ଭଦ୍ରକ: କର୍ତ୍ତବ୍ୟରତ ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରିଥିବା ଅସାମାଜିକ ଯୁବକମାନଙ୍କୁ ଗିରଫ ଦାବିରେ ‘ଭାରତୀୟ ଚିକିତ୍ସକ ସଂଘ’ର ଭଦ୍ରକ ଶାଖା ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଗତ ୧ ତାରିଖ ଦିନ ଡାକ୍ତର ଆରକେ ନାୟକଙ୍କ ଘରୋଇ କ୍ଲିନିକରେ ଅସୁସ୍ଥ ଛାତ୍ର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଛାତ୍ର ଜଣକର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏହାକୁ ନେଇ ମୃତ ଛାତ୍ରଙ୍କ ପରିବାର ଲୋକ ଓ ସମ୍ପର୍କୀୟମାନେ ଭଦ୍ରକ ମେଡିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବା ସହ ଡାକ୍ତର ଆରକେ ନାୟକଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ କରିଥିଲେ। ବର୍ତ୍ତମାନ ଡାକ୍ତର ନାୟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

publive-image
ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭଦ୍ରକ ଡାକ୍ତର ସଂଘ ପକ୍ଷରୁ ଆଜି ପ୍ରତିବାଦ ଶୋଭାଯାତ୍ରା ବାହାରି ଏସପିଙ୍କ କାର୍ଯ୍ୟାଳୟ ନିକଟକୁ ଆସିଥିଲା। ପରେ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଡାକ୍ତରଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ।ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି। ଏହି ପ୍ରତିବାଦ ସଭାରେ ଆଇ ଏମଏ  ଭଦ୍ରକ ଶାଖାର ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ, ଡାକ୍ତର ପ୍ରଦୀପ ନାୟକ, ଡାକ୍ତର ପ୍ରଭାସ ମହାନ୍ତି, ଡାକ୍ତର ବିଭୂତି ନାୟକ, ଡାକ୍ତର ରବି  ନାରାୟଣ ପାଣିଗ୍ରାହୀ, ଡାକ୍ତର  ଶତ୍ରୁଘ୍ନ  ହାତୀଙ୍କ ସମେତ ବହୁ ଡାକ୍ତର, ପରା ମେଡ଼ିକାଲ କର୍ମଚାରୀ, ମେଡିସିନ ରିପ୍ରେସେଣ୍ଟେତିଭ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।