷ୍ଟାର୍ଟ ହୋଇ କିଛି ଦୂର ଆଗକୁ ଯିବା ସହ ଓଲଟି ପଡୁଥିଲା। ପୂର୍ବ ଦିନ ଭଳି ଦ୍ଵିତୀୟ ଦିନ ମଧ୍ୟ ମୋଟରସାଇକେଲଟି ସେଭଳି ଆଗକୁ ଯାଇ ଓଲଟି ପଡ଼ିଥିଲା। ବିଜ୍ଞାନ ଯୁଗରେ ଏଭଳି ଏକ ଅଦ୍ଭୁତ ଘଟଣା ସମ୍ପର୍କରେ ଚାରିଆଡେ ପ୍ରସାରିତ ହେବା ପରେ ଘଟଣା ସମୟର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିଷୟରେ ଗାଡି ମାଲିକ ସୁରେନ୍ଦ୍ର ଦାସଙ୍କୁ ପଚାରିବାରୁ ଏହା କୌଣସି ଭୁତପ୍ରେତର କାମ ନୁହେଁ ବରଂ ତାଙ୍କ ଉପରେ କେହି ଜଣେ ରାଗ ରଖି ଗୁଣିଗାରେଡି କରୁଥିବା ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର