ଶୁଦ୍ଧ ପିଇବାପାଣି ସୁବିଧା ପାଇଁ ଆଦିବାସୀ ଗାଆଁରେ ନୂଆ ପ୍ରୟାସ: ଯାନ୍ତ୍ରିକ ନଳକୂଅ ପାଇଁ ବୈଷୟିକ ସଂସ୍ଥା ସହ ଚୁକ୍ତିନାମା

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ସରିଗଣ୍ଡା ଗ୍ରାମପଞ୍ଚାୟତର ଡାଳିପଦର ଗାଁରେ ଏକମାତ୍ର ନଳକୂଅର ପାଣିକୁ ବ୍ୟବହାର ଉପଯୋଗୀ କରାଯାଇପାରିଛି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ଆର୍ଥିକ ସହଯୋଗ କ୍ରମେ ‘ଅନ୍ୱେଷା ଅଧ୍ୟୟନ ଷ୍ଟ୍ରାଟେଜିଜ୍‌’ ନାମକ ଏକ ବୈଷୟିକ ସଂସ୍ଥା ସହ ଗ୍ରାମବାସୀମାନେ ଚୁକ୍ତିନାମା କରିଛନ୍ତି। ଏଥିପାଇଁ ଗାଁରେ ବସାଯାଇଥିବା ଜଳଶୋଧନ ଯନ୍ତ୍ରର ରକ୍ଷଣାବେକ୍ଷଣ ପାଇଁ ଗ୍ରାମବାସୀଙ୍କୁ ପ୍ରଥମେ ତାଲିମ ଦିଆଯାଇ ଚଳିତ ମାର୍ଚ୍ଚ ମାସ ୨୬ ତାରିଖରେ ହସ୍ତାନ୍ତର କରାଯାଇଛି। ଏଥିରେ ନଳକୂଅର ହାଣ୍ଡ୍‌ପମ୍ପ୍‌କୁ ପୂର୍ବବତ୍‌ କାର୍ଯ୍ୟକ୍ଷମ ରଖି ଏକ ପମ୍ପ୍‌ରେ ପାଣି ଉଠାଇବାର ବ୍ୟବସ୍ଥା ଖଂଜାଯାଇଛି। ଏହି ପମ୍ପ୍‌ ଉଭୟ ସୌରଶକ୍ତି ଓ ବିଦ୍ୟୁତ୍‌ ଶକ୍ତିରେ ଚାଲିପାରୁଛି।

ସୂଚନାଯୋଗ୍ୟ, ଗାଁରେ ଅନ୍ୟ କୌଣସି ବିକଳ୍ପ ଜଳଉତ୍ସ ନଥିବା ବେଳେ ଉକ୍ତ ନଳକୂଅର ପାଣିରେ ବାଲ୍‌ଟି ଓ ବାସନକୁସନ କଳା ପଡ଼ିଯାଉଥିଲା ଏବଂ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର ବି କାରଣ ହେଉଥିଲା। ଏହି ଯାନ୍ତ୍ରିକ ନଳକୂଅ ଏବେ ଗାଆଁ ଲୋକଙ୍କର ପିଇବା ରାନ୍ଧିବା ସମେତ ଅନ୍ୟ ଉଦ୍ଦେଶ୍ୟରେ ଲାଗିପାରୁଛି। ପିଇବାପାଣି ସମସ୍ୟାର ସମାଧାନ ପାଇଁ ଏକ ବୈଷୟିକ ସଂସ୍ଥାର ଏଭଳି ସହଯୋଗ ନେବାରେ ଓଡ଼ିଶା ସରକାରଙ୍କର ଏହା ପ୍ରଥମ ନମୁନା। ୮ ମାର୍ଚ ଆନ୍ତର୍ଜାତିକ ମହିଳା ଦିବସରୁ କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ ୨୬ରେ ଏହି ଯାନ୍ତ୍ରିକ ନଳକୂଅ ତଥା ଜଳବିଶୋଧନ ବ୍ୟବସ୍ଥା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହୋଇଛି।

ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ କରିଥିବା ବେଳେ ସେହି ଉତ୍ସବରେ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ବୈଷୟିକ ସଂସ୍ଥାର ନିର୍ଦେଶକ ଶ୍ରୀୟା ମହାନ୍ତି, ଆଇଏମ୍‌ଏମ୍‌ଟି ବୈଜ୍ଞାନିକ ଡକ୍ଟର ଦେବବ୍ରତ ସିଂହ, ସରପଞ୍ଚ କସ୍ତୁରୀ ବେହେରା, ଡାଳିପଦର ପଞ୍ଚ ସୁଶ୍ରୀ ପ୍ରତିମା ନାୟକଙ୍କ ସମେତ ଅନେକ ସରକାରୀ ଅଧିକାରୀ, କର୍ମଚାରୀ ତଥା ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର