ଖୋର୍ଦ୍ଧା: ଚଳିତ ମାସ ୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରାମେଶ୍ୱର ଛକ ନିକଟରେ ମହେଶ୍ୱର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ନିରାକାରପୁର ଥାନା ଅଧିକାରୀ ଅପରାଧୀକୁ ଧରିବା ବଦଳରେ ଖସେଇବାକୁ ଉଦ୍ୟମ କରୁଛି ବୋଲି ବିଜେପି ମୁଖପାତ୍ର ସୋନାଲି ସାହୁ ଅଭିଯୋଗ କରିଛନ୍ତି । ଏନେଇ ଏକ ସ୍ମାରକପତ୍ର ସେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କୁ ଭେଟି ପ୍ରଦାନ କରିଛନ୍ତି ।

Advertisment

ଆଜି ପୂର୍ବାହ୍ଣରେ ଶ୍ରୀମତୀ ସାହୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୩ ତାରିଖରେ ଆକ୍ରମଣର ଶିକାର ହୋଇଥିବା ମହେଶ୍ୱରଙ୍କ ମା’ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯେଉଁ ବ୍ୟକ୍ତି ମହେଶ୍ୱର ସାହୁଙ୍କୁ ଛୁରାମାଡ଼ କରିଥିଲେ ସେ ଘଟଣା ପ୍ରକାଶ୍ୟରେ ଘଟିଥିବା ଓ ଅଭିଯୁକ୍ତ ସମ୍ପର୍କରେ ପୁଲିସ ଜାଣିଥିଲେ ମଧ୍ୟ ତାଙ୍କୁ ଧରିବା ପରିବର୍ତେ ଥାନା ଅଧିକାରୀ ଗୀତାଂଜଳି ନାୟକ ଖସାଇଦେବାକୁ ଉଦ୍ୟମ କରିଛନ୍ତି । ଉଭୟ ଅଭିଯୁକ୍ତ ଓ ଥାନା ଅଧିକାରୀଙ୍କ ଫୋନ୍ ରେକର୍ଡ ଯାଂଚରେ ଉଭୟଙ୍କ ସମ୍ପର୍କ ପଦାରେ ପଡ଼ିବ ବୋଲି ସେ ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି । ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ ମାମଲାର ତଦନ୍ତ କରୁଥିବା ଥାନା ଅଧିକାରୀ ନିରପେକ୍ଷ ନଥିବାରୁ ଏକ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ଅଧିକାରୀ କିମ୍ବା କମିଟି ଦ୍ୱାରା ଘଟଣାର ଯାଂଚ କରିବାକୁ ସେ ଦାବି କରିଛନ୍ତି ।